ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ତାରିଖ ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ରାଜନୈତିକ ଦଳ । ଚଳିତ ଥର ନିର୍ବାଚନ 7ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଭାରତୀୟ ନିର୍ବାଚନ କମିଶନ(ECI) ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଏପ୍ରିଲ 19ରେ ପ୍ରଥମ ପର୍ଯ୍ୟାୟ ଭୋଟ୍
ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ 19 ତାରିଖରେ 21ଟି ରାଜ୍ୟରେ 102ଟି ଆସନରେ ଭୋଟ ଗ୍ରହଣ କରାଯିବ । ଏହି ସିଟ୍ ପାଇଁ ମାର୍ଚ୍ଚ 27 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏହାପରେ ମାର୍ଚ୍ଚ 28 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀମାନେ ଚାହିଁଲେ ମାର୍ଚ୍ଚ 30 ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । କିନ୍ତୁ ବିହାରରେ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ସୀମା ଗୋଟିଏ ଦିନ ବୃଦ୍ଧି କରାଯାଇଛି । ହୋଲି ରହିଥିବାରୁ 28 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ସେହିପରି ବିହାରରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଏପ୍ରିଲ 2 ରଖାଯାଇଛି। 19 ଏପ୍ରିଲରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ4ରେ ପ୍ରକାଶ ପାଇବ ରେଜଲ୍ଟ ।
- ମାର୍ଚ୍ଚ 27 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ
- ମାର୍ଚ୍ଚ 28ରେ ନାମାଙ୍କନ ପତ୍ର ଯାଞ୍ଚ
- ମାର୍ଚ୍ଚ 30 ନାମାଙ୍କନ ପତ୍ର ପ୍ରତ୍ୟାହାର
- ବିହାରରେ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ଗୋଟିଏ ଦିନ ବୃଦ୍ଧି
- ବିହାରରେ 28 ତାରିଖ ଯାଏଁ ନାମାଙ୍କନ, ଏପ୍ରିଲ 2 ପ୍ରତ୍ୟାହାରର ଶେଷ ଦିନ
- ଏପ୍ରିଲ 19ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ
- ଜୁନ 4ରେ ଫଳାଫଳ ଘୋଷଣା
ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଏହି 21 ରାଜ୍ୟରେ ନାମାଙ୍କନ: ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସର୍ବାଧିକ 39ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହିତ ରାଜସ୍ଥାନର 12, ଉତ୍ତରପ୍ରଦେଶର 8, ମଧ୍ୟପ୍ରଦେଶର 6, ଆସାମ, ଉତ୍ତରଖଣ୍ଡ ଏବଂ ମହାରାଷ୍ଟ୍ରରେ 5 ଲେଖାଏଁ, ବିହାରରେ 4, ପଶ୍ଚିମବଙ୍ଗରେ 3, ଅରୁଣାଞ୍ଚଳପ୍ରଦେଶରେ, ମଣିପୁର ଏବଂ ମେଘାଳୟରେ 2 ଲେଖାଏଁ, ମଜୋରାମ, ନାଗାଲାଣ୍ଡ, ଆଣ୍ଡାମାନ-ନିକୋବର, ଜମ୍ମୁକାଶ୍ମୀର, ଲକ୍ଷାଦ୍ବୀପ, ପୁଡୁଚେରୀ, ସିକିମ, ଛଡିଶଗଡ଼ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେବ ।
ଏହା ମଧ୍ୟ ପଢନ୍ତୁ: 2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ: 19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ
ନାମାଙ୍କନ ପ୍ରକ୍ରିୟା କଣ: ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୁଏ । ଆଜି(ମାର୍ଚ୍ଚ 20) ପ୍ରଥମ ପର୍ଯ୍ଯାୟ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆଜିଠାରୁ ଏସବୁ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ନାମ ପଞ୍ଜିକରଣ କରିବେ । ନିର୍ବାଚନ କ୍ଷେତ୍ରରେ ଜନସାଧାରଣଙ୍କ ଭୋଟ୍ ପାଇବା ପାଇଁ ସେ ଜଣେ ଉପଯୁକ୍ତ ପ୍ରାର୍ଥୀ ବୋଲି ଦର୍ଶାଇବେ । ଏହାପରେ ପ୍ରାର୍ଥୀମାନେ ଦେଖଲ କରିଥିବା ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ପରେ ପାର୍ଥୀ ନିଷ୍ପତ୍ତି ନିଆଯିବ । ପ୍ରାର୍ଥୀ ସ୍ଥିର ହେବା ପରେ ବା ପ୍ରାର୍ଥିପତ୍ର କାଏମ ରହିବା ପରେ ହିଁ ଜଣେ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ