ହାଇଦ୍ରାବାଦ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା ବେଳେ 'ମୁଦ୍ରାସ୍ଫୀତି ବିରୋଧରେ ଯୁଦ୍ଧ' ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମୁଦ୍ରାସ୍ଫୀତିକୁ ହାତୀ ସହ ତୁଳନା କରି ଗଭର୍ଣ୍ଣର କହିଥିଲେ, ''ଦୁଇ ବର୍ଷ ପୂର୍ବରୁ ଏହି ସମୟରେ ଅର୍ଥାତ୍ ୨୦୨୨ ଏପ୍ରିଲରେ ଉପଭୋକ୍ତ ମୂଲ୍ୟ ସୂଚକାଙ୍କ (CPI) ଭିତ୍ତିକ ମୁଦ୍ରାସ୍ଫୀତି ହାର ୭.୮ ପ୍ରତିଶତ ସହ ପିକରେ ଥିଲା, ସେତେବେଳେ ହାତୀ (ମୁଦ୍ରାସ୍ଫୀତି) ରୁମ ଭିତରେ ଥିଲା । ଏବେ ଏହି ହାତୀ ବାହାରକୁ ବୁଲିବାକୁ ଯାଇଛି ଏବଂ ଖୁବଶୀଘ୍ର ଜଙ୍ଗଲକୁ ଫେରିପାରେ ବୋଲି ଆଶା ରହିଛି । ଆମେ ଚାହୁଁଛୁ ହାତୀ ଜଙ୍ଗଲକୁ ଫେରିଆସୁ ଏବଂ ସେହିଠାରେ ହିଁ ସ୍ଥାୟୀ ଭାବେ ରହୁ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଅର୍ଥନୀତିର ସ୍ବାର୍ଥ ଦୃଷ୍ଟିରୁ ସିପିଆଇ ମୁଦ୍ରାସ୍ଫୀତି କମିବା ସହ ଟାର୍ଗେଟ ଭିତରେ ରହିବା ଆବଶ୍ୟକ । ଏହି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆମର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ।'' ଗଭର୍ଣ୍ଣରଙ୍କ କହିବାର ଅର୍ଥ ଥିଲା ଯେ, ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି କ୍ରମଶଃ ହ୍ରାସ ପାଉଛି ।
ତେବେ ବାସ୍ତବରେ କ'ଣ ହାତୀ ଜଙ୍ଗଲକୁ ଫେରୁଛି ? ଏପରି ସ୍ଥଳେ ଦ୍ବିମାସକ 'ପାରିବାରିକ ମୁଦ୍ରାସ୍ଫୀତି ପ୍ରତ୍ୟାଶା ସର୍ବେକ୍ଷଣ' ଦେଶର ମୁଦ୍ରାସ୍ଫୀତି ହ୍ରାସ ସମ୍ପର୍କିତ ଉପରୋକ୍ତ ଧାରଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ । ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨ରୁ ୧୧ ମଧ୍ୟରେ ୧୯ଟି ସହରରେ ୬୦୮୩ ଜଣଙ୍କୁ ନେଇ ଏହି ମୁଦ୍ରାସ୍ଫୀତି ପ୍ରତ୍ୟାଶା (ଭବିଷ୍ୟତରେ ଦରଦାମ ବୃଦ୍ଧି ଆଶଙ୍କା) ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ, ବର୍ତ୍ତମାନ ମୁଦ୍ରାସ୍ଫୀତି ହାର ୮.୧ ପ୍ରତିଶତ ଥିବା ପରିବାରଗୁଡିକ ଅନୁଭବ କରୁଛନ୍ତି । ଆସନ୍ତା ୩ ମାସ ଏବଂ ଗୋଟିଏ ବର୍ଷ ପାଇଁ ମୁଦ୍ରାସ୍ଫୀତି ଯଥାକ୍ରମେ ୯.୦ ଏବଂ ୯.୮ ପ୍ରତିଶତ ଆଶା କରାଯାଇଛି, ଯାହାକି ଜାନୁଆରୀରେ ହୋଇଥିବା ସର୍ଭେ ତୁଳନାରେ ସାମାନ୍ୟ କମ୍ । ତଥାପି ଏହା ଉଚ୍ଚ ମୁଦ୍ରାସ୍ଫୀତି ଆଡକୁ ସୂଚାଉଛି ।
ଏହିଭଳି ଉପାୟ କେତେ ବିଶ୍ବାସଯୋଗ୍ୟ ? ସର୍ବେକ୍ଷଣର ନମୁନା ଆକାର ଭାରତର ପ୍ରାୟ ସମୁଦାୟ ପରିବାରକୁ ପ୍ରତିଫଳିତ କରିଥାଏ, ଯାହାକି ୨୦୧୪ରେ ୩୧୯ ମିଲିୟନ ଅଟେ ଏବଂ ଏହା ଏହି ସର୍ଭେକୁ ଭରସାଯୋଗ୍ୟ ବନାଉଛି । ସେହିପରି ସର୍ଭେ ପ୍ରଣାଳୀରେ ମଧ୍ୟମ ମାପଦଣ୍ଡର ଉପଯୋଗ ମଧ୍ୟ ଏହାର ବିଶ୍ବସନୀୟତା ବଢାଉଛି ।
ଏଠାରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୁଦ୍ରାସ୍ଫୀତି ପ୍ରତ୍ୟାଶା (ଭବିଷ୍ୟତରେ ଦରଦାମ ବୃଦ୍ଧି ଆଶଙ୍କା) କାହିଁକି ମହତ୍ବପୂର୍ଣ୍ଣ ? ଏହା ବୁଝିବାକୁ ହେଲେ ଧରାଯାଉ, ନାସିକରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇଯିବାରୁ ଆସନ୍ତା ସପ୍ତାହରେ ପିଆଜ ଦର ବଢିବା ନେଇ ଆଶଙ୍କା କରାଯାଏ । ଏପରି ସ୍ଥିତିରେ ଆପଣ ବଜାରକୁ ଯାଇ ଅଧିକ ପିଆଜ କିଣିବାକୁ ଚାହିଁବେ, ଯଦ୍ବାରା ଏହାର ଦର ବୃଦ୍ଧି ପାଇବ । ଏହିଭଳି ପାରିବାରିକ ମୁଦ୍ରାସ୍ଫୀତି ପ୍ରତ୍ୟାଶା ଗୁରୁତ୍ବ ରଖେ । ଏହା ଉପଭୋଗକୁ ବୃଦ୍ଧି କରି ବାସ୍ତବିକ ମୁଦ୍ରାସ୍ଫୀତିକୁ ବଢାଇଥାଏ । ପଲିସି ମେକର ମୁଦ୍ରାସ୍ଫୀତି ପ୍ରତ୍ୟାଶା (inflationary expectations) ଉପରେ ନଜର ରଖିବା ସହ ଏହା ପରିଚାଳନା କରିବା ଉଚିତ୍, ଯଦ୍ବାରା ଆଗାମୀ ସମୟରେ ବାସ୍ତବ ମୁଦ୍ରାସ୍ଫୀତି ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ହ୍ରାସ ହେବ । କିନ୍ତୁ ଅର୍ଥନୀତ ବିଶ୍ଳେଷକମାନେ ମୁଦ୍ରାସ୍ଫୀତି ପ୍ରତ୍ୟାଶା ସ୍ତର ଉପରେ ବିଶେଷ ଫୋକସ୍ କରୁନାହାନ୍ତି । ସେମାନେ କେବଳ ଏହା ଦେଖୁଛନ୍ତି ଯେ, ଜଣେ ଉପଭୋକ୍ତା ଦରଦାମ ବଢିବା କମିବା ନେଇ କ'ଣ ଭାବୁଛି ।
ଆସନ୍ତା ୩ ମାସ ମଧ୍ୟରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ଆଶଙ୍କା କରୁଥିବା ଉପଭୋକ୍ତାଙ୍କ ଅନୁପାତ ସର୍ବାଧିକ (୭୬.୫%) ଥିବାବେଳେ ମୂଲ୍ୟ ସ୍ଥିର ରହିବା ଏବଂ ହ୍ରାସ ପାଇବା ନେଇ ଆଶା କରୁଥିବା ଲୋକଙ୍କ ଅନୁପାତ ଯଥାକ୍ରମେ ୧୯.୬ ଏବଂ ୩.୬ ପ୍ରତିଶତ ରହିଛି । ଯେଉଁମାନେ ଦରଦାମ ବୃଦ୍ଧି ଆଶା କରୁଛନ୍ତି, ସେମାନଙ୍କ ମଧ୍ୟରୁ ୫୩.୧ ପ୍ରତିଶତ ଲୋକ ଦର ବର୍ତ୍ତମାନର ହାରଠାରୁ ଅଧିକ ବୃଦ୍ଧି ପାଇବାର ଆଶା କରୁଛନ୍ତି । ଯଦି ଆମେ ଗୋଟିଏ ବର୍ଷର ମୁଦ୍ରାସ୍ଫୀତି ପ୍ରତ୍ୟାଶା ବିଶ୍ଳେଷଣ କରିବା ତେବେ ଏହି ସଂଖ୍ୟା ଅଧିକ ଉଦବେଗଜନକ ରହିବ । ଯଦି ଦେଖାଯାଏ, ତେବେ ଦର ବୃଦ୍ଧି ଆଶା କରୁଥିବା, ଦର ସ୍ଥିର ଓ ହ୍ରାସ ଆଶା କରୁଥିବା ଲୋକଙ୍କ ଅନୁପାତ ଯଥାକ୍ରମେ ୮୭.୪ ପ୍ରତିଶତ, ୯.୪ ପ୍ରତିଶତ ଏବଂ ୨.୯ ପ୍ରତିଶତ ଅଟେ । ଅର୍ଥାତ୍ ଆଗାମୀ ମାସ ବା ବର୍ଷରେ ଦରଦାମ ଅଧିକ ବୃଦ୍ଧି ପାଇବା ନେଇ ଆଶା କରୁଛନ୍ତି ।
ଏଥିରୁ ସ୍ପଷ୍ଟ ଜଣାପଡୁଛି, ହାତୀ ଜଙ୍ଗଲକୁ ଫେରୁନାହିଁ ଏବଂ ଏ ଯାଏଁ ଭାରତୀୟ ଅର୍ଥନୀତି ମୁଦ୍ରାସ୍ଫୀତି ଜନିତ ଚାପରୁ ମୁକୁଳି ପାରିନି । ତେଣୁ 'ଅଚ୍ଛେ ଦିନ' ଆସୁଛି ବୋଲି ଭାବି ବର୍ତ୍ତମାନ ଖୁସି ମନାଇବା ଠିକ୍ ନୁହେଁ । ଅର୍ଥନୀତି ଉପରେ ମୁଦ୍ରାସ୍ଫୀତିର ଛାୟା ଏବେ କିଛି ଦିନ ଯାଏ ରହିବ ।