ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାମଲାରେ ଷ୍ଟେଟବ୍ଯାଙ୍କକୁ ଦାଗିଦ କଲେ ସୁପ୍ରିମକୋର୍ଟ । ବ୍ୟାଙ୍କକୁ ପୁଣି ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ବଣ୍ଡ୍ର ସମସ୍ତ ନମ୍ବର ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସୋମବାର ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗଙ୍କ ଅଫିସିଆଲ ଓ୍ବେବ-ସାଇଟରେ ଗୁରୁବାର ସନ୍ଧ୍ୟାରେ ସାର୍ବଜନୀନ କରାଯାଇଥିଲା । କିନ୍ତୁ ଏସବିଆଇ ବଣ୍ଡର ସମ୍ପୂର୍ଣ୍ଣ ତଥ୍ୟା ଦେଇନଥିବାକୁ ଆଜି ସୁପ୍ରିମକୋର୍ଟ ତାହା ଆସନ୍ତା 18 ତାରିଖ(ସୋମବାର) ସୁଦ୍ଧା ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏସବିଆଇ ନିର୍ବାଚନୀ ବଣ୍ଡ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ଏସବିଆଇକୁ ତାଗିତ କରିଥିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡର ନମ୍ବର ଦେବାକୁ କହିଛନ୍ତି କୋର୍ଟ ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଆୟୋଗ ଅଫିସିଆଲ ଓ୍ବେବସାଇଟରେ ଅପଲୋଡ ହେଲା ନିର୍ବାଚନୀ ବଣ୍ଡ ତଥ୍ୟ
ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ନିର୍ବାଚନୀ ବଣ୍ଡର ସମସ୍ତ ବିବରଣୀ, କ୍ରୟ ତାରିଖ, ବଣ୍ଡ କ୍ରୟ କରିଥିବା କ୍ରେତାଙ୍କ ନାମ ଏବଂ ନାମ ସହିତ ଉପଲବ୍ଧ କରିବା ଆବଶ୍ୟକ । ଏସବିଆଇ ନିର୍ବାଚନୀ ବଣ୍ଡ ସଂଖ୍ୟା ତଥ୍ୟରେ ପ୍ରକାଶ କରିନାହିଁ । ଆସନ୍ତା ମାର୍ଚ୍ଚ 18 ସୁଦ୍ଧା ଏହାର ଜବାବ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗଙ୍କ ଅଫିସିଆଲ ସାଇଟରେ ସାର୍ବଜନୀନ କରାଯାଇଛି । ମାର୍ଚ୍ଚ 12 ତାରିଖରେ ଏସବିଆଇ ତଥ୍ୟ ଦେବା ପରେ ଇସିଆଇ ସାଇଟରେ ଏହା ଅପଲୋଡ କରାଯାଇଥିଲା । 763 ପୃଷ୍ଠାର ଦୁଇଟି ତାଲିକା ନିର୍ବାଚନ ଆୟୋଗ ୱେବସାଇଟରେ ପୋଷ୍ଟ କରାଯାଇଛି । 337 ବିଶିଷ୍ଠ ପ୍ରଥମ ତାଲିକାରେ କେଉଁ ସଂସ୍ଥା ଓ ବ୍ୟକ୍ତିବିଶେଷ ନିର୍ବାଚନୀ ବଣ୍ଡ କିଣିଛନ୍ତି ସେମାନଙ୍କ ସମସ୍ତ ବିବରଣୀ ରହିଛି । 426 ପୃଷ୍ଠାର ଦ୍ୱିତୀୟ ତାଲିକାରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ବଣ୍ଡ ସମ୍ପର୍କିତ ବିବରଣୀ ରହିଛି ।
ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡିକର ଦାତାମାନଙ୍କ ମଧ୍ୟରେ ରହିଛନ୍ତି ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ପିରାମଲ୍ କ୍ୟାପିଟାଲ୍ ଏବଂ ହାଉସିଂ ଫାଇନାନ୍ସ ଲିମିଟେଡ୍, ପେଗାସସ୍ ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ, ବେଦାନ୍ତ ଲିମିଟେଡ,ପିରାମଲ୍ ଏଣ୍ଟରପ୍ରାଇଜେସ୍ ଲିମିଟେଡ, ମୁଥୁଟ ଫାଇନାନ୍ସ ଲିମିଟେଡ, ବଜାଜ ଫାଇନାନ୍ସ ଲିମିଟେଡ, ଭାରତୀୟ ଏୟାରଟେଲ ଲିମିଟେଡ ଅନ୍ତର୍ଭୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ