ହାଇଦ୍ରାବାଦ: ବିଭିନ୍ନ ହାଇକୋର୍ଟେର ଜାରି ରହିଥିବା NEET ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ମାମଲାର ଶୁଣାଣିରେ ରୋକ ଲଗାଇବା ସହ ସମସ୍ତ ମାମଲା ସର୍ବୋଚ୍ଚକୋର୍ଟକୁ ସ୍ଥାନାନ୍ତର କରିବା ନେଇ ‘ଏନଟିଏ’ ଦ୍ବାରା ଦାଏର ହୋଇଥିବା ମାମଲାର ଶୁଣାଣି କରି ବଡ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ହାଇକୋର୍ଟ ଗୁଡିକରେ ଏହି ସମ୍ପର୍କିତ ମାମଲାର ଶୁଣାଣି ଉପରେ ସର୍ବୋଚ୍ଚକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରିବା ସହ ଆସନ୍ତାମାସ 8 ତାରିଖକୁ ମାମଲାର ଶୁଣାଣି ସ୍ଥିଗତ ରଖାଯାଇଛି ।
ସୁପ୍ରିମକୋର୍ଟଙ୍କ ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସ.ଭି.ଏମ ଭଟ୍ଟିଙ୍କ ଦ୍ବାରା ଗଠିତ ଦୁଇଜଣିଆ ଖଣ୍ଡପୀଠ ଆଜି ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିଥିଲେ । ପ୍ରଥମେ କୋର୍ଟ ଏହି ତର୍କକୁ ଗ୍ରହଣ କରିନଥିବା ବେଳେ ପରବର୍ତ୍ତୀ ସମୟରେ ହାଇକୋର୍ଟଗୁଡିକରେ ମାମଲାର ଶୁଣାଣି କରିବାକୁ ମନା କରିଥିଲେ । ହେଲେ କୋର୍ଟ ଆଜି ଶୁଣାଣିରେ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାର ଶୁଣାଣି ପ୍ରକ୍ରିୟା ପାଇଁ କାଉନସିଲିଂ ବନ୍ଦ ହେବ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 8 ତାରିଖରେ ହେବ ।
ଅନ୍ୟପଟେ ଏହି ପେପର ଲିକ ମାମଲାରେ ବିବାହରେ ରାଜନୀତି ସରଗରମ ହୋଇଛି । ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ପାଇଥିବା ଜଣେ ଅଭିଯୁକ୍ତ ଛାତ୍ର ଏହା ସ୍ବୀକାର କରିଛି ଯେ, ତାର ଜଣେ ସମ୍ପର୍କୀୟ ସେଟିଂ କରି ରାଜସ୍ଥାନ କୋଟାରୁ ପ୍ରଶ୍ନପତ୍ର ମଗାଇଥିଲେ । ଏହି ଲିକ ହୋଇଥିବା ପେପର ସମ୍ପୂର୍ଣ୍ଣ ସଠିକ ଥିଲା । ଏଥିରେ ଥିବା ସମସ୍ତ ପ୍ରଶ୍ନ ପରୀକ୍ଷାରେ ଆସିଥିଲେ । ସିକନ୍ଦର ୟାଦବେନ୍ଦୁ ନାମକ ଜଣେ ବ୍ୟକ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ । ସେ ରାଜସ୍ଥାନର କୋଟାରୁ ପ୍ରଶ୍ନପତ୍ର ଲିକ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲା । ଏଥିରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦଙ୍କ ବ୍ୟକ୍ତିଗତ ସହାୟକଙ୍କର ଭୂମିକା ରହିଛି । ତେଜସ୍ବୀଙ୍କ ପିଏ, ଏହି ଅଭିଯୁକ୍ତ ପାଇଁ ପାଟନାରେ ରହିବା ବ୍ୟବସ୍ଥା କରିଥିଲା ବୋଲି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କ’ଣ ଥିଲା ଅଭିଯୋଗ:-
ଚଳିତବର୍ଷ NEET ପରୀକ୍ଷାରେ ଏକକାଳୀନ ୬୭ଜଣ ପରୀକ୍ଷାର୍ଥୀ ଟପ୍ପର ହେବା ପରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଆଜି ଶୁଣାଣି ବେଳେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସୁପ୍ରିମକୋର୍ଟଙ୍କୁ ଅବଗତ କରି କହିଛି, 23ରେ ପରୀକ୍ଷା ଶେଷ ହୋଇ 30ରେ ରେଜଲ୍ଟ ବାହାରିବା ପରେ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ କାଉନସିଲିଂ ପ୍ରକ୍ରିୟା ହେବ । ଆସନ୍ତାମାସ (ଜୁଲାଇ) ୬ ତାରିଖରୁ ଏମବିବିଏସ, ବିଡିଏସ ଓ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ କାଉନସିଲିଂ ହେବାକୁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଛି । ଆସନ୍ତାମାସ 8 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।
କେବେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା...
ଗତମାସ ମେ’ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ବଚ୍ଛ୍ବତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ