ଲକ୍ଷ୍ନୌ: ଆଜି ରାମନଗରୀ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ପାଳିତ ହୋଇଛି ପ୍ରଥମ ହୋଲି ଉତ୍ସବ । ଚଳିତବର୍ଷ ପ୍ରାରମ୍ଭରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ମନ୍ଦିରରେ ଏହା ହେଉଛି ପ୍ରଥମ ହୋଲି ଉତ୍ସବ । ଆଜି ମନ୍ଦିରରେ ପରିସରରେ ଫଗୁ ଖେଳିଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁମାନେ ପରସ୍ପରକୁ ଫଗୁ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସେବାୟତ, ପୂଜକବର୍ଗ, ପୋଲିସ ଓ ମନ୍ଦିର ପ୍ରଶାସନର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ହୋଲି ଉତ୍ସବ ଉପଲକ୍ଷେ ରାମଲାଲାଙ୍କ ଦର୍ଶନ ପାଇଁ ଲାକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଛି । ରାମଲାଲାଙ୍କ ହୋଲି ଉତ୍ସବ ପାଇଁ ବିଶେଷ ନୀତିକାନ୍ତି ମଧ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିର ପରିସରରେ ହୋଲି ଉତ୍ସବର ଏକାଧିକ ଫଟୋ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ‘ଏକ୍ସ’ରେ ସେୟାର ମଧ୍ୟ କରାଯାଇଛି ।
![ଶ୍ରଦ୍ଧାଳୁଙ୍କୁ ଫଗୁ ବୋଳୁଛନ୍ତି ପୋଲିସ କର୍ମୀ](https://etvbharatimages.akamaized.net/etvbharat/prod-images/25-03-2024/21068496_3.jpg)
ଆଜି ମନ୍ଦିରରେ ସ୍ବତନ୍ତ୍ର ହୋଲି ଉତ୍ସବ ନୀତିକାନ୍ତ ଅନୁସାରେ, ରାମଲାଲା ନିକଟରେ ପାରମ୍ପରିକ 56 ଭୋଗ ମଧ୍ୟ ଲାଗି କରାଯାଇଛି । ଏହା ସହ ‘ରାଗ ଭୋଗ’ ନୀତିରେ ରାମଲାଲାଙ୍କୁ ଅବିର ଓ ଗୁଲାଲ ମଧ୍ୟ ଲାଗି କରାଯାଇଛି । ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ରାମଲାଲା ଆଜି ପ୍ରଥମ ଫଗୁ ଖେଳିଛନ୍ତି । ଗୁଲାଲରେ ରାମଲାଲାଙ୍କ କପାଳ ଶୃଙ୍ଗାର କରାଯାଇଛି । ପରମ୍ପରା ଅନୁସାରେ ରାମଲାଲାଙ୍କୁ ଆଜି ଗୋଲାପୀ ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରାଯାଇଛି ।
![ହୋଲି ଉତ୍ସବରେ ରାମଲାଲାଙ୍କ ସ୍ବତନ୍ତ୍ର ଶୃଙ୍ଗାର](https://etvbharatimages.akamaized.net/etvbharat/prod-images/25-03-2024/21068496_2.jpg)
![ରାମଲାଲା ଖେଳିଲେ ପ୍ରଥମ ହୋଲି](https://etvbharatimages.akamaized.net/etvbharat/prod-images/25-03-2024/21068496_1.jpg)
ଜାନୁଆରୀ 22 ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ 23 ରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ମୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ହୋଇଥିଲେ । ଏବେ ପର୍ଯ୍ୟନ୍ତ କୋଟି କୋଟି ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିସାରିଛନ୍ତି । ପ୍ରତ୍ୟେକ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ବିଶେଷ ପର୍ବପର୍ବାଣୀରେ ଶ୍ରଦ୍ଧାଳୁଙ୍କ ସଂଖ୍ଯା ବେଶ ଅଧିକ ରହୁଛି । ହୋଲି ଉତ୍ସବ ଉପଲକ୍ଷେ ମଧ୍ୟ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସରରେ ଫଗୁ ଖେଳିଛନ୍ତି । ଅନ୍ୟପଟେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ପ୍ରମୁଖ ମନ୍ଦିରଗୁଡିକରେ ମଧ୍ୟ ହୋଲି ଉତ୍ସବ ପାଳିତ ହୋଇଛି ।
![ରାମ ମନ୍ଦିରରେ ପ୍ରଥମ ହୋଲି ଉତ୍ସବ ପାଇଁ ସ୍ବତନ୍ତ୍ର ନୀତିକାନ୍ତି, ଫଗୁ ଖେଳିଲେ ଶ୍ରଦ୍ଧାଳୁ](https://etvbharatimages.akamaized.net/etvbharat/prod-images/25-03-2024/21068496_4.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ