ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା କୁଖ୍ୟାତ ଅପରାଧୀ ମୁଖତାର ଅନସାରୀଙ୍କର ଆଜି ଶେଷକୃତ୍ୟ । ଏଥିପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନସାରୀଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପତ୍ନୀ ଅଫଶା ଅନସାରୀ ଓ ପୁଅ ଅବ୍ବାସ ଅନସାରୀ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ମହମ୍ମଦାବାଦର ବାଘ ଶ୍ମଶାନରେ ଅନସାରୀଙ୍କ ଶେଷକୃତ୍ୟ ଆରମ୍ଭ ହୋଇଛି । ଗତକାଲି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅନସାରୀଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୁଖତାରଙ୍କ ମୃତଦେହ ତାଙ୍କ ପିତାମାତାଙ୍କ କବର ନିକଟରେ ସମାଧି ଦିଆଯିବ।
ଫେରାର ରହିଛନ୍ତି ଅନସାରୀଙ୍କ ପତ୍ନୀ: ମୁଖତାର ପତ୍ନୀ ଅଫଶା ଅନସାରୀ ମଧ୍ୟ ଅତିକଙ୍କ ପତ୍ନୀ ଶାହିସ୍ତାଙ୍କ ପରି ପ୍ରାୟ ତିନି ବର୍ଷ ହେବ ଫେରାର ରହିଛନ୍ତି । ତାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ତାଙ୍କୁ ଗିରଫ କରିବା ପାଇଁ ଗାଜିପୁର ପୋଲିସ 50 ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । ଇଡି ମଧ୍ୟ ଅଫଶା ଅନସାରୀଙ୍କୁ ଖୋଜୁଛି । ବାରମ୍ବାର ନୋଟିସ ପରେ ମଧ୍ୟ ସେ ପୋଲିସ ନିକଟରେ ହାଜର ହୋଇନାହାନ୍ତି । ଶନିବାର ମୁଖତାରଙ୍କ ଅନ୍ତିମ ସଂସ୍କାର ସମୟରେ ଆଫଶା ଅନସାରୀ ଉପରେ ପୋଲିସ ନଜର ରଖିଛି । ଏଥିସହିତ ମୁଖତାରଙ୍କ ପୁଅ ଅବ୍ବାସ ଅନସାରୀ କାସଗଞ୍ଜ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ତେଣୁ ସେ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ନାହିଁ ।
ଜେଲରେ ଅନସାରୀଙ୍କ ପୁଅ: ବର୍ତ୍ତମାନ ମୁଖତାରଙ୍କ ପୁଅ ଅବ୍ବାସ ଅନସାରୀ ଜେଲରେ ରହିଛନ୍ତି । ପିତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ପାରୋଲରେ ଆସିବାକୁ ଗତକାଲି ସେ ଆହ୍ଲାବାଦ ହାଇକୋର୍ଟରେ ହାଜର ହୋଇପାରିନଥିଲେ । ଅବ୍ବାସ ଅନସାରୀଙ୍କ ପାରୋଲ କିମ୍ବା ଅନ୍ୟ କୌଣସି ଆଇନଗତ ପ୍ରକ୍ରିୟା ପାଇଁ ହାଇକୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ଆଇନଜୀବୀ ଉପେନ୍ଦ୍ର ଉପାଧ୍ୟାୟ ।
ସୂଚନା ଥାଉକି, ଗୁରୁବାର ବିଳମ୍ବିତ ରାତ୍ରିରେ ଅନସାରୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ଲୋକେ ଅନସାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣିଥିଲେ । ଅନସାରୀକୁ ଖାଦ୍ୟରେ ବିଷ ଦିଆଯାଇ ହତ୍ୟା କରାଯାଇଥିବା ପୁଅ ଓମାର ଅନସାରୀ ଅଭିଯୋଗ କରିଥିଲେ । ଗତକାଲି ଅପରାହ୍ନରେ ଅନସାରୀର ବ୍ୟବଚ୍ଛଦ ଶେଷ ହୋଇଥିଲା । ଏହାପରେ ପୁଅ ଓମାର ଅନସାରୀ ଓ ବୋହୂ ନିଖାତ ଅନସାରୀ ମୃତଦେହକୁ ନେଇ ଗାଜିପୁର ଅଭିମୁଖେ ବାହାରିଥିଲେ । ରାତି ପ୍ରାୟ 2ଟା ସୁଦ୍ଧା ଗାଜିପୁରରେ ସେମାନେ ପହଞ୍ଚିଥିଲେ।