ନୂଆଦିଲ୍ଲୀ: ଏମଏସପି ଦାବିରେ ସ୍ବତନ୍ତ୍ର ଆଇନ ଆଣିବା ଦାବିରେ ଜାରି ରହିଛି କୃଷକଙ୍କ ଦିଲ୍ଲୀ ଚଲୋ ଅଭିଯାନ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ଜାରି ରହିଛି 'ଦିଲ୍ଲୀ ଚଲୋ' ଆନ୍ଦୋଳନ । ପଞ୍ଜାବ ହରିୟାଣା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ବିକ୍ଷୋଭକାରୀମାନେ ଚଣ୍ଡୀଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଦୁଇଥର ବୈଠକ କରିଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା । ଅନ୍ୟପକ୍ଷରେ ଆଜି ଚାଷୀ ନେତାମାନେ କେନ୍ଦ୍ର ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ‘ଏମଏସପି’ ଗ୍ୟାରେଣ୍ଟି ଆଇନ, ପୂର୍ବ ଆନ୍ଦୋଳନରେ ଚାଷୀ ବିରୋଧରେ ହୋଇଥିବା ମାମଲାକୁ ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ । ସେପ୍ଟେମ୍ବର ୨୦୨୦ ମସିହାରେ କେନ୍ଦ୍ର ସରକାର ସଂଶୋଧିତ କୃଷି ଆଇନକୁ ସଂସଦରେ ଗୃହୀତ କରାଇବା ସହିତ ଆଇନରେ ପରିଣତ କରିଥିଲେ । କିନ୍ତୁ ଏହି ଆଇନ ପ୍ରଚଳିତ ହେଲେ କୃଷିବଜାର ଧ୍ବସଂ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ । ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁୃତି ପୂରଣ କରିନଥିବା ଅଭିଯୋଗରେ ପୁଣି ଆନ୍ଦୋଳନ ଡାକରା ଦେଇଛନ୍ତି ଏକାଧିକ କୃଷକ ସଂଗଠନ । ହରିୟାଣାରେ ଏହି ଆନ୍ଦୋଳନକୁ ଦୃଷ୍ଟି ରଖି ଦୁଇଟି ବିଶାଳ ଷ୍ଟାଡିୟମକୁ ଅସ୍ଥାୟୀ ଜେଲ ଭାବେ ଆଗୁଆ ପ୍ରସ୍ତୁତ କରି ରଖାଯାଇଛି । ହରିୟାଣାର ସିରସାରେ ଥିବା ଚୌଧୁରୀ ଦଲବୀର ସିଂ ଇଣ୍ଡୋର ଷ୍ଟାଡିୟମ ଓ ଦବଓ୍ବାଲୀରେ ଗୁରୁ ଗୋବିନ୍ଦ ସିଂ ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରାଯାଇଛି । ଯଦି ମାର୍ଚ୍ଚ ବେଳେ ପୋଲିସ ସହିତ ଧସ୍ତାଧସ୍ତି କିମ୍ବା ହିଂସକ ସ୍ଥିତି ସୃଷ୍ଟି ହୁଏ, ତେବେ କୃଷକମାନଙ୍କୁ ଅଟକ ସହ ଜେଲରେ ସାମୟିକ ଭାବେ ରଖାଯିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହାରି ଭିତରେ କୃଷି ଆନ୍ଦୋଳନକୁ ନେଇ ଏମ୍. ଏସ୍. ସ୍ବାମୀନାଥନଙ୍କ ଝିଅ ମଧୁରା ସ୍ବାମୀନାଥନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆନ୍ଦୋଳନକାରୀ ଚାଷୀଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ ରୋକା ଯାଉଥିବାକୁ ନେଇ ସେ କହିଛନ୍ତି, ଦେଶର ବୈଜ୍ଞାନିକମାନଙ୍କୁ କୃଷକମାନଙ୍କ ସହିତ ପରାମର୍ଶ କରିବା ଉଚିତ । ସେମାନଙ୍କୁ ଅପରାଧୀ ଭଳି ବ୍ୟବହାର କରିବା ଅନୁଚିତ । ମଧୁରା ସ୍ବାମୀନାଥନଙ୍କ ଏଭଳି ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: 'ଦିଲ୍ଲୀ ଚଲୋ' ଆନ୍ଦୋଳନ ଜାରି: ରେଳରୋକ କଲେ କୃଷକ, ଆଜି କେନ୍ଦ୍ର ସହ ପୁଣି ଆଲୋଚନା
ମଧୁରା ସ୍ବାମୀନାଥନ ଆହୁରି ମଧ୍ୟ କହିଛନ୍ତି ଯେ, "ପଞ୍ଜାବର କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି । ରିପୋର୍ଟ ଅନୁସାରେ ହରିୟାଣାରେ ସେମାନଙ୍କ ପାଇଁ ଜେଲ ପ୍ରସ୍ତୁତ କରାଯାଉଛି । ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ରୋକିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉଛି । ଏମାନେ କୃଷକ, ଅପରାଧୀ ନୁହନ୍ତି । ମୁଁ ଭାରତର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଅନୁରୋଧ କରୁଛି ଯେ ଆମ କୃଷକମାନଙ୍କ ସହିତ କଥା ହୁଅନ୍ତୁ । ଏପରି ଅପରାଧୀ ଭଳି ବ୍ୟବହାର କରିବା ଅନୁଚିତ । ସେମାନଙ୍କୁ ସମ୍ମାନ ଦେବା ଉଚିତ । ଏହାର ସମାଧାନ ଖୋଜିବାକୁ ପଡିବ । ଭବିଷ୍ୟତରେ କୌଣସି ରଣନୀତି ପ୍ରସ୍ତୁତ କରିବାକୁ ହେଲେ କୃଷକମାନଙ୍କୁ ସାଙ୍ଗରେ ନେବା ଉଚିତ । "ମଙ୍ଗଳବାର ଦିନ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ(IARI) ପକ୍ଷରୁ ଏମଏସ ସ୍ବାମୀନାଥନଙ୍କୁ ଭାରତରତ୍ନ ପୁରସ୍କାର ଘୋଷିତ ଖୁସିରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ । ଏଥିରେ ତାଙ୍କ ଝିଅ ମଧୁରା ସ୍ବାମୀନାଥନ ଯୋଗଦେଇ ଏଭଳି କହିଛନ୍ତି । ପ୍ରକାଶ ଥାଉକି, ଦେଶରେ କୃଷି ଏବଂ କୃଷକଙ୍କ କଲ୍ୟାଣରେ ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନ ଉଲ୍ଲେଖନୀୟ ଅବଦାନ ରହିଛି । ଭାରତୀୟ କୃଷିକୁ ଆଧୁନିକୀକରଣ ଦିଗରେ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ ।