ଭୁବନେଶ୍ୱର: ଜାନୁଆରୀରେ ୨ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଜାନୁଆରୀ ୨୮ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ ୨୦୨ ଉଦଘାଟନ ହେବାକୁ ଯାଉଛି । ଏହି ଉତ୍ସବରେ ଯୋଗଦେଇ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ର ଅଫିସିଆଲ ୱେବସାଇଟ ଉନ୍ମୋଚନ କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର କହିଛନ୍ତି,"ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଏକ କାର୍ଯ୍ୟକ୍ରମ ନୁହେଁ, ଏକ ଆନ୍ଦୋଳନରେ ପରିଣତ ହେବ ।
ସମ୍ମିଳନୀରେ ସାମିଲ ହେବେ ୫୦୦ ବିଦେଶୀ ନିବେଶକ
ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଅନୁଷ୍ଠିତ ହେବ ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାଇଲଖୁଣ୍ଟ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଏହି ସମ୍ମିଳନୀରେ ଭାଗ ନେବେ ୫୦୦ ବିଦେଶୀ ନିବେଶକଙ୍କ ସହ ୫୦ ହଜାର ନିବେଶକ । ଶିଳ୍ପସଂଘ CII ଏଥର ଉତ୍କର୍ଷ ଓଡ଼ିଶା କନକ୍ଲେଭର ନ୍ୟାସନାଲ ଇଣ୍ଡଷ୍ଟ୍ରି ପାର୍ଟନର ରହିଛି । ୧୨ ରାଷ୍ଟ୍ର ରହିବେ କଣ୍ଟ୍ରି ଇନ୍ ଫୋକସ । ନୂଆ ସରକାର ଆସିବା ପରେ ରୋଡ ସୋ ଜରିଆରେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି । ଯେଉଁଥିରେ ୧ ଲକ୍ଷ ୧୦ ହଜାର ନିଯୁକ୍ତି ସମ୍ଭାବନା ରହିଛି ।
ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ
ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଅଫିସିଆଲ ୱେବସାଇଟ୍ ଉନ୍ମୋଚନ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇପିକଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୁପିନ୍ଦର ସିଂ ପୁନିଆ ଓ ରାଜ୍ୟର ସବୁ ଶିଳ୍ପସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଛି ଉତ୍କର୍ଷ ଓଡ଼ିଶା ୱେବସାଇଟ । ୱେବସାଇଟରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦାନ ଓ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନାମ ପଞ୍ଜିକରଣ ବ୍ୟବସ୍ଥା ତଥା ସମ୍ମିଳନୀ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ । ଏମିତିକି ଏଥର ୱେବସାଇଟରେ ନିବେଶକଙ୍କ ଲାଗି ନିବେଶ ଆଗ୍ରହ ନେଇ ପଞ୍ଜିକରଣ ବ୍ୟବସ୍ଥା ସହ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ପାଇଁ ବ୍ୟବସ୍ଥା ରହିଛି । ଯାହାକି ଶିଳ୍ପ ସଂସ୍ଥାଙ୍କ ଲାଗି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଦୀର୍ଘମିଆଦୀ ନିୟୋଜନ ସହ ପୁଞ୍ଜି ନିବେଶକୁ ଅଧିକ ସରଳ ଓ ସ୍ୱଚ୍ଛ କରିବ ।

QR କୋଡ ସ୍କାନ କଲେ ମିଳିବ ଉତ୍କର୍ଷ ଓଡ଼ିଶା ସମ୍ପର୍କିତ ସମସ୍ତ ତଥ୍ୟ
ୱେବସାଇଟରେ ପଞ୍ଜିକରଣ ପରେ QR କୋଡ ସ୍କାନ କରି ଉତ୍କର୍ଷ ଓଡ଼ିଶା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ନିବେଶକ ଓ ଅଂଶଗ୍ରହଣକାରୀ । ୱେବସାଇଟ ହେଉଛି mio.investodisha.gov.in । ନୂଆ ଟେକ୍ନୋଲୋଜି ବ୍ୟବହାରରେ ପ୍ରସ୍ତୁତ ହୋଇଛି ଏହି ୱେବସାଇଟ । ଏହି ୱେବସାଇଟ ଲଙ୍ଗ ଟର୍ମ ରହିବ, ଯାହାକି ନିବେଶକଙ୍କୁ ସହଯୋଗ କରିବ । ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, "ନିବେଶକଙ୍କୁ ଏହି ୱେବସାଇଟ ବେଶ ସହାୟକ ହେବ । ଉତ୍କଷ ଓଡିଶା କାର୍ଯ୍ୟକ୍ରମ ନୁହେଁ, ଏକ ଆନ୍ଦୋଳନରେ ପରିଣତ ହେବ । ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହ ନିଯୁକ୍ତି କ୍ଷେତ୍ରରେ ଓଡିଶା ଆହୁରି ଆଗକୁ ଯିବ । ୫୦ ହଜାରରୁ ଊର୍ଦ୍ଧ୍ବ ଶିଳ୍ପ ପ୍ରତିନିଧି ଏଥିରେ ସାମିଲ ହେବେ । ସେହିପରି ୫ ଶହରୁ ଅଧିକ ବିଦେଶୀ ପ୍ରତିନିଧି ଯୋଗ ଦେବେ ।"

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, "ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ମାଇନିଂ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଏକ୍ସପୋର୍ଟ, ଟେକ୍ସଟାଇଲ, ପେଟ୍ରୋକେମିକାଲ, କେମିକାଲ ପରି ଫୋକ୍ସ ଏରିଆ ସେକ୍ସନ ପ୍ଲାନ କରାଯାଇଛି । ଏ କ୍ଷେତ୍ରରେ ଅଗ୍ରଣୀ ନିବେଶକ ମାନେ ଭାରତ ଓ ଭାରତ ବାହାରର ସାମିଲ ହେବେ । ଦିଲ୍ଲୀ, ମୁମ୍ବାଇ ଓ ସିଙ୍ଗାପୁର ରୋଡ଼ ସୋ'ରେ ଆଗ୍ରହ ପ୍ରକାଶ କରିଥିବା ନିବେଶକ ମଧ୍ୟ ସାମିଲ ହେବେ । ଲଣ୍ଡନରେ ପର୍ଯ୍ୟଟନ, ବେଙ୍ଗଲୁରୁରେ ଆଇଟି ବିଭାଗ ରୋଡ଼ ସୋ' କରିଥିଲେ । ସେଥିରେ ଆଗ୍ରହ ପ୍ରକାଶ କରିଥିବା ନିବେଶକ ମଧ୍ୟ ଆସିବେ । ସିଙ୍ଗାପୁର, ଜାପାନ, କୋରିଆ, ଅଷ୍ଟ୍ରେଲିଆ, ୟୁଏସଏ, ୟୁରୋପ ଏବଂ ମିଡ଼ିଲ ଇଷ୍ଟର ବିଭିନ୍ନ ଦେଶର ପ୍ରତିନିଧି କାର୍ଯ୍ୟକ୍ରମରେ ସାମିଲ ହେବେ ।"
ଇଟିଭି ଭାରତ, ଭୁବନେଶ୍ୱର