ହାଇଦ୍ରାବାଦ: ବେଶ ଘଟଣାବହୁଳ 2024 । ଦେଶର ରାଜନୈତିକ କାଳଖଣ୍ଡ ପାଇଁ ଏକ ଐତିହାସିକ ତଥା ଉଲ୍ଲେଖନୀୟ ବର୍ଷ । ଅଷ୍ଟାଦଶ ସାଧାରଣ ନିର୍ବାଚନ ସହ ଏକାଧିକ ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନ । ଏହି ଉଭୟ ନିର୍ବାଚନ, ଦେଶର ରାଜନୈତିକ ମାନଚିତ୍ର ଓ କ୍ଷମତା ସମୀକରଣର ନକ୍ସା ପରିବର୍ତ୍ତନ କରିଛି । ଯାହା ଉପରେ ଥିଲା ସମଗ୍ର ବିଶ୍ବର ନଜର । ଏହି ନିର୍ବାଚନୀ ଫଳାଫଳ ହିଁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଭାରତର ଭାଗ୍ୟ ନିର୍ଣ୍ଣୟ କରିବାକୁ ଯାଉଛି ।
- ରେକର୍ଡ କଲେ ମୋଦି ଓ ବିଜେପି:-
କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କ୍ରମାଗତ ତୃତୀୟ ପାଳି କ୍ଷମତା ହାସଲ କରି ଭାରତୀୟ ରାଜନୀତିରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛି । ସେହିପରି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ସମକ୍ଷକ ହୋଇଛନ୍ତି । ଏହା ସତ୍ତ୍ବେ ମଧ୍ୟ ବିଜେପିର ପୂର୍ଣ୍ଣ ବହୁମତ ତଥା ୪୦୦ ପାର୍ ନାରା ଭୁଲ ପ୍ରମାଣିତ ହୋଇଥିଲା । ସଂସଦରେ ଏକାକୀ ନିରଙ୍କୁଶ ସଂଖ୍ୟା କ୍ଷମତାର ସ୍ବପ୍ନ ଦେଖୁଥିବା ଭାରତୀୟ ଜନତା ପାର୍ଟି(BJP) ଚନ୍ଦ୍ରବାବୁ ନାଇଡୁଙ୍କ ‘ତେଲଗୁ ଦେଶମ ପାର୍ଟି’ (TDP ) ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ‘ସଂଯୁକ୍ତ ଜନତା ଦଳ’ (JDU)ର ସମର୍ଥନରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ କରିଛି ।
- NDA ଭାଗ୍ୟ ନିର୍ଦ୍ଧାରକ ନୀତିଶ-ନାଇଡୁ
ଭାରତୀୟ ଜନତା ପାର୍ଟି 240 ଓ ଜେଡିୟୁ 16 ଓ ଟିଡିପି 12 ଆସନ ସହ ଛୋଟ ସହଯୋଗୀଙ୍କୁ ମିଶାଇ ‘ଏନଡିଏ’ ମେଣ୍ଟର ମୋଟ ସଂଖ୍ୟା 293ରେ ପହଞ୍ଚିଛି । ଯାହା ପୂର୍ବ ନିର୍ବାଚନୀ ଫଳାଫଳ ଅନୁସାରେ ବେଶ କମ । 2019 ରେ ବିଜେପି ଏକାକୀ 303 ଆସନ ଜିତି ରେକର୍ଡ କରିଥିଲା । ତେବେ ବିଜେପି ପୂର୍ବରୁ ଯେଉଁ ଏକାଧିକ ଚର୍ଚ୍ଚିତ ତଥା ସମ୍ବିଧାନ ସଂସ୍କାରଧର୍ମୀ ବିଲ୍ (ଏକକ ନାଗରିକ ସଂହିତା ଓ ଏକକ ନିର୍ବାଚନ) ଆଣିବା ପାଇଁ ଘୋଷଣା କରିଥିଲା, ତାହା ହୁଏତ ଚଳିତ ମେଣ୍ଟ ଶାସନରେ ସମ୍ଭବ ହୋଇନପାରେ ବୋଲି ବିରୋଧୀ କହିଲେଣି । ତେଣୁ ବିଜେପି କେନ୍ଦ୍ରରେ କ୍ଷମତା ବଜାୟ ରଖିଥିଲେ ସୁଦ୍ଧା ପୂର୍ବାପେକ୍ଷା ଅଧିକ ଦୁର୍ବଳ ଓ ଆଞ୍ଚଳିକ ଦଳ ଉପରେ ନିର୍ଭରଶୀଳ ହୋଇପଡିଛି ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି ।
- କମ୍ ବ୍ୟାକ୍ କରୁଛି କି କଂଗ୍ରେସ ?
ସେହିପରି ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଓ ଏହାର ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଆଶା ଅନୁରୂପ ଭଲ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଏକାକୀ 99 ଆସନ ଓ ମେଣ୍ଟ 240 ଆସନରେ ବିଜୟ ଲାଭ କରିଛି । ସେହିପରି କଂଗ୍ରେସ 2019 ରେ ମାତ୍ର 52 ଆସନ ଜିତିଥିବା ବେଳେ ଏଥର ସଂଖ୍ୟା 99 ଆସନକୁ ବୃଦ୍ଧି ପାଇଛି । ଅନ୍ୟ ସହଯୋଗୀଙ୍କ 52 ଆସନ ସହ ଇଣ୍ଡିଆ ମେଣ୍ଟ ନିକଟରେ ଏ ଦୃଷ୍ଟିରୁ ପୂର୍ବାପେକ୍ଷା ବିରୋଧୀ ଗୃହରେ ଅଧିକ ସଶକ୍ତ ହୋଇଛନ୍ତି ।
- ନୂଆ ଦାୟିତ୍ବରେ ରାହୁଲ
୨୦୨୪ରେ ସର୍ବାଧିକ ଚର୍ଚ୍ଚାରେ ଥିଲେ କଂଗ୍ରେସର ଷ୍ଟାର-ପ୍ରଚାରକ ତଥା ଦଳର ପୂର୍ବତନ ସର୍ବକନିଷ୍ଠ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଉତ୍ଥାନ । ରାହୁଲ ନିଜ ମା‘ ସୋନିଆ ଗାନ୍ଧୀ ରାଜ୍ୟସଭା ଯିବା ପରେ ତାଙ୍କ ପାରମ୍ପରିକ ଆସନ ରାଏ-ବରେଲୀରୁ ଓ ନିଜ ପୂର୍ବ ଆସନ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢି ଦୁଇଟି ଆସନରେ ଭଲ ବ୍ୟବଧାନରେ ବିଜୟ ହୋଇଥିଲେ । ରାହୁଲଙ୍କ ପୂର୍ବତନ ପ୍ରତିଦ୍ବନ୍ଦ୍ବୀ ସ୍ମୃତି ଇରାନୀଙ୍କୁ ଏଥର ଆମେଠୀ ଆସନରୁ ପରାସ୍ତ ହେବାକୁ ପଡିଛି । ନିର୍ବାଚନୀ ସଫଳତା ସହ ରାହୁଲ ରାଜନୈତିକ କ୍ୟାରିୟରରେ ଆଉ ପାଦେ ଆଗକୁ ବଢିଛନ୍ତି । କଂଗ୍ରେସର ପ୍ରଧାନମନ୍ତ୍ରୀ ଚେହେରା ଭାବେ ଭାରତୀୟ ରାଜନୀତିରେ ଚର୍ଚ୍ଚିତ ଥିବା ରାହୁଲ ଚଳିତଥର ନିର୍ବାଚନୀ ସଫଳତା ସହ ସାମ୍ବିଧାନିକ ପଦବୀ ମଧ୍ୟ ଗ୍ରହଣ କରିଛନ୍ତି । ସଂସଦର ନିମ୍ନ ସଦନ ଲୋକସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି ରାହୁଲ ।
ଗାନ୍ଧୀ ପରିବାରରୁ ୩ ସାଂସଦ:-
କଂଗ୍ରେସର ଭେଟେରାନ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ରାଜ୍ୟସଭାକୁ ଯାଇଛନ୍ତି । ସେପଟେ ପୁଅ ରାହୁଲଙ୍କ ଇସ୍ତଫା ପରେ ଓ୍ବାୟନାଡରେ ହୋଇଥିବା ସଂସଦୀୟ ଉପ-ନିର୍ବାଚନରେ ଉଭଣୀ ପ୍ରିୟଙ୍କା ପ୍ରାୟ 4 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପ୍ରଥମ ବିଜୟ ହାସଲ କରିଛନ୍ତି । ଏବେ ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟ ତଥା ମା’ ସୋନିଆ, ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାକୁ ଦଖିବାକୁ ମିଳୁଛି । ଏହି ସମୀକରଣ ବିଶେଷ ଭାବେ କଂଗ୍ରେସ ପାର୍ଟି ଓ ବିରୋଧୀଙ୍କୁ ଆତ୍ମବିଶ୍ବାସ ଦେଇଛି ।
- 2024 ସାଧାରଣ ନିର୍ବାଚନ ତଥ୍ୟ:-
18ତମ ବା ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଗଣତନ୍ତ୍ରର ଜନନୀ କୁହାଯାଉଥିବା ସର୍ବବୃହତ୍ତ ଗାଣତାନ୍ତ୍ରିକ ଦେଶ ଭାରତ ଏଥର ଭୋଟ ଦେଇଛି । ମୋଟ ଜନସଂଖ୍ୟାର 96.8 କୋଟି (968 ନିୟୁତ) ମତଦାତାଙ୍କ ମଧ୍ୟରୁ 64.2 କୋଟି ଏହି ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ଅର୍ଥାତ 312 ନିୟୁତ ମହିଳା ରହିଛନ୍ତି । 1951-52 ମସିହାରେ ଦେଶରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନ ପ୍ରକ୍ରିୟା ପ୍ରାୟ ଦୁଇମାସ ଚାଲିଥିଲା । ସେହିପରି ଚଳିତବର୍ଷ 44 ଦିନିଆ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରି ଭାରତୀୟ ନିର୍ବାଚନୀ ବ୍ୟବସ୍ଥା ଓ ନିର୍ବାଚନ ଆୟୋଗ ସମଗ୍ର ବିଶ୍ବରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତବର୍ଷ ଏପ୍ରିଲ 19 ତାରିଖରୁ ଆରମ୍ଭ ହୋଇ ଜୁନ୍ ପହିଲା ପର୍ଯ୍ୟନ୍ତ ମୋଟ ସାତୋଟି ପର୍ଯ୍ୟାୟରେ ଏହି ନିର୍ବାଚନ ଶେଷ କରାଯାଇଥିଲା । ଫଳାଫଳ ଜୁନ୍ 4 ତାରିଖରେ ଘୋଷଣା କରାଯାଇଥିଲା ।
- ୭ ରାଜ୍ୟରେ ବିଧାନସଭା ନିର୍ବାଚନ :-
୨୦୨୪ ମସିହାରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଇଥିଲା । ଏଥିରେ ଏକାଧିକ ରାଜ୍ୟରେ କ୍ଷମତା ପରିବର୍ତ୍ତନ ଓ କିଛି ରାଜ୍ୟରେ କ୍ଷମତାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ରହିଛି ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ । ଧାରା 370 ଉଚ୍ଛେଦ ସହ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଦୀର୍ଘ 10 ବର୍ଷ ପରେ ବିଧାନସଭା ପାଇଁ ଭୋଟ ଦେଇଥିଲା କାଶ୍ମୀର । ହେଲେ ଏଥିରେ ଭାରତୀୟ ଜନତା ପାର୍ଟିର କ୍ଷମତା ହାସଲ ସ୍ବପ୍ନ ଅଧା ରହିଛି । ପୁଣି ଥରେ ଫାରୁକ ଅବଦୁଲ୍ଲା ନେତୃତ୍ବାଧୀନ ନ୍ୟାସନାଲ କନଫରେନ୍ସ କ୍ଷମତା ହାସଲ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପୁଣି କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ପଦ ଗ୍ରହଣ କରିଛନ୍ତି । ସେହିପରି ୨୦୨୪ ମସିହାରେ ଲୋକସଭା ସାଧାରଣ ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରେ ହରିୟାଣା ମହାରାଷ୍ଟ୍ର, ଝାଡଖଣ୍ଡରେ ମଧ୍ୟ ନିର୍ବାଚନ ହୋଇଥିଲା ।
ବିଧାନସଭା ନିର୍ବାଚନ ୨୦୨୪:
1. ଓଡ଼ିଶା :
ସର୍ବାଧିକ ଚର୍ଚ୍ଚାରେ ଥିଲା ଓଡ଼ିଶା ବିଧାନସଭା ନିର୍ବାଚନ । ଦୀର୍ଘ 24 ବର୍ଷ ପରେ ବର୍ଷ 2024ରେ ଓଡିଶା କ୍ଷମତା ପରିବର୍ତ୍ତନ ଦେଖିଛି । ଏକଦା ଅତ୍ୟନ୍ତ ଲୋକପ୍ରିୟ ଓ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ପରିଗଣିତ ହେଉଥିବା ନବୀନ ପଟ୍ଟାନାୟକ ପରାଜିତ ହେବା ସହ ଦଳ ‘ବିଜେଡି’ ମଧ୍ୟ କ୍ଷମତାକୁ ହଟିଛି । ଚାରିଟି ପର୍ଯ୍ୟାୟରେ ତଥା ମେ’ ୧୩, ୨୦, ୨୫ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହୋଇଥିଲା । 2000 ରୁ 2009 ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସହଯୋଗୀ ଥିବା ଭାରତୀୟ ଜନତା ପାର୍ଟି ଏଥର ରାଜ୍ୟରେ ପ୍ରଥମ ଥର ଏକକ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିଛି । ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବିଜେପି କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ସରପ୍ରାଇଜ ସିଏମ କାର୍ଡ ଖେଳିଛନ୍ତି ।
ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) 78 ଟି ଆସନରେ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି 51 ଆସନ ଓ କଂଗ୍ରେସ 14 ଆସନରେ ବିଜୟୀ ହୋଇଛନ୍ତି । ସେହପରି CPI(M) ଗୋଟିଏ ଆସନ ଓ 3 ସ୍ବାଧୀନ ବିଧାୟକ ବିଜୟୀ ହୋଇଛନ୍ତି ।
2. ଜମ୍ମୁ ଓ କାଶ୍ମୀର:
କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ ପରେ ପ୍ରଥମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲା ଘାଟି । ଜାତୀୟ କାନ୍ଫରେନ୍ସ ଓ କଂଗ୍ରେସ ମିଳିତ ଭାବେ କ୍ଷମତା ହାସଲ କରିଛନ୍ତି । ନ୍ୟାସନାଲ କନଫରେନ୍ସ (NC) ଓ କଂଗ୍ରେସ ମେଣ୍ଟ ୪୯ଟି ଆସନରେ ବିଜୟ ହୋଇଥିଲା । ଏଥିରେ NC ୪୨ଟି ଆସନ ଓ କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ରାଜ୍ୟରେ ଏନସି ସରକାର ଗଠନ କରିଥିବା ବେଳେ କଂଗ୍ରେସ ଏକ ସହଯୋଗୀ ଭୂମିକାରେ ରହିଛି ।
3. ହରିୟାଣା:
ହରିୟାଣାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । 2014 ରୁ ଦୀର୍ଘ 10 ବର୍ଷ ଧରି କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ସତ୍ତା ବିରୋଧୀ ହାଓ୍ବାର ସମ୍ମୁଖୀନ ହୋଇ କ୍ଷମତା ହରାଇବା ଚର୍ଚ୍ଚା ମଧ୍ୟରେ ଫଳାଫଳ କିନ୍ତୁ ବିପରୀତ ହୋଇଥିଲା । ବିଜେପି ୪୮ ଆସନରେ ବିଜୟୀ ହେଇ ସରକାର ଗଠନ କରିଛି । କଂଗ୍ରେସ ୩୭ ଆସନରେ ବିଜୟୀ ହୋଇଛି । ସ୍ୱାଧୀନ ପ୍ରାର୍ଥୀମାନେ ୩ ଆସନ ହାତେଇଛନ୍ତି । ପୂର୍ବଥର ମୁଖ୍ୟମନ୍ତ୍ରୀ ଥିବା ଯୁବ ଚେହେରା ନାଏବ ସିଂ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କେନ୍ଦ୍ରରେ ସ୍ଥାନ ମିଳିଛି ।
4. ମହାରାଷ୍ଟ୍ର:
ତ୍ରିକୋଣୀୟ ମେଣ୍ଟ ଶାସନରେ ଥିବା ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ତେବେ ଏଠାରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ପୁଣି ଶାସନ କ୍ଷମତା ହାସଲ କରିଛି । ମେଣ୍ଟରେ ବିଜେପି ଶୀର୍ଷ ସ୍ଥାନ ସହ ୧୩୨ ଆସନ ଜିତିଛି । ଶିବସେନା (ସିନ୍ଦେ ଗୋଷ୍ଠୀ) ୫୭ଟି ଆସନ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ୪୧ ଟି ଆସନରେ ବିଜୟୀ ହୋଇଛନ୍ତି । ବିରୋଧୀ ମେଣ୍ଟ ‘ମହାବିକାଶ ଅଗାଡି’ର ନେତୃତ୍ବକାରୀ ଦଳ କଂଗ୍ରେସ ମାତ୍ର 16ଟି ଆସନରେ ଜିତିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ସିନ୍ଦେ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ଏଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
5. ଝାଡ଼ଖଣ୍ଡ:
ଆଦିବାସୀବହୁଳ ଝାଡ଼ଖଣ୍ଡରେ ଏଥର ନାଟକୀୟ ଢଙ୍ଗରେ ପୁଣି ଥରେ ସୋରେନ ପରିବାର ନେତୃତ୍ବାଧୀନ ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କ୍ଷମତା ବଦଜାୟ ରଖିଛି । ଜମି ଘୋଟାଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହୋଇ ଜେଲରୁ ବେଲରେ ଫେରି ପୁଣି ଥରେ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ହେମନ୍ତ ସୋରେନ ବାଜିମାତ କରିଛନ୍ତି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଦୂରରେ ରହିବାକୁ ବାଧ୍ୟ ହୋଇଛି । ‘ଜେଏମଏମ’ ୩୪ ଆସନରେ ଜିତି ସରକାର ଗଠନ କରିଥିବା ବେଳେ ବିଜେପି ୨୧ ଆସନ ସହ ବିରୋଧୀ ଭୂମିକାରେ ରହିବାକୁ ବାଧ୍ୟ ହୋଇଛି ।
6. ଆନ୍ଧ୍ର ପ୍ରଦେଶ
ଏଥର କ୍ଷମତା ପରିବର୍ତ୍ତନ ଦେଖିଛି ଦକ୍ଷିଣ-ଭାରତର ଦ୍ବାର ରାଜ୍ୟ ଆନ୍ଧ୍ର ପ୍ରଦେଶ । ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ଓ୍ବାଏସଆର କଂଗ୍ରେସ କ୍ଷମତାରୁ ହଟିବା ସହ ଜେଲରୁ ଫେରିଥିବା ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନାଇଡୁଙ୍କ ଟିଡିପି, ବିଜେପି ଓ ଜନସେନା ପାର୍ଟି ମିଳିତ ଭାବେ ସରକାର ଗଠନ କରିଛନ୍ତି । ମୋଟ 175 ଆସନ ମଧ୍ୟରୁ ଏନଡିଏ ମୋଟ 164 ଆସନରେ ବିଜୟ ଲାଭ କରିଛି । ‘ଟିଡିପି’ ସବୁଠୁ ବଡ ଦଳ ଭାବେ 135 ଆସନ, ପବନ କଲ୍ୟାଣଙ୍କ ‘ଜନସେନା ପାର୍ଟି 21’ ଓ ବିଜେପି ମାତ୍ର 8 ଟି ଆସନରେ ବିଜୟ ଲାଭ କରିଛି । କ୍ଷମତାରେ ଥିବା ଜଗନ ରେଡ୍ଡୀଙ୍କ ‘ଓ୍ବାଇଏସଆର-କଂଗ୍ରେସ’ ମାତ୍ର 11 ଆସନ ଜିତି ବିରୋଧୀ ଆସନରେ ସୀମିତ ହୋଇ ରହିଯାଇଛି ।
7. ଅରୁଣାଚଳ ପ୍ରଦେଶ:
ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଚଳିତଥର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଛି । ଭାରତୀୟ ଜନତା ପାର୍ଟି (BJP) ମୋଟ 60 ଆସନ ମଧ୍ୟରୁ 46ଟି ଆସନରେ ଜିତିବାରେ ସଫଳ ହୋଇଛି । ଏହା ସହ, ପେମା ଖାଣ୍ଡୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଗ୍ରହଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ