ଡେରାଡୁନ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହଲଦଓ୍ବାନୀରେ ହୋଇଥିବା ଦଙ୍ଗା ମାମଲାରେ ଗିରଫଦାରୀ ସଂଖ୍ୟା ବଢିବାରେ ଲାଗିଛି । ଆଜି ସୁଦ୍ଧା ଏହି ଘଟଣାରେ ମୋଟ 25 ଅଭିଯୁକ୍ତ ଗିରଫ ହୋଇସାରିଲେଣି । ସେମାନଙ୍କ ନିକଟରୁ ଏକାଧିକ ପିସ୍ତଲ, ଅନ୍ୟ ମାରଣାସ୍ତ୍ର ସହ ପ୍ରାୟ 54 ରାଉଣ୍ଡର ଗୁଳି ମଧ୍ୟ ଜବତ ହୋଇଛି । ହିଂସାରେ ସମ୍ପୃକ୍ତ ଏକାଧିକ ପ୍ରମୁଖ ଅପରାଧିଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଅବଦ୍ଦୁଲ ମଲ୍ଲିକ ଫେରାର ରହିଛି । ସେ ରାଜ୍ୟ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି । ହେଲେ ଏକ ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କ ଟିମ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ସ୍ଥାନୀୟ ଏସଏସପି ପ୍ରହ୍ଲାଦ ମିନା କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ଅଭିଯୁକ୍ତ ଗିରଫ ହେବେ । ତଦନ୍ତ ଆଧାରରେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ମଧ୍ୟ ଖୁବଶିଘ୍ର ଗିରଫ ହେବ । ଉକ୍ତ ଅଞ୍ଚଳରେ ବେଆଇନ ଉଚ୍ଛେଦ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯାଇଛି । ବ୍ୟାପକ ଫୋର୍ସ ମୁୟତନ କରିବା ସହ କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣାକୁ କୋହଳ କରାଯାଇଛି । ସ୍ଥିତିରେ ସୁଧାର ଆସିବା ସହ ମାମଲାରେ ତଦନ୍ତ ମଧ୍ୟ ଆଗେଇଛି ବୋଲି ଏସଏସପି ମିନା ପ୍ରେସମିଟରେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାରେ ଧାମି ସରକାର ‘ଏକକ ନାଗରିକ ସଂହିତା ଅଧିନିୟମ ପାସ କରିବାର ପରଦିନ ହଲଦଓ୍ବାନୀରେ ଏହି ହିଂସା ଦେଖିବାକୁ ମିଳିଥିଲା । ସେଠାରେ ଦୀର୍ଘବର୍ଷରୁ ସମସ୍ୟା ସୃଷ୍ଟି କରୁଥିବା ଜବରଦଖଲ ଓ ସରକାରୀ ଜମିରେ ନିର୍ମିତ ବେଆଇନ ଧାର୍ମିକସ୍ଥଳୀ ଉଚ୍ଛେଦ କରିବା ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଟିମକୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ପଥରମାଡ ସହ ପୋଲିସ ଭ୍ୟାନ ଜଳାପୋଡା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ :- କେନ୍ଦୁପତ୍ର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା
ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମଧ୍ୟ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା । ହିଂସାରେ ମୋଟ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏକାଧିକ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଏବେ 25ରେ ପହଞ୍ଚିଥିବା ବେଳେ ଆଗକୁ ଏହି ସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ