ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ମାମଲା । ଅଭିଯୁକ୍ତ ବିଭବ କୁମାର ବର୍ତ୍ତମାନ ଜେଲରେ ଥିବାବେଳେ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ନିଜର ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇଛନ୍ତି ବିଭବ କୁମାର । ଏହାକୁ ଚ୍ୟାଲେଞ୍ଜ କରି ସେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ବିଭବ କହିଛନ୍ତି, ଏହି ଗିରଫଦାରୀ ବେଆଇନ । ମୋତେ ଜୋର ଜବରଦସ୍ତ ପୋଲିସ ହେପାଜତରେ ରଖାଯାିଛି ।" ତେବେ ଆସନ୍ତା ୩୧ ତାରିଖରେ ଏହାର ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି । ଗତକାଲି ଅର୍ଥାତ ମେ ୨୮ରେ ତିସ୍ ହଜାରୀ କୋର୍ଟ ୩ ଦିନ ପାଇଁ ବିଭବ କୁମାରଙ୍କୁ ପୋଲିସ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମେ 27 ରେ, ବିଭବ କୁମାରଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ବର୍ତ୍ତମାନ ବିଭବ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
କହିରଖୁଛୁ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ହେଉଛନ୍ତି ବିଭବ କୁମାର । ପୂର୍ବରୁ କୋର୍ଟରେ ଶୁଣାଣି ସମୟରେ, ରାଜ୍ୟସଭା ସାଂସଦ ସ୍ବାତୀ ବିଭବଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ । ବିଭବ କୁମାରଙ୍କୁ ଜାମିନ ମିଳିଲେ ସ୍ବାତୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କା କରୁଥିବା କହିଥିଲେ ସ୍ବାତୀ । ଏହାସହିତ ସେ ଧ୍ରୁବ ରାଠିଙ୍କ ବିରୋଧରେ ମଧ୍ୟ କହିଥିଲେ । ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ତାଙ୍କ ସମ୍ବନ୍ଧୀୟ ଘଟଣାକୁ ନେଇ ଏକପାଖିଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କୁ ପୂର୍ବାପେକ୍ଷା ଅଧିକରୁ ଅଧିକ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଥିବା ନେଇ ସେ ଅଭିଯୋଗ ଆଣିଥିଲେ ।
ଏହା ବି ପଢନ୍ତୁ...କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରର ଜାମିନ ଖାରଜ, କୋର୍ଟରେ କାନ୍ଦିଲେ ସ୍ବାତୀ - Delhi Court Rejects Bail Plea
ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଆସିଥିବା ଏହି ଦୁର୍ବ୍ୟବହାର ଅଭିଯୋଗ ଦଳ ପାଇଁ ଅଡୁଆ ବଢାଇଛି । ଅଭିଯୁକ୍ତ ବିଭବ କୁମାର ବର୍ତ୍ତମାନ ତିନି ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ବିଭବ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଥିଲେ ସ୍ବାତୀ । ଯାହାର ସିସିଟିଭି ଫୁଟେଜ ଯାଞ୍ଚ ସହ ସ୍ବାତୀଙ୍କ ବୟାନ ଆଧାରରେ ବିଭବଙ୍କୁ ଗିରଫ କରିଛି ପୋଲିସ । ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିବାବେଳେ ସେ ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି।