ହାଇଦ୍ରାବାଦ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହାରି ଭିତରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ବହୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେଲାଣି । ଗତ କିଛି ଦିନ ଧରି ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । "ହାଇଦ୍ରାବାଦରେ ରାତିରେ ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ପୋଲିସ ଯୋଗାଇ ଦେବ ଗାଡି । ମାତ୍ର ଗୋଟିଏ କଲ୍ କଲେ ଆସି ପହଞ୍ଚିବ ଗାଡି । ଏହି ସୁବିଧା ରାତି 10ଟାରୁ ସକାଳ 6ଟା ଯାଏଁ ଉପଲବ୍ଧ ହେବ" ଏମିତି କିଛି ଖବର ଭାଇରାଲ ହେବା ପରେ ସଂଶୟ ଉପୁଜିଥିଲା । ଏହା ଉପରେ ସ୍ପଷ୍ଟୀକରଣ ରଖିଛି ତେଲେଙ୍ଗାନା ପୋଲିସ ।
We've seen #misleading information spreading on social media about a " free ride service" being offered by @hydcitypolice,This is not correct, Always verify the facts with trusted sources before sharing. Spreading false information can cause unnecessary panic & confusion. pic.twitter.com/RXqdTiZK9h
— Hyderabad City Police (@hydcitypolice) August 22, 2024
କ'ଣ ସ୍ପଷ୍ଟୀକରଣ ରଖିଲା ପୋଲିସ?
ଏହି 'ଫ୍ରି ରାଇଡ୍ ସର୍ଭିସ' ଏକ ମିଛ ଦାବି ବୋଲି ପୋଲିସ ସ୍ପଷ୍ଟ କରିଛି । ବିଳମ୍ବିତ ରାତିରେ ମହିଳାଙ୍କ ଯାତାୟତ ପାଇଁ ପୋଲିସ ସେପରି କୌଣସି ବ୍ୟବସ୍ଥା କରିନାହିଁ । ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ମିଛ । ଏଥିରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି ସ୍ପଷ୍ଟ କରିଛି ହାଇଦ୍ରାବାଦ ପୋଲିସ ।
'ଫ୍ରି ରାଇଡ୍ ସର୍ଭିସ'କ'ଣ?
ଯଦିଓ ପୋଲିସ ପକ୍ଷରୁ ଏଭଳି ସର୍ଭିସ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇନଥିଲା, ତଥାପି ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ରାତି 10ଟା ପରେ ଏକୁଟିଆ ଯାତ୍ରା କରୁଥିବା ମହିଳା ପୋଲିସକୁ ଯୋଗାଯୋଗ କଲେ ତାଙ୍କ ପାଖରେ ପହଞ୍ଚିବ ଗାଡି । ଆଉ ସେ ସୁରକ୍ଷିତ ଭାବେ କେଉଁ ବି ସ୍ଥାନକୁ ଯାଇପାରିବେ ବୋଲି ପୋଷ୍ଟରେ ଉଲ୍ଲେଖ ରହିଥିଲା । ଏହି ତଥ୍ୟକୁ ମିଛ ବୋଲି ସ୍ପଷ୍ଟ କରିଛି ହାଇଦ୍ରାବାଦ ସିଟି ପୋଲିସ।
'ଅଧିକ ତଥ୍ୟ ପାଇଁ ଯୋଗାଯୋଗ କରନ୍ତୁ'
ଏନେଇ ହାଇଦ୍ରାବାଦ ସିଟି ପୋଲିସ X ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି ଯେ, ଏହି ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା । ଏନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହି ସମ୍ପର୍କରେ ଯଦି କୌଣସି ସୂଚନା ଜାଣିବାର ଥାଏ, ତେବେ ଆପଣ ନିକଟସ୍ଥ ଥାନା ବା ନମ୍ବରରେ ଯୋଗାଯୋଗ କରି ତଥ୍ୟ ପାଇପାରିବେ । ଏଭଳି ମିଛ ଖବରରୁ ଦୂରେଇ ରହିବା ସହ ମନରେ କୌଣସି ସନ୍ଦେହ ନରଖିବାକୁ ପୋଲିସ ଜନସାଧାରଣଙ୍କୁ ଅପିଲ କରିଛି । ଏହାସହ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।