କୋଲକାତା: ପଶ୍ଚିମବଙ୍ଗରେ ଆଜି 15000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ମୋଦି ଦୁଇଦିନିଆ ପଶ୍ଟିମବଙ୍ଗ ଗସ୍ତରେ ରହିଥିବା ବେଳେ ଆଜି ଦ୍ବିତୀୟ ଦିନ। ନଦିଆ ଜିଲ୍ଲାର କୃଷ୍ଣନଗରରେ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହା ପରେ ଜନସଭାକୁ ସମ୍ବୋଧିତ କରି ଟିଏସି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଆମ ସରକାର ପଶ୍ଚିମବଙ୍ଗକୁ ଆତ୍ମନିର୍ଭର ଏବଂ ବିକଶିତ କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଅନେକ ପ୍ରୋଜେକ୍ଟ ଆରମ୍ଭ କରାଯାଉଛି । ଅନ୍ୟପଟେ ଟିଏମସି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଅତ୍ୟାଚାର ଏବଂ ବିଶ୍ବାସଘାତକତାର ଅନ୍ୟନାମ ହେଉଛି ଟିଏମସି ସରକାର ।
କୃଷ୍ଣନଗର ଲୋକସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ପଶ୍ଚିମବଙ୍ଗକୁ ବିକଶିତ ରାଜ୍ୟ କରିବା ପାଇଁ ଆମେ ଆଜି ଏକ ପଦକ୍ଷେପ ନେଇଛୁ । ଆଜି ମୋତେ 15,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିିଛି । ବିଦ୍ୟୁତ୍, ସଡ଼କ ଏବଂ ରେଳର ଉନ୍ନତ ସୁବିଧା ଆପଣଙ୍କ ଜୀବନଧାରଣକୁ ସରଳ କରିବ । "
ସେ ଆହୁରି ମଧ୍ୟ କହିଛନ୍ତି, "ଦେଶର ଅନ୍ୟ ରାଜ୍ୟ ଗୁଡିକ ପାଇଁ ପଶ୍ଚିମବଙ୍ଗ ପୂର୍ବ ଦ୍ବାର ଭାବେ କାର୍ଯ୍ୟ କରୁଛି । ପ୍ରଗତିର ଅପାର ସମ୍ଭାବନା ଏହି ପୂର୍ବ ଦ୍ବାର ଦେଇ ପ୍ରବେଶ କରିପାରିବ । ତେଣୁ ଆମ ସରକାର ପଶ୍ଚିମବଙ୍ଗର ସଡ଼କ, ରେଳ, ବାୟୁ ଏବଂ ଜଳପଥର ଆଧୁନିକ ସଂଯୋଗ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ଭିତ୍ତିଭୂମି ଦୃଷ୍ଟିରୁ ରେଳବାଇ ପଶ୍ଚିମବଙ୍ଗର ଗୌରବମୟ ଇତିହାସର ଏକ ଅଂଶ ହୋଇସାରିଛି । ତେବେ ସମସ୍ତ ପ୍ରକାର ସମ୍ଭାବନା ସତ୍ତ୍ବେ ବଙ୍ଗ ପଛରେ ରହିଆସିଛି । ବିଗତ 10 ବର୍ଷ ମଧ୍ୟରେ ଏହି ବ୍ୟବଧାନକୁ ଦୂର କରିବା ପାଇଁ ରେଳ ଭିତ୍ତିଭୂମି ଉପରେ ବହୁତ ଗୁରୁତ୍ୱ ଦେଇଛୁ । ଟିଏମସି ରାଜରେ ପଶ୍ଚିମବଙ୍ଗରେ ଅପରାଧ ଏବଂ ଦୁର୍ନୀତି ବୃଦ୍ଧି ପାଇଛି ।"
ଏହା ମଧ୍ୟ ପଢନ୍ତୁ: ବିକାଶର ବଡ଼ ଶତ୍ରୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି
ପଶ୍ଚିମବଙ୍ଗରେ ଟିଏମସି ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏଠାରେ ଯେଉଁଭଳି ଭାବେ ଟିଏମସି ସରକାର କାର୍ଯ୍ୟ କରୁଛି, ତାହା ପଶ୍ଚିମବଙ୍ଗକୁ ନିରାଶ କରିଛି । ପଶ୍ଚିମବଙ୍ଗବାସୀ ଅନେକ ଆଶା ନେଇ ସରକାର ବାଛିଥିଲେ । କିନ୍ତୁ ଟିଏମସି ଅତ୍ୟାଚାର ଏବଂ ବିଶ୍ୱାସଘାତକତା ପାଇଁ ଆଉ ଏକ ନାମ କରିଛି । ପଶ୍ଚିମବଙ୍ଗର ବିକାଶ ଟିଏମସି ପାଇଁ ପ୍ରାଥମିକତା ନୁହେଁ ବରଂ ଭ୍ରଷ୍ଟାଚାର ଏବଂ ପରିବାରବାଦ ପ୍ରାଥମିକତା ଅଟେ ।"
ପ୍ରଧାନମନ୍ତ୍ରୀ ଆଜି ପୁରୁଲିଆ ଜିଲ୍ଲାରେ ଦାମୋଦର ଘାଟି ନିଗମର ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନର ଦ୍ବିତୀୟ ପର୍ଯ୍ୟାୟ ଶିଳାନ୍ୟାସ କରିଛନ୍ତି । ଏହାସହିତ ଥର୍ମାଲ ପାଓ୍ବାର ଷ୍ଟେସନରେ 650 କୋଟି ଟଙ୍କା ବ୍ୟୟରେ ନିର୍ମିତ ଫ୍ଲୁ ଗ୍ୟାସ ଡିସୁଲଫୁରିଜେସନ ସିଷ୍ଟମକୁ ମଧ୍ୟ ଉଦଘାଟନ କରିଛନ୍ତି । ତେବେ ଶୁକ୍ରବାର ଦିନ ହୁଗୁଳି ଜିଲ୍ଲାର ଆରାମବାଗରେ 7200 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।