ହାଇଦ୍ରାବାଦ: ଆସନ୍ତା ଜୁଲାଇରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଅମ୍ବାନୀ ଓ ରାଧିକା ମରଚାଣ୍ଟ । କୁହାଯାଉଛି, ଉଭୟଙ୍କର ଏହି ଗ୍ରାଣ୍ଡ ୱେଡିଂ ସେରେମନି ଲଣ୍ଡନରେ ହୋଇପାରେ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିପାଇଁ ଅନେକ ବଲିଉଡ ତାରକାଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠା ସରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ସବୁଠୁ ବଡ଼ କଥା ହେଉଛି ନିକଟରେ ଅନନ୍ତ ଓ ରାଧିକାଙ୍କୁ ଦୁବାଇର ଦୁଇ ଦୁଇଟି ସପିଂ ମଲରେ ଦେଖିବାକୁ ମିଳିଥିଲା । ତେଣୁ ଉଭୟ ଦୁବାଇରେ ନିଜ ବିବାହ ପାଇଁ ସପିଂ କରୁଥାଇପାରନ୍ତି ବୋଲି କୁହାଯାଉଛି ।
ଚଳିତ ମାସ ଆରମ୍ଭରେ ଉଭୟ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ଦୁବାଇର ସପିଂ ମଲରେ ନଜର ଆସିଥିଲେ । ସେମାନଙ୍କ ସୁରକ୍ଷା ପାଇଁ ୨୦ଟି ଗାଡ଼ି ମଧ୍ୟ ମଲ ସମ୍ମୁଖରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା । ନିକଟରେ ଉଭୟଙ୍କ ପ୍ରି ୱେଡିଂ ସେରିମନି ଶେଷ ହୋଇଛି । ଗତ ମାର୍ଚ୍ଚ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଗୁଜୁରାଟର ଜାମନଗରରେ ଆୟୋଜିତ ହୋଇଥିଲା ପ୍ରି ୱେଡିଂ ପ୍ରୋଗ୍ରାମ । ଯେଉଁ ଦେଶ ତଥା ଦେଶ ବାହାରୁ ବଡ଼ ବଡ଼ ଶିଳ୍ପପତିଙ୍କଠାରୁ ଆରମ୍ଭ କରି ହଲିଉଡ ଓ ବଲିଉଡ ତାରକାଙ୍କ ସମେତ ରାଜନେତାମାନେ ମଧ୍ୟ ଯୋଗ ଦେଇଥିଲେ । ଏହାସହ ଅମ୍ବାନୀ ପରିବାରଙ୍କ ସମ୍ପର୍କୀୟମାନେ ମଧ୍ୟ ସାମିଲ ରହି ଅମ୍ବାନୀ ପରିବାରର ସାନ ପୁଅ ଓ ବୋହୂ ହେବାକୁ ଯାଉଥିବା ରାଧିକାଙ୍କୁ ଶୁଭକାମନା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ ।
ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ, ଅନନ୍ତ ଓ ରାଧିକା ଉଭୟ ପରସ୍ପରକୁ ପିଲାଟି ଦିନରୁ ଜାଣିଛନ୍ତି । ୨୦୧୮ ମସିହାରେ ସମାନ ଢଙ୍ଗରେ ପୋଷାକ ପରିଧାନ କରି ଉଭୟ ଚର୍ଚ୍ଚାକୁ ଆସିଥିଲେ । ରାଧିକାଙ୍କୁ ଅନେକ ସମୟରେ ଅମ୍ବାନୀ ପରିବାରର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା। ଅମ୍ବାନୀ ପରିବାର ସହ ନଜର ଆସୁଥିବା ରାଧିକା ଏହି ପରିବାରର ବୋହୂ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଡିସେମ୍ବର ୨୦୨୨ରେ ସେମାନେ ଏକ 'ରୋକା' ସେରିମନିର ଆୟୋଜନ କରି ନିଜ ସମ୍ପର୍କ ସର୍ବସମ୍ମୁଖକୁ ଆଣିବା ସହ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ଆଉ ଦୁଇ ମାସ ପରେ ଉଭୟ ଲଣ୍ଡନରେ ଖୁବ ଧୁମଧାମରେ ବିବାହ କରିବାକୁ ଯାଉଥିବା କୁହାଯାଉଛି ।