ହାଇଦ୍ରାବାଦ: ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନ ମହାପର୍ବର ପ୍ରସ୍ତୁତି । ଅଧିକାଂଶ ଆସନ ପାଇଁ ପ୍ରମୁଖ ଦଳମାନଙ୍କ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ପ୍ରଚାର କାର୍ଯ୍ୟ ବି ଜୋରଦାର ଦେଖିବାକୁ ମିଳିଲାଣି । ଏପ୍ରିଲ 19ରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ମଧ୍ୟରେ ମତଦାନରେ ବ୍ୟବହୃତ ନୋଟା (NOTA) ବଟନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଏହାର ବ୍ୟବହାରରେ ରୋକ ଲଗାଇବାରେ ମଧ୍ୟ ଅନେକ ଦାବି କରୁଛନ୍ତି ।
ଲୋକସଭା ନିର୍ବାଚନ 2014 ରେ ପ୍ରଥମ ଥର ପାଇଁ ଦେଶରେ ଲାଗୁ ହୋଇଥିଲା NOTA(ନୋଟା) । ଏହାପରେ ଭୋଟିଂରେ ଏହାର ଗୁରୁତ୍ୱ ଦେଖିବାକୁ ମିିଳିଛି । ଯେଉଁ ମତଦାତାମାନଙ୍କୁ ନିର୍ବାଚନରେ ଲଢୁଥିବା କୌଣସି ପ୍ରାର୍ଥୀ ଯୋଗ୍ୟ ଲାଗିନଥାନ୍ତି ସେମାନେ ଏହି ନୋଟା ବିକଳ୍ପ ବ୍ୟବହାର କରିଥାନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶରେ ଏହି ନୋଟା ବ୍ୟବହାର ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି ।
NOTA (ନୋଟା): ମତଦାନ ପାଇଁ ପ୍ରାର୍ଥୀଙ୍କ ନାମ ତଥା ସଙ୍କେତ ସହ ଏକ ନୋଟା (NOTA) ସଙ୍କେତ ମଧ୍ୟ ରହିଥାଏ । ଯାହାର ଅର୍ଥ Non Of The Above (ଏଗୁଡିକ ମଧ୍ୟରୁ କୌଣସି ଗୋଟିଏ ନୁହେଁ) । ଯଦି ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ କେହି ବି ମତାଦାତାଙ୍କୁ ଯୋଗ୍ୟ ନ ଲାଗନ୍ତି ତେବେ ସେ ଏହି ନୋଟା ବିକଳ୍ପକୁ ବାଛି ପାରିବେ ।
ଦେଶରେ NOTA (ନୋଟା)ର ବ୍ୟବହାର କେବେଠୁ ଆରମ୍ଭ ହୋଇଥିଲା: ଭାରତ ସରକାର ବନାମ ପିପୁଲ୍ସ ୟୁନିୟନ ଫର ସିଭିଲ ଲିର୍ବଟିଜ୍ ମାମଲାରେ ଏହି ନୋଟାର ବ୍ୟବହାର ମାମଲା ସାମ୍ନାକୁ ଆସିଥିଲା । ଜନତା ଯଦି କୌଣସି ପ୍ରାର୍ଥୀଙ୍କୁ ଯୋଗ୍ୟ ନ ଭାବୁଛନ୍ତି ତେବେ ସେମାନଙ୍କ ପାଇଁ ଅନ୍ୟ ଏକ ବିକଳ୍ପ ରହିବା ଜରୁରୀ ବୋଲି 2013ରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଜାରି କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶରେ ନୋଟାର ବ୍ୟବହାର ଆରମ୍ଭ ହୋଇଥିଲା ।
2014ରେ EVMରେ ଥିଲା ନୋଟା(NOTA) ର ବିକଳ୍ପ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ 2014 ଲୋକସଭା ନିର୍ବାଚନରେ ପ୍ରଥମେ ନୋଟା(NOTA)ର ବ୍ୟବହାର କରାଯାଇଥିଲା । ଇଭିଏମରେ ନୋଟା ପାଇଁ ଏକ ଗୋଲାପି ରଙ୍ଗର ବଟନ ରହିଥାଏ । ଲୋକସଭା ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ ଉଭୟ ନିର୍ବାଚନରେ ଏହି ନୋଟାର ବ୍ୟବହାର କରାଯାଉଛି ।
ନୋଟା(NOTA) ବ୍ୟବହାର କରିବାରେ ଭାରତ 14ତମ ଦେଶ: ନୋଟା ବିକଳ୍ପକୁ ଏକପ୍ରକାର ବିରୋଧର ଚିହ୍ନ ବୋଲି ମଧ୍ୟ କୁହାଯାଏ । ତେବେ ଭାରତରେ ଏହାର ବ୍ୟବହାର 2014ରେ ଆରମ୍ଭ ହୋଇଥିବା ବେଳେ ଏହାପୂର୍ବରୁ 13ଟି ଦେଶରେ ଏହାର ବ୍ୟବହାର କରାଯାଇଛି । ଆମ ଦେଶ ପୂର୍ବରୁ ଆମେରିକା, ସ୍ୱିଡେନ୍, ଚିଲି, ବେଲଜିୟମ, ଗ୍ରୀସ, କଲମ୍ବିଆ, ୟୁକ୍ରେନ. ଋଷ୍, ବାଂଲାଦେଶ, ବ୍ରାଜିଲ୍, ଫିନଲ୍ୟାଣ୍ଡ୍ ଓ ସ୍ପେନରେ ଏହି ନୋଟାର ବ୍ୟବହାର କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ