ହାଇଦ୍ରାବାଦ: ଆହୁରି ବ୍ୟାପକ ହେଲା ବନ୍ଦେ ଭାରତ ସେବା । ବନ୍ଦେ ଭାରତ ସ୍ଲିପର ଟ୍ରେନ ସହ ବନ୍ଦେ ଭାରତ ମେଟ୍ରୋର ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ(Indian Railways) । ବନ୍ଦେ ଭାରତ ରେଳବାଇ ପାଇଁ ଏକ ଗେମ୍ ଚେଞ୍ଜର ହୋଇ ଉଭା ହୋଇଛି । କାରଣ ଅତି ଦୂର ଯାତ୍ରାକୁ ବି ସହଜ କରିବାରେ ସହାୟକ ହେଉଛି ବନ୍ଦେ ଭାରତ (Vande Bharat) । ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ କେଉଁ ରୁଟରେ ଗଡିବ, ବନ୍ଦେ ଭାରତ ମେଟ୍ରୋରେ କେଉଁ ସବୁ ସୁବିଧା ଉପଲବ୍ଧ ହେବ ଆସନ୍ତୁ ଜାଣିବା ।
ବନ୍ଦେ ଭାରତ ଏକ୍ସପ୍ରେସ :
15 ଫେବ୍ରୁଆରୀ ୨୦୧୯ରେ ଉଦଘାଟିତ ହୋଇଥିଲା ଏହି ସ୍ବତନ୍ତ୍ର ଟ୍ରେନ । ଏହି ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଭାରତୀୟ ରେଳବାଇ ପାଇଁ ପ୍ରଗତିର ପ୍ରତୀକ । ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୮୦ରୁ ଅଧିକ ଜିଲ୍ଲାରେ ଗଡୁଛି ବନ୍ଦେ ଭାରତ । ୫୪ ଟ୍ରେନର ସଞ୍ଚାଳିତ ହେଉଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୩୫ ହଜାରରୁ ଅଧିକ ଯାତ୍ରା ପୂରା କରିସାରିଲାଣି ଏହି ଏକ୍ସପ୍ରେସ ।
ବନ୍ଦେ ମେଟ୍ରୋ:
ଖୁବ ଶୀଘ୍ର ଗଡ଼ିବ ବନ୍ଦେ ମେଟ୍ରୋ (Bande Metro) । ଭାରତୀୟ ରେଳବାଇ ସହରର ଯାତ୍ରୀଙ୍କ ସୁବିଧା ପାଇଁ ଆରମ୍ଭ କରିବାକୁ ଯାଉଛି ବନ୍ଦେ ମେଟ୍ରୋ । ଯାହାକି ୩-୪ ଘଣ୍ଟା ମଧ୍ୟରେ ପାଖାପାଖି ୧୫୦ କିଲୋମିଟର ଯାତ୍ରା କରିବ । ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଗତି କରିବାକୁ ଥିବା ଏହି ମେଟ୍ରୋ ଟ୍ରେନ ସହରରେ ଯିବା ଆସିବା ଆହୁରି ସୁଗମ କରିବ । ଏଥିରେ ଥିବା ୧୨ଟି ବଗିର ୧ ହଜାର ୧୫୦ ଜଣ ଯାତ୍ରୀ ବସିପାରିବେ । ଏହାସହ ସୁରକ୍ଷିତ ତଥା ଆନନ୍ଦଦାୟକ ଯାତ୍ରା ଉପଭୋଗ କରିପାରିବେ ।
ବନ୍ଦେ ଭାରତ ସ୍ଲିପର ଟ୍ରେନ:
ଦୂରଯାତ୍ରା ପାଇଁ ଗେମ ଚେଞ୍ଜର ହେବ ବନ୍ଦେ ଭାରତ ସ୍ଲିପର ଟ୍ରେନ(Bande Bharat Slipper Train) । ଉନ୍ନତ କାର୍ଯ୍ୟକ୍ଷମତା ବିଶିଷ୍ଟ ଏହି ଟ୍ରେନ ଆରାମ ଦାୟକ ଯାତ୍ରା ପ୍ରଦାନ କରିବ । ଦୁର୍ଘଟଣା ପ୍ରତିରୋଧ ପାଇଁ ଏଥିରେ ବିଭିନ୍ନ ପ୍ରକାର ଡିଜାଇନ କରାଯାଇଥିବାବେଳେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।
ବନ୍ଦେ ଟ୍ରିଓ (Trio):
ବନ୍ଦେ ଭାରତ ଏକ୍ସପ୍ରେସ ଓ ବନ୍ଦେ ମେଟ୍ରୋ ପରେ ଆରମ୍ଭ ହେବ ବନ୍ଦେ ଟ୍ରିଓ ( Bande Trio) । ଏହା ଯେ କେବଳ ମେକ୍ ଇନ ଇଣ୍ଡିଆର ସଫଳତାକୁ ଦର୍ଶାଉଛି ତା ନୁହେଁ ବରଂ ଗତି, ସୁରକ୍ଷା ଏବଂ ସେବା ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବାକୁ ଯାଉଛି । ଉନ୍ନତ ଜ୍ଞନକୌଶଳ ସାହାଯ୍ୟରେ ଲମ୍ବା ଯାତ୍ରାକୁ ସହଜ ଓ ସୁଗମ କରିବାରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।
ଏହି ରୁଟ୍ ଦେଇ ଚାଲିବ ବନ୍ଦେ ଭାରତ ସ୍ଲିପର:
ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ସ୍ଲିପର ଟ୍ରେନ ମୁମ୍ବାଇରୁ ଦିଲ୍ଲୀ ମଧ୍ୟରେ ଚାଲିବ । ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଏହା ଯାତ୍ରା କରିବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହି ଟ୍ରେନ ରାଜଧାନୀ ଭଳି ଟ୍ରେନର ବିକଳ୍ପ ଭାବେ ଉଭା ହେବ ।" ସୂଚନା ଅନୁସାରେ, ମୁମ୍ବାଇରୁ ନୂଆଦିଲ୍ଲୀ ପହଞ୍ଚିବାକୁ ରାଜଧାନୀ ଏକ୍ସପ୍ରେସ ୧୬ ଘଣ୍ଟା ସମୟ ନେଉଥିବାବେଳେ ବନ୍ଦେ ଭାରତ ସ୍ଲିପର ମାତ୍ର ୧୨ ଘଣ୍ଟାରେ ପହଞ୍ଚିପାରିବ ।
ଆଗ୍ରାରୁ ବାରାଣସୀ ଗଡ଼ିବ ବନ୍ଦେ ଭାରତ କବଚ 4.0( Bande Kavach):
ଉତ୍ତରପ୍ରଦେଶର ଆଗ୍ରାରୁ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା ହେବ ସହଜ । ଆଉ ଆଗ ଭଳି ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । କାରଣ ଆଗ୍ରାରୁ ବାରଣାସୀ ମଧ୍ୟରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ । ଏଥିରେ ଲାଗିଥିବା ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ (ATP) ଦ୍ବାରା ସୁରକ୍ଷା ଆହୁରି ସଶକ୍ତ ହେବ । ଏହା କେବେଠାରୁ ଚାଲିବ ସେନେଇ ଖୁବଶୀଘ୍ର ରେଳବାଇ ପକ୍ଷରୁ ତାରିଖ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ମାତ୍ର ୭ ଘଣ୍ଟାରେ ପହଞ୍ଚିବେ ବାରାଣସୀ:
କାଶୀ ବିଶ୍ବନାଥ ଦର୍ଶନ କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସଦୃଶ ଦେବ । ମାତ୍ର ୭ ଘଣ୍ଟାରେ ସେମାନେ ବାରାଣସୀରେ ପହଞ୍ଚିପାରିବେ । ସପ୍ତାହରେ କେବଳ ଶୁକ୍ରବାର ବ୍ୟତୀତ ଅନ୍ୟ ୬ ଦିନ ଚାଲିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ । ଏହା ଆଗ୍ରା ଷ୍ଟେସନରୁ ସକାଳ ୬ଟାରୁ ବାହାରିବ ଓ ୬ଟା ୪୮ ସୁଦ୍ଧା ଟୁଣ୍ଡଲାରେ ପହଞ୍ଚିବ । ସେହିପରି ୭ଟା ୪୦ରେ ଇଟାୱା ଏବଂ ୯ଟା ୧୫ରେ କାନପୁରରେ ପହଞ୍ଚିବ । ୧୧ଟା ୨୫ରେ ପ୍ରୟାଗରାଜ ଏବଂ ଦିନ ଗୋଟାଏରେ ବନାରସରେ ପହଞ୍ଚିବ ବୋଲି ଜଣାପଡ଼ିଛି । ସେହିପରି ବାରାଣସୀରୁ ୩ଟା ୨୦ରୁ ବାହାରି ୪ଟା ୫୦ରେ ପ୍ରୟାଗରାଜ ଏବଂ ୬ଟା ୫୭ରେ କାନପୁର ସେଣ୍ଟ୍ରାଲ, ୮ଟା ୧୭ରେ ଇଟାୱା ଏବଂ ୯ଟା ୩୦ରେ ଟୁଣ୍ଡଲ ଜନକ୍ସନ ଦେଇ ୧୦ଟା ୨୦ବେଳକୁ ଆଗ୍ରାରେ ପହଞ୍ଚିବ ।