କୋଲକାତା: ପଶ୍ଚିମବଙ୍ଗରେ 5 ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏଥି ସହିତ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। କୋଲକାତାର ଗାର୍ଡେନ ରିଚ୍ ଅଞ୍ଚଳରେ ଥିବା ହାଜାରୀ ମୌଲା ବାଗନରେ ରବିବାର ମଧ୍ୟ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ କିଛି ଲୋକ ଭଙ୍ଗା କୋଠା ତଳେ ଚାପି ହୋଇରହିଥିଲେ । ଉଦ୍ଧାର କାର୍ଯ୍ୟ ସମୟରେ ପ୍ରଥମେ 2 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ଓ 7 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସମସ୍ତ ଗୁରୁତରଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି, ମହମ୍ମଦ ଇମ୍ରାନ ରିଜୱାନ ଆଲାମ, ଆକବର ଅଲି, ମହମ୍ମଦ ୱାସିକ, ରମଜାନ ଅଲି, ଆସମା ବେଗମ, ହସିନା ଖାତୁନ, ଶେଖ ନାସିମୁଦ୍ଦିନ, ଶେଖ ଅବଦୁଲ୍ଲା । ସୋମବାର ଦୁର୍ଘଟଣା ସ୍ଥଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ସ୍ଥିତି ପରଖି ଥିଲେ ଓ ଆହତଙ୍କୁ ମଧ୍ୟ ହସ୍ପିଟାଲରେ ଭେଟିଥିଲେ ।
ଏହା ମଧ୍ୟ ପଢନ୍ତୁ-ଚାଲିଥିଲା ଭଜନ ସମାରୋହ ଭୁଶୁଡିଲା ମଞ୍ଚ, ଜଣେ ମୃତ 17 ଆହତ
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମେ ବିଲ୍ଡିଂରୁ କଂକ୍ରିଟ ଭୁଶୁଡ଼ି ପଡ଼ିଥିଲା ଏବଂ ପରେ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ପୂରା ଅଞ୍ଚଳ ଧୂଳିମୟ ହୋଇଯାଇଥିଲା । କୋଠାର ଆବର୍ଜନାଗୁଡିକ ସେହି ଅଞ୍ଚଳରେ ଥିବା ନିକଟସ୍ଥ କୋଠାଗୁଡିକର ଛାତ ଉପରେ ପଡିଛି । ନିର୍ମାଣାଧୀନ ବିଲ୍ଡିଂରେ କେହି ରହୁନଥିଲେ ମଧ୍ୟ ଏହା ପାଖରେ ଥିବା ଘର ଉପରେ ଭୁଶୁଡିଥିଲା । ଅନେକ ଲୋକ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ''ଉଦ୍ଧାର କାର୍ଯ୍ୟ ପାଇଁ ମୁଁ ପଶ୍ଚିମବଙ୍ଗ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳକୁ ତୁରନ୍ତ ସାମିଲ କରିବାକୁ ଅନୁରୋଧ କରୁଛି ।''
ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା 13 ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ବାବଦରେ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ ଏବଂ ଆହତମାନଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।''
ଖବର ପାଇବା ପରେ ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆହତମାନଙ୍କୁ ଦକ୍ଷିଣ କୋଲକାତାର ୟୁନିପନ୍ ହସ୍ପିଟାଲରେ ଭେଟିଥିଲେ । ଏନେଇ ମମତା କହିଥିଲେ, ''ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି । ଏହି ବିଲ୍ଡିଂକୁ ବେଆଇନ ଭାବେ ନିର୍ମାଣ କରାଯାଉଥିଲା । ବିଲ୍ଡିଂ ନିର୍ମାଣ ପାଇଁ ସରକାରୀ ଅନୁମତି ପ୍ରଶାସନ ଦେଇନାହିଁ । ଦୁର୍ଘଟଣାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିଲ୍ଡିଂ ନିର୍ମାଣରେ ଜଡ଼ିତ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। । ମୃତ ଓ ଆହତଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ । ନିକଟସ୍ଥ ଲୋକଙ୍କ ଘର ମଧ୍ୟ ନଷ୍ଟ ହୋଇଯାଇଛି, ସରକାର ମଧ୍ୟ ସେହି ଲୋକଙ୍କୁ ସାହାଯ୍ୟ କରିବେ ।''