ଥିରୁଅନନ୍ତପୁରମ: ଏମଡିଏମକେ ସାଂସଦ ଏ ଗଣେଶାମୂର୍ତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । ଲୋକସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 2019 ଲୋକସଭା ନିର୍ବାଚନରେ ସେ ଡିଏମକେ ଟିକେଟରେ ଏରୋଡ ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପରିବାର ସଦସ୍ୟ କହିଛନ୍ତି । ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ସାଂସଦଙ୍କୁ ରଖାଯାଇଥିବା ପୋଲିସ କହିଛି ।
କୋଏମ୍ବାଟୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏ ଗଣେଶାମୂର୍ତ୍ତି । ତାଙ୍କର ଜଣେ ପରିବାର ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି, ‘‘ରବିବାର ସକାଳ ପ୍ରାୟ 10ଟା ସମୟରେ ଗଣେଶାମୂର୍ତ୍ତୀ ବାନ୍ତି କରିଥିଲେ । ଏହାପରେ ଆମେ ସମସ୍ତ ଭୟଭୀତ ହୋଇ ଯାଇଥିଲି । ସେ କିଟନାଶକ ଔଷଧ ପିଇ ଦେଇଥିବା ଆମକୁ କହିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଆମେ ଏରୋଡ ସହରରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ତାଙ୍କୁ ନେଇଥିଲୁ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ରାତି ପ୍ରାୟ 2.30 ସମୟରେ ଅଧିକ ଚିକିତ୍ସା ପାଇଁ କୋଏମ୍ବାଟୁରର ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ରହିଛି ।’’
ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଆଗାମୀ ଲୋକସଭା ନିର୍ବାଚନରେ ପାର୍ଟି ହାଇକମାଣ୍ଡ ତାଙ୍କୁ ଟିକେଟ୍ ନଦେବାରୁ ସେ ଏହି ନିଷ୍ପତ୍ତି ନେଇଥାଇପାରନ୍ତି । ତାମିଲନାଡୁ ଏମଡିଏମକେ ଦଳର ନେତା ଓ ମନ୍ତ୍ରୀ ଏ ଗଣେଶା ମୂର୍ତ୍ତିଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଦଳୀୟ ନେତା ଦୁରାଇ ଭାଇକୋ ଗଣେଶା ମୂର୍ତ୍ତିଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ।
ପୋଲିସର ସୂଚନା ଅନୁସାରେ, ଏରୋଡର ପେରିୟାର ନଗର ନିବାସୀ ଗଣେଶାମୂର୍ତ୍ତିଙ୍କ ପରିବାର ସଦସ୍ୟ ଗତକାଲି ତାଙ୍କୁ ବାନ୍ତି କରୁଥିବାର ଦେଖିଥିଲେ । ଏହାପରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ସାଂସଦଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ପଠାଇଥିଲେ ।