କୋଲକାତା: ଦାୟିତ୍ବ ଗ୍ରହଣ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ପୁଣିଥରେ ପଶ୍ଚିମବଙ୍ଗ ପୋଲିସ ଡିଜିପିକୁ ନିର୍ବାଚନ କମିଶନ ପରିବର୍ତ୍ତନ କରିଛନ୍ତି । ଗତକାଲି ରାଜୀବ କୁମାରଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ ବିବେକ ସହାୟଙ୍କୁ ପରିବର୍ତ୍ତନ କରାଯାଇଛି । ତାଙ୍କ ସ୍ଥାନରେ ଅନ୍ୟ ଜଣେ ବରିଷ୍ଠ ଆଇପିଏସ ସଞ୍ଜୟ ମୁଖାର୍ଜୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଗତକାଲି ନିର୍ବାଚନ କମିଶନ ପ୍ରଥମେ ରାଜୀବ କୁମାରଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଥିଲେ । ଏହାର ମାତ୍ର କିଛି ସମୟ ମଧ୍ୟରେ ମମତା ସରକାର ବିବେକ ସହାୟଙ୍କୁ ନୂତନ ଡିଜି ଭାବେ ନିଯୁକ୍ତ କରିଥିଲେ । ଏହାର ମାତ୍ର 24ଘଣ୍ଟା ନପୂରୁଣ ପୁଣିଥରେ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିଛନ୍ତି । ଫଳରେ ବିବେକଙ୍କୁ ଅପସାରିତ କରି ନିର୍ବାଚନ କମିଶନଙ୍କ ସୁପାରିଶ ଅନୁସାରେ ସଞ୍ଜୟ ମୁଖାର୍ଜୀଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତ କରାଯାଇଛି ।
ବିବେକ ସହାୟଙ୍କୁ ବରିଷ୍ଠତା ଭିତ୍ତିରେ ନିଯୁକ୍ତି କରାଯାଇଥିଲା । ମାତ୍ର ଲୋକସଭା ନିର୍ବାଚନ ଶେଷ ହେବା ପୂର୍ବରୁ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତାଙ୍କ ସ୍ଥାନରେ ଆଉ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ଆୟୋଗ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ମମତା ସରକାର 3 ବରିଷ୍ଠ ପୋଲିସ ଅଧିକାରୀଙ୍କ ନାମ ପ୍ରସ୍ତାବ ରଖିଥିଲେ । ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ଭାରତୀୟ ପୋଲିସ ସେବାର 1989 ବ୍ୟାଚର ବରିଷ୍ଠ ଅଧିକାରୀ ସଞ୍ଜୟ ମୁଖାର୍ଜୀଙ୍କ ନାମରେ ମୋହର ମାରିଥିଲେ ଆୟୋଗ । ଆଜି ସଂଧ୍ୟା ସୁଦ୍ଧା ତାଙ୍କ ନିଯୁକ୍ତି ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରି ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ମଧ୍ୟ ଆୟୋଗ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ :- CAA ଉପରେ ସ୍ଥଗିତାଦେଶ ପାଇଁ ମନା କଲେ SC, କେନ୍ଦ୍ରକୁ ମାଗିଲେ ଜବାବ
ଗତକାଲି ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର କୁହାଯାଉଥିବା ରାଜୀବ କୁମାରଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଥିଲେ । ଏହା ସହ 6 ରାଜ୍ୟର ଗୃହସଚିବଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଗୋଟିଏ ପଦବୀରେ ଗତ 3ବର୍ଷରୁ ଅଧିକ, କିମ୍ବା ନିଜ ଗୃହଜିଲ୍ଲାରେ କାର୍ଯ୍ୟରତ ଥିବା ଅଧିକାରୀଙ୍କୁ ଅନ୍ୟତ୍ର କିମ୍ବା ଅନ୍ୟ ବିଭାଗକୁ ବଦଳି କରିବା ପାଇଁ ନିର୍ବାଚନ ଆଚରଣ ବିଧିରେ ନିୟମ ରହିଛି । କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଦ୍ବାରା ଏହାର ଉଲ୍ଲଙ୍ଘନ ସ୍ଥଳେ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବେ । ଯାହା ପଶ୍ଚିମବଙ୍ଗ କ୍ଷେତ୍ରରେ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ