ହାଇଦ୍ରାବାଦ: ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ । ଗତକାଲି (ଫେବୃଆରୀ ୨୬) ଗାୟକ ୭୨ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଆଜି ମୁମ୍ୱାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । କଣ୍ଠଶିଳ୍ପୀଙ୍କ ଝିଅ ନାୟାବ ଉଧାସ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ସେପଟେ ଗାୟକଙ୍କ ବିୟୋଗରେ ପ୍ରଧମାମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଥିବା ବେଳେ ତାଙ୍କ ପରି ଭେଟେରାନ ଗାୟକଙ୍କୁ ହରାଇ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟି ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସ ସମେତ ସେଲିବ୍ରିଟି ପଙ୍କଜ ଉଧାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ନାୟାବ ଉଧାସ ସୋମବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ନାୟାବ ଲେଖିଛନ୍ତି, "ପଦ୍ମଶ୍ରୀ ପଙ୍କଜ ଉଧାସ ଦୀର୍ଘ ଦିନର ଅସୁସ୍ଥତା ହେତୁ ୨୬ ଫେବୃଆରୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫେବୃଆରୀ ୨୭, ମଙ୍ଗଳବାର ଦିନ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ମୁମ୍ୱାଇ ୱର୍ଲିର ହିନ୍ଦୁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ । ରିପୋର୍ଟ ଅନୁସାରେ, ପଙ୍କଜ ଉଧାସଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ତାଙ୍କ ପାର୍ଥିବ ଶରୀର ରଖାଯାଇଥିବା ବେଳେ ଅପରାହ୍ନ ୨.୩୦ ଯାଏଁ ପରିବାର, ସମ୍ପର୍କୀୟ ଓ ସେଲିବ୍ରିଟି ଶେଷ ଦର୍ଶନ କରିବେ । ଅପରାହ୍ନ ୩ଟା ପରେ ୱର୍ଲିର ହିନ୍ଦୁ ଶଶ୍ମାନରେ ତାଙ୍କର ଶେଷକୃତ୍ୟ କରାଯିବ ।
ଗାୟକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୋଦି ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ମୋଦିଙ୍କୁ ପଙ୍କଜଙ୍କ ସହ ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, ''ଆମେ ପଙ୍କଜ ଉଧାସଜୀଙ୍କର ବିୟୋଗରେ ଶୋକ କରୁଛୁ, ଯାହାର ଗୀତରେ ଭାବନାରେ ଭରପୁର ଥିଲା । ସେ ଭାରତୀୟ ସଂଗୀତର ଏକ ଆଇକନ ରହିଥିଲେ । ତାଙ୍କର ବିୟୋଗ ସଂଗୀତ ଦୁନିଆରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଯାହା କେବେ ପୂରଣ ହୋଇପାରିବ ନାହିଁ । ତାଙ୍କ ପରିବାରକୁ ସମବେଦନା ଜଣାଉଛୁ ।''
ଏହା ମଧ୍ୟ ପଢନ୍ତୁ: ଆଉ ଶୁଭିବନି 'ଚିଠି ଆଇ ହେ'; ଭେଟେରାନ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ସେହିପରି ଅନୁପମ ଖେର ମଧ୍ୟ ପଙ୍କଜଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି, ପଙ୍କଜ ଉଧାସଜୀଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ । ତାଙ୍କର ଗୀତ 'ଚିଠି ଆଇ ହେ'କୁ ଅନେକ ଥର ଶୁଣିବା ମୋତେ ଅତ୍ୟନ୍ତ ଆରାମଦାୟକ ଅନୁଭବ ଦେଇଥାଏ । ସେ ଜଣେ ଭଲ କଳାକାର, ଭଲ ବ୍ୟକ୍ତି ଥିଲେ । ଆଜି ସେ ଆଉ ନାହାନ୍ତି ଏହା ବିଶ୍ୱାସ କରିବା କଷ୍ଟ ହେଉଛି । ମୁଁ ତୁମକୁ ସବୁବେଳେ ମନେ ପକାଇବି । ତୁମେ ଉପରକୁ ଯାଇ ମୋ ବାପା ଏବଂ ସତୀଶଙ୍କ ସହ ମିଶନ୍ତୁ । ସେ ତୁମର ପ୍ରଶଂସକ ଅଟନ୍ତି । ସେହିପରି ଜନ ଆବ୍ରାହମ ଏବଂ ଅଜୟ ଦେବଗନ ଭଳି ଅନେକ ସେଲିବ୍ରିଟି ସମେତ ଫ୍ୟାନ୍ସ ମଧ୍ୟ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।