ମୁମ୍ବାଇ: ଶେଷ ପର୍ଯ୍ୟାୟରେ 2024 ଲୋକସଭା ନିର୍ବାଚନ । ଜୁନ 1 ତାରିଖ ଦେଶରେ ନିର୍ଣ୍ଣାୟକ ଲଢେଇ । ଜୁନ 4 ତାରିଖରେ ଭୋଟ ଗଣତି ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦୃଢୋକ୍ତି । ଚଳିତ ନିର୍ବାଚନରେ 'ମହାୟୁତି' 40 ଲୋକସଭା ଆସନ ଜିତିବ । ଉତ୍ତର ପ୍ରଦେଶ ପରେ ମହାରାଷ୍ଟ୍ର ଅଧିକ ଲୋକସଭା ଆସନ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟରେ ମୋଟ 48ଟି ଲୋକସଭା ଆସନ ରହିଛି । ବିଜେପି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବ ସେନା, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନସିପିକୁ ନେଇ ଗଠିତ ମହାୟୁତି ଗଠବନ୍ଧନ ।
'ମହାରାଷ୍ଟ୍ରରେ ଆମେ 40ରୁ ଅଧିକ ଆସନ ଜିତିବୁ'
ଇଟିଭି ଭାରତ ସହିତ ମୁଖ୍ୟମନ୍ତ୍ରୀ ସିନ୍ଦେ ଆଲୋଚନା କରି କହିଛନ୍ତି, "ମହାରାଷ୍ଟ୍ରରେ 5ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ମୋର ପୂର୍ଣ୍ଣ ବିଶ୍ବାସ ଯେ ଆମେ 40ରୁ ଅଧିକ ଲୋକସଭା ଆସନରେ ବିଜୟୀ ହେବୁ । ଆମ ସରକାରରେ ରାଜ୍ୟରେ ବନ୍ଦ ପଡ଼ିଥିବା ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମେଟ୍ରୋ ପ୍ରକଳ୍ପ, ବାଲାସାହେବ ଠାକରେ ସମୃଦ୍ଧି ମହାମାର୍ଗ, ଗେମ ଚେଜିଂ ଅଟଳ ସେତୁ, ମୁମ୍ବାଇ କୋଷ୍ଟାଲ ରୋଡ୍ ଭଳି ବିକାଶମୂଳକ କାର୍ଯ୍ୟ ହୋଇଛି । ଆମ ସରକାର ଚାଷୀ, ମହିଳା, ଯୁବବର୍ଗଙ୍କ ପାଇଁ ଯେଉଁ ନିଷ୍ପତ୍ତି ନେଉଛି, ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବିକାଶ କାର୍ଯ୍ୟ କରିଛନ୍ତି, ଯାହାକୁ କଂଗ୍ରେସ ଗତ 50-60 ବର୍ଷ ମଧ୍ୟରେ କରିପାରିନଥିଲା...ଏପରିକି ସେମାନେ ଆସନ୍ତା 100 ବର୍ଷ ମଧ୍ୟରେ ବି ଏହା କରିପାରିବେ ନାହିଁ । ଆମେ ବିକାଶ ଏଜେଣ୍ଡା ନେଇ ଲୋକଙ୍କୁ ପାଖକୁ ଯାଉଛୁ । ଲୋକେ ବିକାଶକୁ ବେଶ ଗୁରୁତ୍ବ ଦେଉଛନ୍ତି । ମହାୟୁତି ନିଶ୍ଚିତ ରାଜ୍ୟରେ 40ରୁ ଅଧିକ ଆସନ ଜିତିବ ।"
'FDI ରାଙ୍କରେ ମହାରାଷ୍ଟ୍ର ପ୍ରଥମ'
ଆମ ସରକାର କ୍ଷମତାକୁ ଆସିବା ପରେ ମହାରାଷ୍ଟ୍ର ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ)ରେ ନଂ-1ରେ ରହିଛି । ଜିଡିପିରେ ଆମର ଅଂଶ ଅଧିକ ରହିଛି । ପୂର୍ବରୁ ଏଠାକୁ ଲୋକ ଆସୁନଥିଲେ, ଏବେ ରାଜ୍ୟକୁ ଅଧିକରୁ ଅଧିକ ଲୋକ ଆସୁଛନ୍ତି । ପୂର୍ବରୁ ଶିଳ୍ପପତିଙ୍କ ଘରେ ଦୁର୍ବୃତ୍ତ ବୋମା ଖଞ୍ଜୁଥିଲେ । ହେଲେ ଆମ ସରକାର ଆସିବା ପରେ ଏହା ବନ୍ଦ ହୋଇଛି । ଆମେ ଶିଳ୍ପକୁ ପ୍ରୋତ୍ସାହିତ କରୁଛୁ । ମହାରାଷ୍ଟ୍ରକୁ ଗୁରୁତ୍ବ ଦିଆଯାଉଛି, ଯାହାକୁ ସାରା ବିଶ୍ବରେ ଶିଳ୍ପପତି ବେଶ ପସନ୍ଦ କରୁଛନ୍ତି । ଆମର ଭିତ୍ତିଭୂମି, ଦକ୍ଷତା, ଉତ୍ତମ ସଂଯୋଗୀକରଣ, କୁଶଳୀ ମାନବ ଶକ୍ତି ଏବଂ ପୁଞ୍ଜି ବିନିଯୋଗ ଯୋଗୁଁ ଏହା ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେଉଛି । ଯାହାଦ୍ବାରା ଯୁବପିଢିଙ୍କ ନିଯୁକ୍ତି ବୃଦ୍ଧି ହେବାର ସୁଯୋଗ ରହିଛି । ଆମକୁ କେନ୍ଦ୍ର ମଧ୍ୟ ସହଯୋଗ କରୁଛି ବୋଲି ସେ କହିଛନ୍ତି ।
'ଯିଏ ଘରେ ବସୁଛନ୍ତି ଲୋକେ ତାକୁ ଭୋଟ୍ ଦେଉନାହାନ୍ତି'
ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ଙ୍କୁ ସିନ୍ଦେ ଟାର୍ଗେଟ କରି କହିଛନ୍ତି ଯେ ଯେଉଁ ସରକାର ଘରେ ବସି ଫେସବୁକ ଲାଇଭ କରୁଛନ୍ତି ଲୋକେ ତାଙ୍କୁ ଭୋଟ ଦେଉନାହାନ୍ତି । ଯିଏ ମୈଦାନରେ ରହି ବିକାଶମୂଳକ କାର୍ଯ୍ୟ କରୁଛି ଲୋକେ ତାକୁ ସମର୍ଥନ ଦେଉଛନ୍ତି । ସାରା ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଜୋରସୋରରେ ଚାଲିଛି ବୋଲି କହିଛନ୍ତି ପଚପଖାଡ଼ି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ସିନ୍ଦେ ।
'ବିରୋଧୀଙ୍କ ନିକଟରେ କୌଣସି ମୁଦ୍ଦା ନାହିଁ'
ବିରୋଧୀଙ୍କୁ ଟାର୍ଗେଟ କରି ସିନ୍ଦେ କହିଛନ୍ତି, "ସେମାନେ ବିକାଶ ବିଷୟରେ କିଛି କହିପାରିବେ ନାହିଁ, କାରଣ ଯଦି ସେମାନେ ଏହା କରନ୍ତି, ତେବେ ପ୍ରଧାନମନ୍ତ୍ରୀ ସେମାନଙ୍କ ଦ୍ବାରା କରାଯାଇଥିବା କାମର ଗଣନା ଆରମ୍ଭ କରିବେ ଏବଂ ଏହାପରେ ସେମାନଙ୍କର ପାଟି ବନ୍ଦ ହୋଇଯିବ । ତେଣୁ ସେମାନେ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହୁଛନ୍ତି । ଡ.ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ଯୋଗୁଁ ଦେଶ ଚାଲିଛି ଏବଂ ଯେଉଁଥିପାଇଁ ମୋଦିଜୀଙ୍କ ପରି ସାଧାରଣ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି, ଯାହାକୁ ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ବୀକାର କରିଛନ୍ତି । କଂଗ୍ରେସ 50-60 ବର୍ଷ ମଧ୍ୟରେ ସମ୍ବିଧାନ ବିଷୟରେ ଚିନ୍ତା କରିନି । ମୋଦିଜୀ ଥିଲେ ଯିଏକି ଦେଶର ସମ୍ବିଧାନ ଦିବସର ଆରମ୍ଭ କରିଛନ୍ତି ।"
'ଭାରତକୁ ସୁପର-ପାୱାରରେ ପରିଣତ କରିବେ ମୋଦି'
ସିନ୍ଦେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, "ଯଦି ଭାରତକୁ କେହି ସୁପର ପାୱାରରେ ପରିଣତ କରିବ, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ କଣ କରିଛି, କଂଗ୍ରେସ ଦେଶକୁ ବିଭାଜିତ କରିଛି । ସେମାନେ ପାକିସ୍ତାନୀଙ୍କ ଭାଷା କହୁଛନ୍ତି । ସେମାନଙ୍କର ଗୋଟିଏ ଏଜେଣ୍ଡା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାସ୍ତ କରିବା । କିନ୍ତୁ ଏପଟେ ସେମାନେ 2014, 2019 ଓ 2024ରେ ମଧ୍ୟ ହାରିବେ ।"
ଏହା ବି ପଢନ୍ତୁ- EXCLUSIVE: 'ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ