କୋଲକାତା: ବାସଭବନରେ ପଡିଯିବା କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଦିଦିଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ମମତା ଆହତ ହେବା ସମ୍ପର୍କରେ ଦଳ ତୃଣମୂଳ କଂଗ୍ରେସ ‘ଏକ୍ସ’ରେ ଫଟୋ ସେୟାର କରି ସୂଚନା ଦେଇଛି । ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ଦଳ ଅନୁରୋଧ କରିଛି ।
ତେବେ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ମମତା ବାସଭବନରେ ଥିବା ବେଳେ ଏହି ଅଘଟଣ ଘଟିଛି । କୌଣସି କାରଣବଶତଃ ସେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କ୍ଷମତ ସୃଷ୍ଟି ହେବା ସହ ରକ୍ତସ୍ରାବ ମଧ୍ୟ ହୋଇଥିବାର ଫଟୋରେ ସ୍ପଷ୍ଟ ଦୃଶ୍ୟ ହେଉଛି । ଅପରାହ୍ନରେ ତାଙ୍କୁ ପୁତୁରା ତଥା ସାଂସଦ ଅଭିଶେକ ବାନାର୍ଜୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦଳୀୟ ନେତାମାନେ ହସ୍ପିଟାଲରେ ପହଞ୍ଚି ମମତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଦାରଖ ମଧ୍ୟ କରିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛି । ତାଙ୍କ ସ୍ବସ୍ଥ୍ୟବସ୍ଥା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସୂଚନା ସ୍ପଷ୍ଟ କରିନାହାନ୍ତି ।
ତେବେ ଏହି ଖବର ମିଳିବା ପରେ ବିରୋଧୀ ବିଜେପି କାର୍ଯ୍ୟକର୍ତ୍ତାମାନେ ଦିଦିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ପ୍ରଦେଶ ବିଜେପି ମୁଖ୍ୟ ତଥା ସାଂସଦ ସୁକାନ୍ତ ମଜୁମଦାର ମଧ୍ୟ ଭିଡିଓ ଜାରି କରି ଦିଦିଙ୍କ ଆଶୁଆରୋଗ୍ୟ କମନା କରିଛନ୍ତି । ଅନ୍ୟ ବିଜେପି ନେତା ମଧ୍ୟ ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି । ଅନ୍ୟପଟେ ଦିଦି ଭର୍ତ୍ତି ହୋଇଥିବା ହସ୍ପିଟାଲ ସମ୍ମୁଖରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଳି ଦେଖିବାକୁ ମିଳିଛି । ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ମଧ୍ୟ ହସ୍ପିଟାଲ ପରିସରରେ ପହଞ୍ଚିଛି ।
ଅଧିକ ପଢନ୍ତୁ :-ବାସଭବନରେ ପଡିଯାଇ ମମତା ବାନାର୍ଜୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ସମୟରେ ମଧ୍ୟ ଦିଦି ଆହତ ହୋଇଥିଲେ । ତାଙ୍କ ଗୋଡରେ ଆଘାତ ଲାଗିଥିଲା । ତଥାପି ସେ ନିର୍ବାଚନୀ ମୈଦାନରେ ସକ୍ରିୟ ନଜର ଆସିଥିଲେ । ହ୍ବିଲଚେୟାରରେ ବସି ତାଙ୍କୁ ପ୍ରଚାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ବିରୋଧୀମାନେ ଦିଦିଙ୍କୁ ସମାଲୋଚନା କରିଥିଲେ । ହେଲେ ମମତା ହ୍ବିଲ ଚେୟାରରେ ମଧ୍ୟ ନିର୍ବାଚନ ଲଢି, ବିଜେପିକୁ ବିରୋଧୀ ଦଳର ସ୍ଥାନରେ ରହିବାକୁ ବାଧ୍ୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ