ଛାତ୍ରୀଙ୍କ ନିଆରା ଉପହାର, ମୁଖ୍ୟମନ୍ତ୍ରୀଙ୍କୁ ଗିଫ୍ଟ କଲେ ‘ବସ୍ ଟିକଟ ମାଳ’ - Free Bus Tickets Garland - FREE BUS TICKETS GARLAND
Siddaramaiah Free Bus Tickets Garland: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ବସ ଟିକଟ ମାଳ ଉପହାର ଦେଲେ ଦେଲେ ଆଇନ ଛାତ୍ରୀ । ଜାଣନ୍ତୁ କାହିଁକି ।
![ଛାତ୍ରୀଙ୍କ ନିଆରା ଉପହାର, ମୁଖ୍ୟମନ୍ତ୍ରୀଙ୍କୁ ଗିଫ୍ଟ କଲେ ‘ବସ୍ ଟିକଟ ମାଳ’ - Free Bus Tickets Garland Siddaramaiah Free Bus Tickets Garland](https://etvbharatimages.akamaized.net/etvbharat/prod-images/23-04-2024/1200-675-21291529-thumbnail-16x9-ggg.jpg?imwidth=3840)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 23, 2024, 10:15 AM IST
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଏକ ନିଆରା ଉପହାର । ସୋମବାର ଦିନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଏକ ମାଗଣା ବସ ଟିକେଟରେ ତିଆରି ମାଳ ଉପହାର ସ୍ୱରୂପ ମିଳିଛି । ଜଣେ ଆଇନ ଛାତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ଏହି ଟିକଟ ମାଳ ଭେଟି ସ୍ୱରୂପ ଦେଇଛନ୍ତି ।
କର୍ଣ୍ଣାଟକର ଆଇନ ଛାତ୍ରୀ ଜୟଶ୍ରୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ମାଗଣା ବସ ଟିକେଟ ହାର ଦେବା ସହ ଆଉମଧ୍ୟ କହିଛନ୍ତି, "ମହିଳାମାନଙ୍କ ପାଇଁ ମାଗଣାରେ ବସରେ ଯାତ୍ରା କରିବା ପାଇଁ ଯୋଜନା କରିଥିବାରୁ କଂଗ୍ରେସ ସରକାରଙ୍କୁ ଧନ୍ୟବାଦ । ଯାହାକୁ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଲାଗୁ କରିଛନ୍ତି । ଏବେ ଆଇନ ପାଠ ପଢିବାରେ ମୋ ପାଇଁ ଅର୍ଥ ବାଧକ ସାଜୁନାହିଁ । ମୁଁ ମାଗଣାରେ ବସରେ ଯାଇପାରିଥିବାରୁ ଆଇନ ପାଠ ପଢିବାକୁ ସକ୍ଷମ ଅଟେ । ସେଥିପାଇଁ ମୁଁ ସବୁ ମାଗଣା ବସ୍ ଟିକଟ ରଖି ଏହାର ମାଳ ବନାଇଛି । ମୁଁ ଯେତେବେଳେ ଶୁଣିଲି ଆପଣ(ମୁଖ୍ୟମନ୍ତ୍ରୀ) ଅରାସିକେରେ ଆସୁଛନ୍ତି, ମୁଁ ସିଧା ଏହି ମାଳ ନେଇ ଏଠାକୁ ଆସିଛି ।" ଯେତେବେଳେ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ.. ସଲାମ ଡାକ୍ତର ଦିଦି ନିଲମ: କ୍ଲିନିକରେ ଝିଅ ଜନ୍ମ ହେଲେ ମିଠା ବାଣ୍ଟନ୍ତି, ଉପହାର ଦିଅନ୍ତି
କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ବିଭାଗ (ଆରଟିସି) ପକ୍ଷରୁ ରାଜ୍ୟର ମହିଳାମାନଙ୍କ ପାଇଁ ମାଗଣା ବସ ସେବା ଉପଲବ୍ଧ କରାଯାଇଛି । ଏହି ସେବା ଗତବର୍ଷ ଜୁନ ୧୧ ତାରିଖରେ 'ଶକ୍ତି' ଯୋଜନା ଆକାରରେ ରାଜ୍ୟରେ କଂଗ୍ରେସ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଛି । କଂଗ୍ରେସ ଦ୍ୱାରା ଘୋଷଣା କରାଯାଇଥିବା ୫ ଗ୍ୟାରେଣ୍ଟି ମଧ୍ୟରୁ ଏହି 'ଶକ୍ତି' ଯୋଜନା ମଧ୍ୟ ଅନ୍ୟତମ ।
ଏହି ଯୋଜନା ଦ୍ୱାରା ବିଶେଷ କରି କର୍ମଜୀବୀ ମହିଳା ଓ ଛାତ୍ରୀମାନେ ବିଶେଷ ଲାଭବାନ ହୋଇପାରୁଛନ୍ତି । ସରକାରୀ ବସରେ ମାଗଣାରେ ଯାତ୍ରା କରିବା ଦ୍ୱାରା ଯିବା ଆସିବା ପାଇଁ ଅର୍ଥ ବାଧକ ସାଜୁନାହିଁ । ମହିଳାମାନେ 'ସେବା ସିନ୍ଧୁ' ସରକାରୀ ପୋର୍ଟାଲରେ ପଞ୍ଜୀକରଣ କରି ଶକ୍ତି ସ୍ମାର୍ଟ କାର୍ଡ ପାଇଁ ଆବେଦନ କରିପାରିବେ । ଏହି ସ୍ମାର୍ଟ କାର୍ଡରେ ସେମାନେ ବସରେ ଯାତ୍ରା କରିପାରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ