ନୂଆଦିଲ୍ଲୀ: ଆଜି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ ୟୁଜି (NEET-UG) ପ୍ରବେଶିକା ପରୀକ୍ଷା । ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦେଶର ପ୍ରାୟ 24 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏନେଇ ପରୀକ୍ଷା କେନ୍ଦ୍ରଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅପରାହ୍ନ 2ଟାରୁ 5ଟା 20 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ 557 ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ 14ଟି ପରୀକ୍ଷା କେନ୍ଦ୍ର ଦେଶ ବାହାରେ କରାଯାଇଛି । 13 ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବେ ଆଶାୟୀ । ପରୀକ୍ଷାରେ କପି ରୋକିବାକୁ ଶୂନ୍ୟ ସହନଶୀଳତା ଲାଗୁ କରାଯିବ ।
ଓଡ଼ିଶାରେ 66 ହଜାର 342 ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ରାଜ୍ୟରେ 150ଟି ସେଣ୍ଟର୍ ରହିଛି । ଭୁବନେଶ୍ବରରେ 25ଟି ସେଣ୍ଟରରେ 16 ହଜାର 162 ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ତେବେ ପରୀକ୍ଷା 2ଟାରୁ 5ଟା 20 ପର୍ଯ୍ୟନ୍ତ କରାଯାଇଛି ପରୀକ୍ଷା । ଦିନ 11ଟାରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିଛନ୍ତି । ଛାତ୍ରୀମାନଙ୍କ ପାଇଁ ହାଇଜେନିକ ଟଏଲେଟ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଜ୍ୟର ନୋଡାଲ ଅଫିସର ପଲ୍ଲୀ ପଟ୍ଟନାୟକ ।
ପରୀକ୍ଷା ସମୟରେ ଫ୍ଲାଇଙ୍ଗ ସ୍କ୍ବାର୍ଡ କେନ୍ଦ୍ର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏଆଇ ଟୁଲର ବ୍ୟବହାର କରାଯିବ । ପରୀକ୍ଷାର୍ଥୀ ଓ ପରୀକ୍ଷା ଦାୟିତ୍ବରେ ଥିବା ନିରୀକ୍ଷକଙ୍କ ପାଇଁ ବାୟୋମେଟ୍ରିକ ଯାଞ୍ଚ କରାଯିବ । ଦିନ 11ଟାରୁ ପରୀକ୍ଷା ହଲରେ ପ୍ରବେଶ ଆରମ୍ଭ ହୋଇ ଅପରାହ୍ନ 1.30 ଯାଏଁ ଚାଲିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ରିପୋଟିଂ ସମୟ ଦିଆଯାଇଛି । ତେବେ 1.30 ପରେ କୌଣସି ପରିସ୍ଥିତିରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରାଇ ଦିଆଯିବ ନାହିଁ । ତେଣୁ ଆଡମିଟ୍ କାର୍ଡରେ ରିପୋର୍ଟିଂ ଟାଇମ୍ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପୂର୍ବରୁ ଅବଗତ କରାଯାଇଛି । ମେଡିକାଲ ପାଠ୍ୟକ୍ରମ BAMS, BUMSରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଫଳାଫଳ ଆସିବା ପରେ ମେଡିକାଲ, ଡେଣ୍ଟାଲ, ଆୟୁଷ, ଭେଟେନାରୀ ତଥା ମନୋନୀତ ନର୍ସିଂ କଲେଜରେ ପ୍ରାୟ 2 ଲକ୍ଷ 10 ହଜାର ସିଟରେ ଆଡମିଶନ କରାଯିବ । ଜୁନ 14 ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ପରୀକ୍ଷା ଦେବାକୁ ଯିବା ସମୟରେ ପରୀକ୍ଷାର୍ଥୀମାନେ ସାଙ୍ଗରେ ଅରିଜିନାଲ ଆଇଡି କାର୍ଡ ନେବା ଜରୁରୀ । ଯେପରିକି ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କାର୍ଡ, ଦ୍ୱାଦଶ ଶ୍ରେଣୀ ବୋର୍ଡ ଆଡମିଟ୍ କାର୍ଡ କିମ୍ବା ରେଜିଷ୍ଟ୍ରେସନ୍ କାର୍ଡ, ପାସପୋର୍ଟ ଭଳି ଆଇଡି କାର୍ଡ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ଜାତୀୟ ଟେଷ୍ଟିଂ ଏଜେନ୍ସି ଆଧାର କାର୍ଡକୁ ବିଶେଷ ପ୍ରାଧାନ୍ୟ ଦେଇଥାଏ । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ କଲମ ଦିଆଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ନେଇ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଇଲେକ୍ଟ୍ରୋନିକ୍ ଡିଭାଇସ୍, ମୋବାଇଲ୍ ଫୋନ୍, ବ୍ଲୁଟୁଥ୍ ଡିଭାଇସକୁ ବାରଣ କରାଯାଇଛି ।