ଭୋପାଳ: ପ୍ରେମ ଅଢେଇ ଅକ୍ଷର । କହିବାକୁ ଗଲେ ପ୍ରେମ ତ ଅନ୍ଧ, ପ୍ରେମ ପାଖରେ କୌଣସି ଜାତି, ଧର୍ମ, ବୟସ, ବର୍ଣ୍ଣ କିମ୍ବା ଅକ୍ଷମତାର ମାନେ ନଥାଏ । କୁହାଯାଏ ମନ ସହ ମନ ମିଶିଗଲା ପ୍ରେମ ହୋଇଯାଏ । ପ୍ରେମର ପ୍ରତୀକ ଭାବରେ ଲୋକମାନେ ଭାଲାଣ୍ଟାଇନ୍ ଡେ' ପାଳନ କରନ୍ତି । ତେବେ ଭଲପାଇବାକୁ ନେଇ ଆପଣମାନେ ଅନେକ କାହାଣୀ ଦେଖିଥିବେ ଓ ଶୁଣିଥିବେ ନିଶ୍ଚୟ । ହେଲେ ମଧ୍ୟପ୍ରଦେଶର ଦୁଇ ପ୍ରେମପକ୍ଷୀଙ୍କ କାହାଣୀ ବେଶ ନିଆରା । ଦୁହେଁ ଦୁହିଁକୁ ଦେଖିନାହାନ୍ତି ସତ କିନ୍ତୁ ପରସ୍ପରର ମନର ଭାଷାକୁ ବୁଝିପାରନ୍ତି । ଆଖି ଦେଖିନାହିଁ ସାଥି, ହେଲେ ଅନୁଭବ ହୋଇଛି ପ୍ରେମ । ଜୀବନସାଥୀକୁ ସ୍ବତନ୍ତ୍ର ଅନୁଭବ କରିବା ସହିତ ଶାଶ୍ବତ ପ୍ରେମକୁ ପରିପ୍ରକାଶ କରିବା ପାଇଁ ବିଦେଶରୁ ଗୋଲାପ ମଗାଇଛନ୍ତି ମଧ୍ୟପ୍ରଦେଶ ଛିଣ୍ଡୱାରା ଚନ୍ଦନ ଗାଁର ରାଜେନ୍ଦ୍ର ।
ମଧ୍ୟପ୍ରଦେଶ ଛିଣ୍ଡୱାରା ଚନ୍ଦନ ଗାଁର ବାସିନ୍ଦା ରାଜେନ୍ଦ୍ର କୈଥୱାର ପେଶାରେ ଜଣେ ଶିକ୍ଷକ । ରାଜେନ୍ଦ୍ର ପିଲାଟି ଦିନରୁ ହିଁ ତାଙ୍କର ଦୃଷ୍ଟିଶକ୍ତି ହରାଇଛନ୍ତି । ନିଜ ପରିଶ୍ରମ ଓ ନିଷ୍ଠା ବଳରେ ପାଠପଢ଼ି ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବରେ ଚାକିରି କରିଥିଲେ । ଦୁନିଆକୁ ଦେଖିପାରୁନଥିବା ରାଜେନ୍ଦ୍ରଙ୍କ ମନରେ ଅବଶୋଷ ଥିଲା । କିନ୍ତୁ ନିରନ୍ତନ ଶିକ୍ଷାର ଆଲୋକରେ ସମସ୍ତଙ୍କୁ ଆଲୋକିତ କରୁଥିଲେ । ଏହାରି ଭିତରେ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଦୁର୍ଗା ଯାଦବ ନାମକ ଜଣେ ଯୁବତୀଙ୍କ ସହ ରାଜେନ୍ଦ୍ରଙ୍କ ପରିଚୟ ହୋଇଥିଲା । ତେବେ ସବୁଠାରୁ ରୋଚକ ଥିଲା ଦୁର୍ଗା ମଧ୍ୟ ନିଜ ଆଖିରେ ଦୁନିଆ ଦେଖିପାରନ୍ତି ନାହିଁ । ଏହାରି ଭିତରେ ଦୁହିଁଙ୍କ ମଧ୍ୟରେ ଧିରେ ଧିରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହେଁ ପ୍ରେମରେ ପଡିଥିଲେ । ଆଉ ମିଜ ପ୍ରେମକୁ ସ୍ବୀକୃତି ଦେବା ପାଇଁ 2010 ମସିହାରେ ରାଜେନ୍ଦ୍ର ଓ ଦୁର୍ଗା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ନିଜ ଭଲପାଇବାକୁ ପରିପ୍ରକାଶ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟରେ ପ୍ରେମର ଦିବସ ଭାଲେଣ୍ଟାଇନ୍ ଡେ'କୁ ପାଳନ କରନ୍ତି । ରାଜେନ୍ଦ୍ର ମଧ୍ୟ ଦୁର୍ଗାଙ୍କ ସହ ଭାଲେଣ୍ଟାଇନ ଡେ’ ସେଲିବ୍ରେସନ କରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ରାଜେନ୍ଦ୍ର ପତ୍ନୀଙ୍କୁ ବିଦେଶକୁ ନେଇ ସେଠାରେ ଭାଲେଣ୍ଟାଇନ ଡେ' ପାଳନ କରିବାକୁ ଚାହୁଁଥିଲେ, କିନ୍ତୁ ଆଖିରେ ଦେଖିପାରୁନଥିବାରୁ ନିଜର ଏହି ଇଚ୍ଛାକୁ ପୂରଣ କରିପାରିନଥିଲେ ରାଜେନ୍ଦ୍ର । ତେଣୁ ସେ ଭାବିଲେ ଯେ, ଯଦି ସେ ବିଦେଶ ଯାଇପାରିବେ ନାହିଁ, ତେବେ ସେ ପ୍ରତିବର୍ଷ ଭାଲେଣ୍ଟାଇନ୍ ଡେ'ରେ ତାଙ୍କ ପତ୍ନୀଙ୍କୁ ଉପହାର ଦେବା ପାଇଁ ସେ ବିଦେଶରୁ ଗୋଲାପ ଫୁଲ ମଗାଇବେ । ଆଉ ଏଥିପାଇଁ ପ୍ରତିବର୍ଷ ଭାଲେଣ୍ଟାଇନ୍ ଡେ' ପୂର୍ବରୁ ନିଜ ପତ୍ନୀଙ୍କ ପାଇଁ ବିଦେଶରୁ ଗୋଲାପ ଫୁଲ ମଗାଇଥାନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ ଦେଇ ପ୍ରେମ ଶିଢି ଚଢିବେ ପ୍ରେମୀଯୁଗଳ
ତେବେ ଭାଲେଣ୍ଟାଇନ୍ସ ଡେ'କୁ ନେଇ ରାଜେନ୍ଦ୍ର କହିଛନ୍ତି ଯେ, ସେ ଦୁନିଆକୁ ଦେଖାଇବା ପାଇଁ ନୁହେଁ ବରଂ ନିଜ ଜୀବନସାଥୀଙ୍କ ପ୍ରତି ନିଜ ଭଲପାଇବାକୁ ପରିପ୍ରକାଶ କରିବା ପାଇଁ ଭାଲେଣ୍ଟାଇନ୍ ଡେ'ରେ ବିଦେଶରୁ ଗୋଲାପ ଫୁଲ ମଗାନ୍ତି । ଅନ୍ୟପଟେ ସେ ଦୃଷ୍ଟିବାଧିତ ହୋଇଥିବା କାରଣରୁ ପତ୍ନୀଙ୍କ ସହ କେବେ ଫଟୋ ମଧ୍ୟ ଉଠାଇନାହାନ୍ତି । ନିଜ ପତ୍ନୀଙ୍କୁ ନିଜର ଭଲ ପାଇବା ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ବିଦେଶରୁ ଗୋଲାପ ଫୁଲ ମଗାଇଥାନ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ୍ ଡେ'କୁ ସେଲିବ୍ରେସନ କରିବା ପାଇଁ ସେ ଆମେରିକାରୁ ଗୋଲାପ ଫୁଲ ମଗାଇଛନ୍ତି । ଏଥିପାଇଁ ସେ ଅନଲାଇନ ମାର୍କେଟିଂର ସାହାରା ନେଇଛନ୍ତି । ଅନଲାଇନରେ ଏହି ଫୁଲ ବୁକିଂ କରିବା ପାଇଁ ବିଦ୍ୟାଳୟର ସହକର୍ମୀ ତାଙ୍କୁ ସାହାଯ୍ୟ କରିଛନ୍ତି । ଗୋଲାପ ଫୁଲ ଖୁବଶୀଘ୍ର ଆମେରିକାରୁ ଆସି ତାଙ୍କ ପାଖରେ ପହଞ୍ଚିବ । ଭାଲେଣ୍ଟାଇନ୍ସ ଡେ' ଦିନ ନିଜ ପତ୍ନୀ ଦୁର୍ଗାଙ୍କୁ ଗୋଲାପ ଫୁଲ ଦେଇ ନିଜର ପ୍ରେମ ବ୍ୟକ୍ତ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ