ହାଇଦ୍ରାବାଦ: ଭାରତରେ ଚାଲିଛି ସାଧାରଣ ନିର୍ବାଚନ । ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟ ହେଉଛି । ନିର୍ବାଚନ ଲଢୁଥିବା ରାଜନୈତିକ ଦଳଗୁଡିକ ଇସ୍ତାହାର ପ୍ରକାଶ କରିବା ସହିତ ଭୋଟରଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେଉଛନ୍ତି । ନିର୍ବାଚନ ଜିତିଲେ ମାଗଣା ସୁବିଧା ସାଙ୍ଗକୁ ବ୍ୟାପକ ସାମାଜିକ କଲ୍ୟାଣ ଯୋଜାନା ଭଳି କେତେ କ'ଣ ପ୍ରତିଶ୍ରୁତି ମିଳୁଛି । ତେବେ ଏହିସବୁ ପ୍ରତିଶ୍ରୁତି ପୂରଣ ପାଇଁ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ ହେବ, ଯାହାର ପ୍ରଭାବ ସେହି ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ପଡିବ ।
ଅନେକ କ୍ଷେତ୍ରରେ ଶାସକ ଦଳ ନିଜର ପ୍ରତିଶ୍ରୁତି ପୂରଣ ପାଇଁ ଅତ୍ୟଧିକ ମାତ୍ରାରେ ଋଣ ନେଇଥାନ୍ତି, ଯଦ୍ବାରା ସରକାରୀ ଋଣ ପରିମାଣ ବୃଦ୍ଧି ପାଏ, ଅନୁରୂପ ଭାବେ ଏହାର ବୋଝ ଦେଶର ରାଜକୋଷ ଏବଂ ଟିକସଦାତାଙ୍କ ଉପରେ ପଡେ । ଏପରି ସ୍ଥଳେ ଦେଶର ସରକାରୀ ଋଣ ସ୍ଥିତିର ଆକଳନ କରିବା ଏବଂ ଏହାକୁ କିପରି ପରିଚାଳନା କରାଯିବା, ତାହା ଉପରେ ବିଚାର କରିବା ପ୍ରାସଙ୍ଗିକ ଅଟେ ।
ନିକଟରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଋଣ ପରିଚାଳନାର ତ୍ରୟମାସିକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏଥିରେ ଦର୍ଶାଯାଇଛି, ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଭାରତର ମୋଟ ସାମଗ୍ରିକ ଲାଇବିଲିଟି(ଋଣ) ୧୬୦.୯ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ୨୦୨୩ ସେପ୍ଟେମ୍ବରରେ ଏହି ପରିମାଣ ୧୫୭.୮୪ ଲକ୍ଷ କୋଟି ରହିଥିଲା । ଏହି ରିପୋର୍ଟ ଅକ୍ଟୋବର-ଡିସେମ୍ବର ୨୦୨୩ ମଧ୍ୟରେ ସରକାରୀ ଋଣ ପରିଚାଳନା ଏବଂ ନଗଦ ପରିଚାଳନା ଅପରେସନ ସମ୍ପର୍କରେ ଏକ ବିସ୍ତୃତି ବିବରଣୀ ପ୍ରଦାନ କରୁଛି । ଏହାବ୍ୟତୀତ ରିପୋର୍ଟ ଋଣ ପରିଚାଳନାର ପ୍ରମୁଖ ଦିଗ ଉପରେ ମଧ୍ୟ ଆଲୋକପାତ କରେ । ହେଲେ ଏଥିରେ ସବୁଠୁ ଚିନ୍ତାଜନକ ବିଷୟଟି ହେଲା, ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ସମୟରେ ସରକାରୀ ଋଣର ପରିମାଣ ଦେଶର ମୋଟ ଲାଇବିଲିଟିର ୯୦ ପ୍ରତିଶତ ।
ମୁଖ୍ୟତଃ, ସରକାରୀ ଋଣ/ସାର୍ବଜନୀନ ଋଣ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଉଠାଯାଇଥିବା ବିଦେଶୀ, ଘରୋଇ ଋଣ ଏବଂ ଅନ୍ୟ ଲାଇବିଲିଟି ଅଟେ, ଯାହା ଉପରେ ସେମାନଙ୍କୁ ସୁଧ ସହିତ ମୂଳ ରାଶିର ପରିଶୋଧ କରିବାକୁ ପଡିଥାଏ । ଅନ୍ୟସବୁ ଲାଇବିଲିଟି ମଧ୍ୟରେ ପ୍ରୋଭିଡେଣ୍ଟ ଫଣ୍ଡ, ସ୍ମଲ ସେଭିଂ ସ୍ମିମ ଏବଂ ଭାରତୀୟ ଖାଦ୍ୟ ନିଗମ ଓ ତୈଳ କମ୍ପାନୀଗୁଡିକୁ ଜାରି ହୋଇଥିବା ସ୍ବତନ୍ତ୍ର ସିକ୍ୟୁରିଟିଜ ଅନ୍ତର୍ଭୁକ୍ତ ।
ତେବେ ସରକାରଙ୍କ ପାଇଁ ଋଣ ନେବାର ଏକ ନିର୍ଦ୍ଧିଷ୍ଟ ସୀମା ରହିଛି ଏବଂ ୨୦୦୩ରେ ଏନଡିଏ ସରକାରଙ୍କ ଅମଳରେ ଆର୍ଥିକ ଦାୟିତ୍ବ ଏବଂ ବଜେଟ ପରିଚାଳନା(FRBM) ଆକ୍ଟ ଦ୍ବାରା ଏହା ନିର୍ଦ୍ଧାରଣ କରାଯାଇଥିଲା । ଏହି ଆକ୍ଟ ଅନୁଯାୟୀ, ୨୦୨୪-୨୫ ସୁଦ୍ଧା ସାଧାରଣ ସରକାରୀ ଋଣ ଜିଡିପିର ୬୦ ପ୍ରତିଶତକୁ ହ୍ରାସ କରାଯିବା ସହ ସେହି ସମୟ ମଧ୍ୟରେ କେନ୍ଦ୍ରର ନିଜର ମୋଟ ଲାଇବିଲିଟି ୪୦ ପ୍ରତିଶତ ଠାରୁ ଅଧିକ ନହେବା ଉଚିତ୍ ।
କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଟାର୍ଗେଟ ପୂରଣ କରାଯିବ ସମ୍ଭବପର ନୁହେଁ । ଏହାର ଗୋଟିଏ ପ୍ରମୁଖ କାରଣ ହେଲା ୨୦୨୦ର କୋଭିଡ ମହାମାରୀ ଜନିତ ହେଲ୍ଥ ଏମରେଜେନ୍ସି । ମହାମାରୀର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ଅର୍ଥନୀତି ଉପରେ ରହିଥିଲା । ଟିକସ ରାଜସ୍ବ ଘାଟା ହେବା କାରଣରୁ ଅର୍ଥନୀତି ଗୁରୁତର ପ୍ରଭାବିତ ହେବା ସହ ସପ୍ଲାଏ ଚେନ ବାଧାପ୍ରାପ୍ତ ହୋଇଥିଲା । କୋଭିଡ ସମୟରେ ଲୋକଙ୍କ ଆୟ ଓ ଉପଭୋଗ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା ଯୋଜନାଗୁଡିକର ଖର୍ଚ୍ଚ ପୂରଣ କରିବାକୁ ଋଣ ନେବା ବ୍ୟତୀତ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । ଯାହାଫଳରେ କେନ୍ଦ୍ରର ମୋଟ ବକେୟା ଋଣ ୨୦୧୮-୧୯ରେ ଜିଡିପିର ୪୮.୧ ପ୍ରତିଶତ ଥିବାବେଳେ ଏହା ବୃଦ୍ଧି ପାଇ ୨୦୨୯-୨୦ରେ ୫୦.୭ ପ୍ରତିଶତ ଏବଂ ୨୦୨୦-୨୧ରେ ୬୦.୮ ପ୍ରତିଶତ ହୋଇଥିଲା ।
ଯଦିଓ ୨୦୨୨-୨୩ରେ ଏହି ଋଣର ପରିମାଣ ସାମାନ୍ୟ ହ୍ରାସ ପାଇ ୫୫.୯ ପ୍ରତିଶତ ରହିଥିଲା । କିନ୍ତୁ ୨୦୨୩-୨୪ରେ ଏହା ପୁଣିଥରେ ୫୬.୯ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୨୦୨୪-୨୫ରେ ଏହାକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫୬ ପ୍ରତିଶତ ମଧ୍ୟରେ ରଖାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ଋଣ ପରିମାଣ ଅପେକ୍ଷାକୃତ ଅଧିକ ହୋଇଥିବାରୁ ଏହାକୁ ନିୟନ୍ତ୍ରିତ କରାଯିବାର ଆବଶ୍ୟକତା ରହିଛି ।
ଋଣ ବୋଝର ମୁକାବିଲା:
- ବିଶ୍ବର ଦ୍ରୁତି ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ରୂପେ ଭାରତକୁ ନିଜର ବିକାଶ ଗାଥା ଲେଖିବା ପାଇଁ ପର୍ଯ୍ୟାପ୍ତ ପୁଞ୍ଜିର ଆବଶ୍ୟକ । ଏହା ବଦଳରେ ଏକ ରାଜକୋଷୀୟ ନୀତିର ଆବଶ୍ୟକତା ରହିଛି, ଯାହା ଋଣ ବୋଝ ହ୍ରାସ ସୁନିଶ୍ଚିତ କରିବ । ଏହି ପ୍ରକାରେ ଦେଶର ଋଣ ପରିଚାଳନା ପାଇଁ କୌଣସି ନୀତିରେ ଋଣର ଦୁଇଟି ଉପାଦାନ ଉପରେ ଗୁରୁତ୍ବ ଦିଆଯିବା ଉଚିତ୍, ପ୍ରଥମଟି ହେଲା ଘରୋଇ ଋଣ ଏବଂ ଅନ୍ୟଟି ସରକାରୀ ଋଣ ।
- ୨୦୨୪ ଏପ୍ରିଲ ୯ରେ ମୋଲିତାଲ ଓସୱାଲ ନାମକ ଏକ ଆର୍ଥିକ ସେବା ଫାର୍ମ ଦ୍ବାରା ଜାରି ରିପୋର୍ଟରେ ଆକଳନ କରାଯାଇଛି, ଭାରତର ଘରୋଇ ଋଣ ୨୦୨୩ ଡିସେମ୍ବରରେ ଜିଡିପିର ୪୦ ପ୍ରତିଶତ ଛୁଇଁବା ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଘରୋଇ ଋଣ ପରିଚାଳନା କରିବାକୁ ହେଲେ ଏଠାରେ କିଛି ନୀତିଗୁଡିକର ଆବଶ୍ୟକତା ରହିଛି । ଯାହାକି ଦେଶରେ ଘରୋଇ ଋଣ ସହ ଅଣ-ଆର୍ଥିକ କର୍ପୋରେଟ ଋଣ ସ୍ତରର ନିରନ୍ତର ନିରୀକ୍ଷଣ କରିବ ।
- ଅପରପକ୍ଷେ, ପ୍ରଭାବୀ ସରକାରୀ ଋଣ ପରିଚାଳନା ପାଇଁ ଏକ ଫୁଲପ୍ରୁଫ ବିତ୍ତୀୟ ଫ୍ରେମୱାର୍କର ଆବଶ୍ୟକତା ଅଛି, ଯାହା ବ୍ୟୟ ଏବଂ ଋଣ ସ୍ଥିରତା ମଧ୍ୟରେ ସନ୍ତୁଳନ ବଜାୟ ରଖିବ । କିନ୍ତୁ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଏହିପ୍ରକାର ରାଜକୋଷୀୟ ଢାଞ୍ଚା ବିକଶିତ କରିବା ଦ୍ବିପାକ୍ଷିକ ଦୃଷ୍ଟିକୋଣ ଅଟେ ।
- ସେହିପରି ଋଣ ପରିଚାଳନାରେ ରାଜ୍ୟଗୁଡିକ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମାନେ ନିଜର ଋଣ ଧାରଣ ପ୍ରତି ଯଥେଷ୍ଟ ସଚେତନ ହେବା ଏବଂ ନିର୍ବାଚନୀ ଲାଭ ପାଇଁ ଅଫଳପ୍ରଦ ଖର୍ଚ୍ଚରୁ ଦୂରେଇ ରହିବା ଆବଶ୍ୟକ । ଏହା ପରିବର୍ତ୍ତେ, ଖର୍ଚ୍ଚ କ୍ବାଲିଟିରେ ଉନ୍ନତି ଏବଂ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଉପରେ ଧ୍ୟାନ ଦେବା ଉଚିତ୍ । ଯାହାକି ଉତ୍ତମ ଆର୍ଥିକ ସ୍ଥିତିରେ ବଜାୟ ରଖିବା ସହ ରାଜ୍ୟକୁ ଉଚ୍ଚ ଅଭିବୃଦ୍ଧି ପଥରେ ଆଗେଇ ନେଇପାରେ । ସେହିପରି ମାନବ ପୁଞ୍ଜି, ଶାରିରୀକ ଭିତ୍ତିଭୂମିର ବିକାଶ ଏବଂ ସବୁଜ ପଦେକ୍ଷପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରି ସରକାରୀ ଖର୍ଚ୍ଚରେ ଗୁଣବତ୍ତା/କ୍ବାଲିଟି ହାସଲ କରାଯାଇପାରେ । ନୀତି ନିର୍ମାତାମାନେ ପବ୍ଲିକ ପ୍ରାଇଭେଟ ପାର୍ଟନରସିଟି ମଡେଲ ମଧ୍ୟ ଆପଣାଇ ପାରିବେ, ଯାହା ରାଜ୍ୟର ଋଣ ବୋଝ କମ୍ କରିବାରେ ସହାୟକ ହେବ ।
ଉଭୟ କେନ୍ଦ୍ର ଏବଂ ରାଜ୍ୟ ନିଜ ନିଜର ଆର୍ଥିକ କ୍ଷମତା ଏବଂ ରାଜକୋଷୀୟ ପ୍ରତିବନ୍ଧକ ଆଧାରରେ ଉପର ଲିଖିତ ଯେକୌଣସି ଦୃଷ୍ଟିକୋଣର ପାଳନ କରିପାରିବେ । ଏହା ଦେଶ ପାଇଁ ପର୍ଯ୍ୟାପ୍ତ ବିତ୍ତୀୟ ସ୍ଥାନ ସୃଷ୍ଟି କରିବା ସହ ନୂତନ ନିବେଶକୁ ପ୍ରୋତ୍ସାହିତ କରିବ ।