କୋଲକାତା: ଦେଶରେ ସାଧାରଣ ନିର୍ବାଚନ ମାହୋଲ ମଧ୍ୟରେ ପୁଣି ତେଜିଛି ପିଓକେ ପ୍ରସଙ୍ଗ । ଆଜି ପଶ୍ଚିମବଙ୍ଗର ଶ୍ରୀରାମପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ରାଲିରେ ଦେଇଛନ୍ତି ବଡ ବୟାନ । ସମ୍ପ୍ରତି ପାକିସ୍ତାନ ଅଧିକୃତ କାଶ୍ମୀରରେ ବାରମ୍ବାର ଚାଲିଥିବା ଆନ୍ଦୋଳନ ମଧ୍ୟରେ ପିଓକେ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି କହିଛନ୍ତି ଶାହ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଲିକୁ ସମ୍ବୋଧନ କରି କହିଛନ୍ତି , " ୨୦୧୯ରେ ଧାରା ୩୭୦ ହଟିବା ପରେ ଏକଦା ଅଶାନ୍ତ ଓ ସମସ୍ୟା ବହୁଳ କାଶ୍ମୀରରେ ଶାନ୍ତି ଫେରିଥିବା ବେଳେ, ପାକିସ୍ତାନ ଅଧିକୃତ କାଶ୍ମୀରରେ ସ୍ବାଧୀନତା ପାଇଁ ସ୍ବର ଉଠିବା ସହ ଆନ୍ଦୋଳନ ଆରମ୍ଭ ହୋଇଛି । ଦିନେ କାଶ୍ମୀରରେ ଆଜାଦୀର ସ୍ଲୋଗାନ ଦିଆଯାଉଥିବା ବେଳେ ଏବେ ପିଓକେରେ ମଧ୍ୟ ସେହି ସ୍ଲୋଗାନ ଶୁଭୁଛି । ପୂର୍ବରୁ ଏଠାରେ ପଥରମାଡ ହେଉଥିବା ବେଳେ ଏବେ ପିଓକେରେ ପଥରମାଡ ହେଉଛି ।"
ଏହା ମଧ୍ୟ ପଢନ୍ତୁ ... ମଣିଶଙ୍କରଙ୍କ 'ପାକିସ୍ତାନକୁ ସମ୍ମାନ କର' ମନ୍ତବ୍ୟକୁ ଶାହଙ୍କ ଟାର୍ଗେଟ, 'ଆମକୁ POK ଛାଡିଦେବା ଉଚିତ କି ?' - Amit Shah Targets Mani Shankar
ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ 'ପାକିସ୍ତାନକୁ ସମ୍ମାନ କର, ତା' ନିକଟରେ ପରମାଣୁ ବୋମା ଅଛି' ମନ୍ତବ୍ୟକୁ ନେଇ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି , "ମଣିଶଙ୍କର ଆୟରଙ୍କ ଭଳି ନେତା ମାନେ ପିଓକେ ସମ୍ପର୍କରେ ଭାରତ ଦାବି କରିବା ଉଚିତ ନୁହଁ କାରଣ ସେମାନଙ୍କ ପାଖରେ ପରମାଣୁ ବୋମା ରହିଛି । କିନ୍ତୁ ମୁଁ ଏଠାରେ କହିବାକୁ ଚାହେଁ ଯେ ପାକ ଅଧିକୃତ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ ଓ ଆମେ ତାକୁ ହାସଲ କରିକି ରହିବୁ ।"
ଏହା ସହ ଚାଲିଥିବା ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାହ, ଇଣ୍ଡିଆ ଗଠବନ୍ଧନର ଦୁର୍ନୀତିଗ୍ରସ୍ତ ନେତା ସମୂହ ଓ ସଚ୍ଚୋଟ ରାଜନୀତିଜ୍ଞ ନରେନ୍ଦ୍ର ମୋଦି, ଯାହାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁର୍ନୀତିର ଛିଟା ପଡିନାହିଁ ବୋଲି କହି ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ବେଙ୍ଗଲର ଜନସାଧାରଣଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି, "ବେଙ୍ଗଲକୁ ସ୍ଥିର କରିବାକୁ ହେବ ଯେ ସେମାନେ ଅନୁପ୍ରବେଶକାରୀ ଚାହୁଁଛନ୍ତି ନା ଶରଣାର୍ଥୀଙ୍କ ପାଇଁ ସିଏଏ । ବେଙ୍ଗଲକୁ ନିଷ୍ପତ୍ତି ନେବାକୁ ହେବ ଯେ ସେମାନେ ଜିହାଦ ପାଇଁ ଭୋଟ ଦେବେ ନା ବିକାଶ ପାଇଁ ଭୋଟ ଦେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଏଏକୁ ବିରୋଧ କରିବାକୁ ନେଇ ସମାଲୋଚନା କରିଥିଲେ ।"
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମମତା ବାନାର୍ଜୀ 'ମା, ମାଟି, ମାନୁଷ'ର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିଲେ କିନ୍ତୁ ଏହି ସ୍ଲୋଗାନ ବର୍ତ୍ତମାନ ହଜିଯାଇଛି ଏବଂ ତା ସ୍ଥାନରେ 'ମୁଲ୍ଲା, ମୌଲବୀ, ମଦ୍ରାସା' ରହିଛି । ସେ ଦୁର୍ଗାପୂଜା ବିସର୍ଜନକୁ ଅନୁମତି ପାଇଁ ମନା କରନ୍ତି କିନ୍ତୁ ମୁସଲିମ କର୍ମଚାରୀଙ୍କୁ ରମଜାନରେ ଛୁଟି ଦେଇଥାନ୍ତି।" କେବଳ ଭୋଟବ୍ୟାଙ୍କ ତୁଷ୍ଟୀକରଣ ପାଇଁ ଅନୁପ୍ରବେଶକାରୀମାନଙ୍କ ସମର୍ଥନରେ ମମତା ରାଲି ଶୋଭାଯାତ୍ରା ବାହାର କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଏପରିକି ନିକଟରେ ଏକ ଇଣ୍ଟରଭ୍ୟୁରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଆମର ପ୍ରଥମ ଟାର୍ଗେଟ ଥିଲା ୩୭୦ । ଏହି ଉଚ୍ଛେଦ ହୋଇସାରିଛି । ଆମର ପରବର୍ତ୍ତୀ ଟାର୍ଗେଟ୍ ପିଓକେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ