ନୂଆଦିଲ୍ଲୀ: ଆଜି ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା । ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର 17ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ବାରାଣାସୀରେ ଆୟୋଜିତ ଏକ ସମାବେଶରେ ସାମିଲ ହୋଇ ଚାଷୀଙ୍କୁ କିସ୍ତି ଟଙ୍କା ଦେବେ ନରେନ୍ଦ୍ର ମୋଦି । 9.26 କୋଟିରୁ ଅଧିକ ଚାଷୀଙ୍କୁ 20,000 କୋଟି ଟଙ୍କା ଦିଆଯିବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କୃଷି ସଖି ଭାବରେ ତାଲିମ ପ୍ରାପ୍ତ 30,000ରୁ ଅଧିକ SHG ମାନଙ୍କୁ ପାରା ଏକ୍ସଟେନସନ କର୍ମଚାରୀ ଭାବରେ କାର୍ଯ୍ୟ କରିବାକୁ ପ୍ରମାଣପତ୍ର ବଣ୍ଟନ କରିବେ । ଯାହା ଦ୍ବାରା ସେମାନେ ପାରା-ଏକ୍ସଟେନସନ କର୍ମଚାରୀ ଭାବରେ କାର୍ଯ୍ୟ କରିପାରିବେ ଏବଂ କୃଷକ ମାନଙ୍କୁ ଚାଷରେ ସାହାଯ୍ୟ କରିପାରିବେ ।
ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଆଜି ନରେନ୍ଦ୍ର ମୋଦି କିଷାନ ସାମ୍ମାନ ନିଧି ଯୋଜନାର 17ତମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇବେ । ଏହାପୂର୍ବରୁ, ଫେବୃଆରୀ 16ରେ 16ତମ କିସ୍ତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ ସାମ୍ମାନ ନିଧି ଯୋଜନା 2019 ଫେବୃଆରୀ 1ରେ ଆରମ୍ଭ ହୋଇଥିଲା । ଯାହା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ 16ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇସାରିଛି । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ 3ଟି କିସ୍ତିରେ 6000 ଟଙ୍କା ଦିଆଯାଏ । ଯାହା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଯାଏ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବା ପାଇଁ କେନ୍ଦ୍ର ସରକାର ଇ-କେଓ୍ବାଇସି ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛନ୍ତି ।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌନ କହିଛନ୍ତି ଯେ, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନର 17ତମ ଅର୍ଥରାଶି ରିଲିଜ୍ ଫାଇଲରେ ହସ୍ତାକ୍ଷର କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ ହେବା ଦିନଠାରୁ ସାରା ଦେଶରେ ବର୍ତ୍ତମାନ 11କୋଟିରୁ ଅଧିକ ଚାଷୀଙ୍କୁ 3.04 ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି ।
ଜୁନ 9 ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହାର ପର ଦିନ ପ୍ରଧାନମନ୍ତ୍ରୀ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତୃତୀୟ ପାଳିର ପ୍ରଥମ ନିଷ୍ପତ୍ତି ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ନିଧି’ ଯୋଜନର 17ତମ ଅର୍ଥରାଶି ରିଲିଜ୍ ଫାଇଲରେ ହସ୍ତାକ୍ଷର କରିଥିଲେ ।