ହାଇଦ୍ରାବାଦ: ମେଗାଷ୍ଟାର ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି ହେବା ସହ ଆଞ୍ଜିଓପ୍ଲାଷ୍ଟି ନେଇ ସାମ୍ନାକୁ ଆସିଥିଲା ଖବର । ଏହାକୁ ନେଇ ଫ୍ୟାନ୍ସମାନେ ଚିନ୍ତିତ ହୋଇଥିବା ବାଳେ ଏହାକୁ ନିଜେ ବିଗବି ଖଣ୍ଡନ କରିଛନ୍ତି । ସେ ଏହାକୁ ଏକ ଫେକ୍ ନ୍ୟୁଜ ବା ମିଥ୍ୟା ବୋଲି କହିଛନ୍ତି । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ନେଇ ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ।
ତେବେ ସମସ୍ତ ଗୁଜବ ଉପରୁ ପରଦା ଉଠାଇଛନ୍ତି ଅମିତାଭ ବଚ୍ଚନ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଇଣ୍ଡିଆନ ଷ୍ଟିଟ ପ୍ରିମିୟର ଲିଗ୍(ISPL) ଚାଲିଥିବା ବେଳେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ସାମ୍ନାକୁ ଆସିଛନ୍ତି । ଦୁହେଁ ସଚ୍ଚିନ ତେନ୍ଦୁଲକରଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହାର ଫଟୋକୁ ଅମିତାଭ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିଗ୍ବି ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବାର କିଛି ଘଣ୍ଟା ମଧ୍ୟରେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅମିତାଭ ।
ଏହା ମଧ୍ୟ ପଢନ୍ତୁ: ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍ ବି, କରାଗଲା ଆଞ୍ଜିଓପ୍ଲାଷ୍ଟି
ଥାନେର ଦାଦୋଜି କୋଣ୍ଡାଦେବ ଷ୍ଟାଡିୟମରେ ଏହି ମ୍ୟାଚ ହେଉଥିବା ବେଳେ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏକ ଭିଡିଓରେ ଅମିତାଭ ବଚ୍ଚନ ଷ୍ଟାଡିୟମ୍ରୁ ବାହାରୁଥିବା ଦେଖାଯାଇଛି । ସେଠାରେ ପ୍ରବଳ ଭିଡ ଥିବା ବେଳେ ଫ୍ୟାନ୍ସମାନେ ତାଙ୍କୁ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ପ୍ରାରମ୍ଭରେ ବିଗ୍ବି ହାତରେ ସଙ୍କେତ ଦେଇ ନିଜେ ଠିକ୍ ଥିବା କହିଥିଲେ । ଏହାପରେ 81 ବର୍ଷୀୟ ଅମିତାଭ ଏହି ସ୍ବାସ୍ଥ୍ୟଭିତ୍ତିକ ଖବରକୁ ମିଥ୍ୟା ବୋଲି କହି ଖାରଜ କରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ତେବେ ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ସେ ରୁଟିନ୍ ଚେକ୍ଅପ୍ ପାଇଁ ହସ୍ପିଟାଲ ଯାଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ତାଙ୍କୁ ଡାକ୍ତର ଆଞ୍ଜିଓ ପ୍ଲାଷ୍ଟି କରିବା ପାଇଁ ସୂଚନା ଦେଇଥିଲେ । କିନ୍ତୁ ତାହା ହାର୍ଟ ବଦଳରେ ଗୋଡର ରହିଥିଲା । ଗୋଡରେ ରକ୍ତଜମାଟ ବାନ୍ଧିବାରୁ ଡାକ୍ତରମାନେ ଏହି ପରାମର୍ଶ ଦେଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ