ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନ 'ଦବଙ୍ଗ' ପ୍ରାଞ୍ଚାଇଜ ସହ ବକ୍ସ ଅଫିସରେ ଧମାକା କରିଛନ୍ତି । ଏହି ପ୍ରାଞ୍ଚାଇଜର ୩ଟି ଭାଗ ଲୋକଙ୍କ ମନ ଜିତିବା ସହ ଭଲ ବ୍ୟବସାୟ ମଧ୍ୟ କରିଥିଲା । ଯାହା ପରେ ଫ୍ୟାନ୍ସ ଏହାର ୪ର୍ଥ ଭାଗ ଅର୍ଥାତ୍ ଚୁଲବୁଲ ପାଣ୍ଡେଙ୍କ କମବ୍ୟାକକୁ ନେଇ ଅପେକ୍ଷା କରିଥିଲେ । ଏପରିକି ଅନେକ ଦିନ ଧରି ଏହି ଫିଲ୍ମକୁ ନେଇ ଆଲୋଚନା ମଧ୍ୟ ହେଉଥିଲା । ସଲମାନ ଏହି ଫିଲ୍ମ ପାଇଁ 'ଜବାନ' ନିର୍ଦ୍ଦେଶକ ଅଟଲିଙ୍କ ସହ କାମ କରିବେ ବୋଲି ଖବର ଆସିଥିଲା । ବର୍ତ୍ତମାନ 'ଦବଙ୍ଗ ୪' ଆସୁଥିବା ନିଶ୍ଚିତ କରିଛନ୍ତି ସଲମାନଙ୍କ ଭାଇ ତଥା ନିର୍ମାତା ଅରବାଜ ଖାନ । କିନ୍ତୁ ସେ ଅଟଲିଙ୍କ ସହ ଏହି ଫିଲ୍ମରେ କାମ କରିବା ଖବରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ନିକଟରେ ଖବର ଆସିଥିଲା ଯେ, ସଲମାନ ଖାନ ଏବଂ ଅରବାଜ ଖାନ 'ଦବଙ୍ଗ ୪' ପାଇଁ 'ଜବାନ' ନିର୍ଦ୍ଦେଶକ ଅଟଲି କୁମାରଙ୍କୁ ଭେଟିଥିଲେ । ବର୍ତ୍ତମାନ ଏନେଇ ଅରବାଜ ଖାନ ପ୍ରତିକ୍ରିୟା ଦେଇ ଏହାକୁ ମିଥ୍ୟା ବୋଲି କହିଛନ୍ତି । ସେ କହିଛନ୍ତି ଯେ ସେ ଫିଲ୍ମ ନିର୍ମାତା ଅଟଲିଙ୍କୁ କେବେ ଭେଟି ନାହାଁନ୍ତି । ସେ ଏହାକୁ କେବଳ ଗୁଜବ ବୋଲି କହିଛନ୍ତି । ଏଥିସହ ଫିଲ୍ମକୁ ନେଇ ଅରବାଜ ନିଶ୍ଚିତ କରି କହିଛନ୍ତି, ''ଆମେ ୪ର୍ଥ ଭାଗ କରିବାକୁ ବେଶ ଉତ୍ସାହିତ ରହିଛୁ । ସଲମାନ ଏବଂ ମୁଁ ଉଭୟ ନିଜ କାମରେ ବ୍ୟସ୍ତ ଥିବା ହେତୁ ଏହି ଫିଲ୍ମର ସେଡ୍ୟୁଲ ଅନୁସାରେ କାମ କରିବା ହୋଇପାରୁନି । କିନ୍ତୁ ଏବେ ଯାଏଁ ଆମେ 'ଦବଙ୍ଗ ୪' କିଏ ନିର୍ଦ୍ଦେଶନା ଦେବେ । ତାହା ବିଚାର କରିନାହୁଁ ।''
ଏହା ମଧ୍ୟ ପଢନ୍ତୁ: କିଙ୍ଗ ଖାନଙ୍କ ପରେ ଭାଇଜାନଙ୍କ ସହ ଫିଲ୍ମ କରିବେ ଅଟଲି !
'ଦବଙ୍ଗ' ହେଉଛି ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ଫ୍ରାଞ୍ଚାଇଜ୍ ମଧ୍ୟରେ ଅନ୍ୟତମ । ଏଥିରେ ସଲମାନ ଚୁଲବୁଲ ପାଣ୍ଡେ ନାମକ ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିଥିଲେ । ପ୍ରଥମ ଦବଙ୍ଗ ଚଳଚ୍ଚିତ୍ର ୨୦୧୦ରେ ରିଲିଜ୍ ହୋଇଥିବାବେଳେ ଫ୍ରାଞ୍ଚାଇଜର ପରବର୍ତ୍ତୀ ଦୁଇଟି ଚଳଚ୍ଚିତ୍ର ଯଥାକ୍ରମେ ୨୦୧୨ ଏବଂ ୨୦୧୯ରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ସମସ୍ତ ତିନୋଟି ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ଏବଂ ବକ୍ସ ଅଫିସରେ ବି ଫିଲ୍ମ ଭଲ ପ୍ରଦର୍ଶନ କରିଥିଲା ।