ରାୟପୁର: ଜାନୁଆରୀ 26ରେ ସାରା ଦେଶ ପାଳିଲା 75 ତମ ଗଣତନ୍ତ୍ର ଦିବସ । ପୁର ଠୁ ପଲ୍ଲୀ... କାଶ୍ମୀର ଠୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡିଥିଲା ତ୍ରିରଙ୍ଗା । ଛତିଶଗଡର ବସ୍ତର, ବିଜାପୁର ଓ ସୁକମା ପାଇଁ ଗଣତନ୍ତ୍ର ଦିବସ ଥିଲା ସୂତନ୍ତ୍ର । କାହିଁକି ନା ଏଠାରେ ବସବାସ କରୁଥିବା ଅନେକ ଅଞ୍ଚଳବାସୀ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ହେଉଥିବାର ଦେଖୁଥିଲେ, କିନ୍ତୁ ନିଜ ଅଞ୍ଚଳରେ କେବେ ହେଲେ ଏହି ଦିନରେ ପତାକା ଉଡାଇବାର ସୁଯୋଗ ପାଇନଥିଲେ । ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ତିନି ନକ୍ସଲ ପ୍ରଭାବିତ ଜିଲ୍ଲାର 9ଟି ଅଞ୍ଚଳରେ ଗତକାଲି ଗଣତନ୍ତ୍ର ଦିବସରେ ପତକା ଉତ୍ତୋଳନ କରାଯାଇଥିଲା ।
ନକ୍ସଲ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା: ବିଜାପୁର ଜିଲ୍ଲାର ପାଲାନାର, ଡୁମ୍ରି ପାଲାନାର, ଚିଣ୍ଟାଭାଗୁ, କଭାଦାଗାଓନ୍ ଏବଂ ସୁକମା ଜିଲ୍ଲାର ମଲେର, ପ୍ୟାରିୟା, ସାଲାଟୋଙ୍ଗ, ମୁଖରାଜକୋଣ୍ଡା ଏବଂ ଡୁଲେଡର ଆକାଶରେ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ଉଡ଼ିଥିଲା ତ୍ରିରଙ୍ଗା । ଏହି ଅଞ୍ଚଳ ଗୁଡ଼ିକରେ ପ୍ରତିଦିନ ନକ୍ସଲଙ୍କ ଭୟ ରହିଥାଏ । ଏଥିପାଇଁ ଗତ ବର୍ଷ ଅଗଷ୍ଟ 15ରୁ ଜାନୁଆରୀ 26 ମଧ୍ୟରେ ଏହି ଅଞ୍ଚଳର ନଅଟି ନୂତନ ସୁରକ୍ଷା ଶିବିର ଖୋଲାଯାଇଥିଲା। ଏହି ଶିବିର ସ୍ଥାପନ ହୋଇଥିବା ଅଞ୍ଚଳଗୁଡ଼ିକରେ ଗତକାଲି ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଗ୍ରାମବାସୀ ଗଣତନ୍ତ୍ର ଦିବସ ପାଳନ କରିଥିଲେ।
ଏହା ମଧ୍ୟ ପଢନ୍ତୁ-କର୍ତ୍ତବ୍ୟପଥ ରହିଲା ସାକ୍ଷୀ, ବିଶ୍ବ ଦେଖିଲା ଗଣତନ୍ତ୍ରର ଗାରିମା
ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ, ବସ୍ତର ଡିଭିଜନ୍ ଅଧିନରେ କିଛି ସମ୍ବେଦନଶୀଳ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହିତ ନକ୍ସଲ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ପୋଲିସ ଫୋର୍ସ କ୍ୟାମ୍ପ ଖୋଲିଛି । କ୍ୟାମ୍ପ ନିକଟରେ ଥିବା ସମସ୍ତ ଗ୍ରାମରେ ଗଣତନ୍ତ୍ର ଦିବସ ପାଳନ କରାଯାଇଛି ।
ଗଣତନ୍ତ୍ର ଦିବସର ମହତ୍ତ୍ୱ ଏବଂ ଗୌରବ ବିଷୟରେ ପୋଲିସ ଅଧିକାରୀ ଓ ସୁରକ୍ଷାକର୍ମୀ ମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ବୁଝାଇଥିଲେ। ପତାକା ଉତ୍ତୋଳନ ସ୍ଥାନୀୟ ବାସିନ୍ଦାଙ୍କୁ ମିଠା ଏବଂ ଚକୋଲେଟ୍ ବଣ୍ଟନ କରାଯାାଇଥିଲା । ଆମେ ଆପଣଙ୍କୁ କହିରଖୁଛୁ , ବସ୍ତର ଜିଲ୍ଲାରେ ସୁରକ୍ଷା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଡିଆରଜି, ବସ୍ତର ଫାଇଟର, ଏସଟିଏଫ , ସିଏଏଫ, ସିଆରପିଏଫ, ଏସଏସବି, ଆଇଟିବିପି, ବିଏସଏଫ ଏବଂ ସ୍ଥାନୀୟ ପୋଲିସ ବାହିନୀ ନିୟୋଜିତ ହୋଇଛନ୍ତି । ଯେଉଁମାନେ କେବଳ ନକ୍ସଲମାନଙ୍କ ସହ କେବଳ ମୁକାବିଲା କରୁନାହାନ୍ତି ବରଂ ଗ୍ରାମବାସୀଙ୍କୁ ସୁରକ୍ଷା ଦେୁଛନ୍ତି । ସୁରକ୍ଷା ବାହିନୀ ଉପରେ ଆତ୍ମବିଶ୍ୱାସ ବଢାଇବା ପାଇଁ ଆକ୍ସନ ପ୍ରୋଗ୍ରାମ ଅଧିନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।