ଚଣ୍ଡିଗଡ଼: ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, 1957 ମସିହାରେ ସଂସଦରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର 5.4 ପ୍ରତିଶତ ଥିଲା । 2019 ସୁଦ୍ଧା ଏହା 14.4 ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏବେ ଏହି ଭାଗିଦାରୀ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯଦିଓ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ଅଂଶଗ୍ରହଣ ବହୁତ କମ ରହିଛି, କିନ୍ତୁ ଯେଉଁ ମହିଳାମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସାଂସଦ ହୋଇଛନ୍ତି ସେ ହେବିୱେଟଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛନ୍ତି । ଏପରି ଜଣେ ମହିଳା ସାଂସଦ ଥିଲେ ସୁଭଦ୍ରା ଯୋଶୀ । ଯିଏ ଉତ୍ତର ପ୍ରଦେଶର ବଳରାମପୁର ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମାତ ଦେଇ ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟଚକିତ ।
କର୍ଣ୍ଣଲ ଲୋକସଭା ଆସନରୁ ଲଢିଥିଲେ ପ୍ରଥମ ନିର୍ବାଚନ:- ସୁଭଦ୍ରା ଯୋଶୀ ହରିୟାଣାର ଲୋକସଭା ଆସନରୁ ପ୍ରଥମ ନିର୍ବାଚନରେ ବିଜୟୀ ହୋଇଥିଲେ । ଯାହା ପରେ ସେ ଆଉ ପଛକୁ ଚାହିଁ ନଥିଲେ । ହରିୟାଣାର କର୍ଣ୍ଣଲ ଲୋକସଭା ଆସନ ପୂର୍ବରୁ ପଞ୍ଜାବ ଅଧୀନରେ ଆସୁଥିଲା । ସୁଭଦ୍ରା ଯୋଶୀ ପ୍ରଥମ ଥର ପାଇଁ ଏହି ଆସନରୁ ଜିତି ସାଂସଦ ହୋଇଥିଲେ । 1957 ଲୋକସଭା ନିର୍ବାଚନରେ କଂଗ୍ରେସ ତାଙ୍କୁ କର୍ଣ୍ଣଲ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ଏହି ଆସନରେ ସୁଭଦ୍ରା ଯୋଶୀ ଭାରତୀୟ ଜନ ସଂଗଠନର ବିରେନ୍ଦ୍ର ସତ୍ୟବାଦୀଙ୍କୁ ପରାସ୍ତ କରିଥିଲେ ।
ସାମାଜିକ କାର୍ଯ୍ୟ ମାଧ୍ୟମରେ ହାସଲ କରିଥିଲେ ଲୋକପ୍ରିୟତା:- କର୍ଣ୍ଣଲ ଲୋକସଭା ଆସନରୁ ସୁଭଦ୍ରା ଯୋଶୀ ପ୍ରଥମ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏହି ବିଜୟ ପରେ ସୁଭଦ୍ରା ଯୋଶୀ ନିଜର କାର୍ଯ୍ୟ ଦ୍ବାରା ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ପାକିସ୍ତାନର ସିୟାଲକୋଟରେ ଜନ୍ମଗ୍ରହଣ କରିଥିଲେ । ସେ ପାକିସ୍ତାନରୁ ମଧ୍ୟ ଶିକ୍ଷା ସମାପ୍ତ କରିଥିଲେ । କିନ୍ତୁ ବିଭାଜନ ସମୟରେ ସେ ଏବଂ ତାଙ୍କ ପରିବାର ଭାରତକୁ ଚାଲି ଆସିଥିଲେ । ଭାରତ ଆସିବା ପରେ ସେ ସମାଜ ସେବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଯେଉଁଥିପାଇଁ ସେ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଥିଲେ ।
ବଳରାମପୁରରୁ ପାଇଥିଲେ କଂଗ୍ରେସ ଟିକେଟ:- 1962 ମସିହାରେ ଲୋକସଭା ନିର୍ବାଚନ ବିଗୁଲ ବାଜିଥିଲା । କଂଗ୍ରେସ ଏବଂ ଭାରତୀୟ ଜନସଂଘ ପାର୍ଟି ମଧ୍ୟରେ ମହାଲଢେଇ ହେବା ବୋଲି ଚର୍ଚ୍ଚା ଜୋର ଧରିଲା । ଏଥର ଭାରତୀୟ ଜନସଂଘ ପାର୍ଟି ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କୁ ଉତ୍ତରପ୍ରଦେଶର ବଳରାମପୁର ଆସନରୁ ପ୍ରାର୍ଥୀ କରାଯାଇଥିଲା । ସେପଟେ କଂଗ୍ରେସ ଦଳର କୌଣସି ବଡ଼ ଚେହେରା ନଥିଲା, ଯିଏ ଅଟଳ ବିହାରୀ ବାଜପେୟୀଙ୍କୁ ପରାସ୍ତ କରିପାରିବ । ଏହାପରେ ଦଳ ସୁଭଦ୍ରାଙ୍କ ଉପରେ ଭରସା କରିଥିଲା । ତେବେ ନିର୍ବାଚନୀ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ସୁଭଦ୍ରା ବାଜପେୟୀଙ୍କୁ ମାତ ଦେଇଥିଲେ ।
ଏହା ବି ପଢନ୍ତୁ- ନବରଙ୍ଗପୁର ନିର୍ବାଚନ ମୈଦାନରେ ବାପ-ଝିଅ, ଭୂଜବଳ ଲୋକସଭା ଓ ଲିପିକା ବିଧାନସଭା ପ୍ରାର୍ଥୀ
ଚାନ୍ଦନୀ ଚୌକ ଆସନରୁ ବି ଥିଲେ ସାଂସଦ:- 1967 ଲୋକସଭା ନିର୍ବାଚନରେ ଅଟଳ ବିହାରୀ ବାଜପେୟୀ ସୁଭଦ୍ରା ଯୋଶୀଙ୍କଠାରୁ ପରାଜୟର ପ୍ରତିଶୋଧ ନେଇଥିଲେ ଏବଂ ତାଙ୍କୁ ବଳରାମପୁର ଆସନରୁ ପରାସ୍ତ କରିଥିଲେ । 1971 ମସିହାରେ ପୁଣିଥରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସୁଭଦ୍ରା ଯୋଶୀ ପୁଣି ଥରେ କଂଗ୍ରେସକୁ ବିଜୟୀ କରାଥିଲେ । 1977 ମସିହାରେ ସୁଭଦ୍ରା ଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ନିର୍ବାଚନମଣ୍ଡଳୀରୁ ସିକନ୍ଦର ବଖ୍ତଙ୍କୁ ପରାସ୍ତ କରିଥିଲେ । ଏହା ପରେ ସେ ନିଜକୁ ରାଜନୀତିଠୁ ଦୂରେଇ ରଖିଥିଲେ । ଏହାପରେ ସେ ସମାଜ ସେବା କରିଥିଲେ ।
ସୁଭଦ୍ରା ଯୋଶୀଙ୍କ ଜନ୍ମସ୍ଥାନ:- ସୁଭଦ୍ରା ଯୋଶୀ 23 ମାର୍ଚ୍ଚ 1919 ମସିହାରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବି.ଏନ ଦତ୍ତା ଜୟପୁରରେ ଜଣେ ପୋଲିସ ଅଧିକାରୀ ଥିଲେ । ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ସୁଭଦ୍ରା ଅନୁପ୍ରାଣିତ ହୋଇଥିଲେ । 1942 ମସିହାରେ ସେ ଭାରତ ଛାଡ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ । ଦୀର୍ଘ ଦିନର ଅସୁସ୍ଥତା ପରେ 2003ରେ ରାମ ମନୋହର ଲୋହିଆ ହସ୍ପିଟାଲରେ ସୁଭଦ୍ରା ଯୋଶୀଙ୍କର 84 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ସେ ଜଣେ ସାମାଜିକ କର୍ମୀ ଭାବରେ ତାଙ୍କର ସମସ୍ତ ଜୀବନକୁ ଜନସେବାରେ ଉତ୍ସର୍ଗୀକୃତ କରିଥିଲେ । ତାଙ୍କର କୌଣସି ସନ୍ତାନ ନ ଥିଲା । ତାଙ୍କ କାର୍ଯ୍ୟ ଓ ବଳିଦାନକୁ ଦୃଷ୍ଟିରେ ରଖି 23 ମାର୍ଚ୍ଚ 2011ରେ ତାଙ୍କ ଜନ୍ମ ବାର୍ଷିକୀରେ ଡାକ ବିଭାଗ ତାଙ୍କ ସମ୍ମାନାର୍ଥେ ଏକ ସ୍ମରଣୀୟ ଡାକ ଷ୍ଟାମ୍ପ ଜାରି କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ