ନୂଆଦିଲ୍ଲୀ: ଆଜି ଠାରୁ (ମାର୍ଚ୍ଚ 4 ରୁ 6 ମଧ୍ୟରେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦୁଇଦିନିଆ ଗସ୍ତରେ 5 ରାଜ୍ୟର ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଶକ୍ତି, ସଡକ, ରେଳ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଭିତ୍ତିଭୂମି ସହ ସମ୍ପୃକ୍ତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂଗଠନ କାର୍ଯ୍ୟାଳୟ ଉଦଘାଟନ କରିବେ । ଭାରତର ଆଣବିକ ଶକ୍ତି ଗବେଷଣା କାର୍ଯ୍ୟକ୍ରମରେ ଐତିହାସିକ ମାଇଲଖୁଣ୍ଟ ଭାବେ ତାମିଲନାଡୁର କଲପକ୍କାମରେ ନିର୍ମିତ ସ୍ୱଦେଶୀ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରାଇଡର୍ ରିଆକ୍ଟରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ବିହାର ମୁଜାଫରପୁର-ମୋତିହାରୀ ଏଲପିଜି ପାଇପଲାଇନର ଉଦଘାଟନ କରିବେ । ଏହା ପରେ ମୋତିହାରୀରେ ଇଣ୍ଡିଆନ ଅଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ଏବଂ ଷ୍ଟୋରେଜ୍ ଟର୍ମିନାଲକୁ ମଧ୍ୟ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ସହ ସେ ବିଶାଳ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ । ସେଠାରୁ ସେ ଚଣ୍ଡିଖୋଲରେ ପହଞ୍ଚିବେ ।
ମାର୍ଚ୍ଚ 5(ଆସନ୍ତାକାଲି) ତାରିଖରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ବିଶାଳ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ । ଚଳିତବର୍ଷ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଓଡିଶା ଗସ୍ତ ହେବାକୁ ଯାୁଛି । ଗତମାସ (ଫେବୃଆରୀ) 3 ତାରିଖରେ ସମ୍ବଲପୁର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିଥିଲେ । ଏହା ସହ 412 କିଲୋମିଟର ବିଶିଷ୍ଟ ଧାମରା-ଅନୁଗୋଳ ପାଇପଲାଇନ ସେକ୍ସନ ସମେତ ଅନ୍ୟ କିଛି ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ ମଧ୍ୟ କରିଥିଲେ । ଏବେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି ।
ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ମୋଦି ନିଜ ସମ୍ବୋଧନରେ ନବୀନ ପଟ୍ଟନାୟକ ସରକାରଙ୍କ ପ୍ରତି କେତେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଛନ୍ତି, ସେ ନେଇ ପରବର୍ତ୍ତୀ ଲଢେଇର ସଙ୍କେତ ମିଳିବା ନେଇ ଆଶା କରାଯାଉଛି । ହେଲେ ତମାମ ଚର୍ଚ୍ଚା ମଧ୍ୟରେ ମେଣ୍ଟ ନୁହେଁ ଏକାକୀ ନିର୍ବାଚନ ଲଢିବା ନେଇ ଉଭୟ ଦଳ ଦମ୍ଭୋକ୍ତି ଦେଖାଇବାରେ ଲାଗିଛନ୍ତି ।
- " class="align-text-top noRightClick twitterSection" data="">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ