ନୂଆଦିଲ୍ଲୀ: ଶକ୍ତି ସଞ୍ଚୟ ଅନୁଚିନ୍ତା ସହ ଆଜି ସଂଧ୍ୟାରେ ସାରା ବିଶ୍ବରେ ପାଳନ ହେଉଛି ଆର୍ଥ ଆଓ୍ବାର ଡେ’ । ସଂଧ୍ୟା ସାଢେ 8 ଟାରୁ ସାଢେ 9 ଟା ପର୍ଯ୍ୟନ୍ତ ସମସ୍ତ ସାର୍ବଜନୀନ ସ୍ଥାନ, ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଓ ସରକାରୀ କାର୍ଯ୍ୟାଳୟରେ ଲାଇଟ୍ ଅଫ କରାଯାଇଛି । ଦିଲ୍ଲୀରୁ ଆରମ୍ଭ କରି ପ୍ରାୟ ସମସ୍ତ ରାଜ୍ୟରେ ଏହାକୁ ପଳନ କରାଯାଇଛି । ଦିଲ୍ଲୀର ଐତିହାସିକ ଇଣ୍ଡିଆଗେଟ, ଅକ୍ଷରଧାମ ମନ୍ଦିର, କୋଲକାତାର ହାଓ୍ବଡା ବ୍ରିଜ, ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ, ହାଇଦ୍ରାବାଦର ଚାରମିନାର ପରି ଐତିହାସିକ ସ୍ଥଳୀ ସମେତ ଏକାଧିକ ରାଜ୍ୟର ବିଧାନସଭା ଓ ସଚିବାଳୟ ସମେତ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଫିସରେ ଘଣ୍ଟାଏ ପାଇଁ ଲଇଟ ଅଫ କରାଯାଇଛି । ଭାରତ ସମେତ ବିଶ୍ବର ବିଭିନ୍ନ ଶତାଧିକ ପ୍ରମୁଖ ସହରରେ ଲଇଟ ଅଫ ସହ ସମସ୍ତ ବୈଦ୍ୟୁତିକ ଉପକରଣର ବ୍ୟବହାର ବନ୍ଦ କରି ବିଶ୍ବବାସୀ ଶକ୍ତି ସଞ୍ଜୟ ଦିଗରେ ନିଜର ଜାଗୃତତା ଦେଖାଇଛନ୍ତି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ 23 ତାରିଖରେ ଏହାକୁ ପାଳନ କରାଯାଉଛି । ଧିରେ ଧିରେ ଏହି ଧାରାରେ ପ୍ରତିବର୍ଷ ବିଭିନ୍ନ ଦେଶବାସୀ ସାମିଲ ହେବାରେ ଲାଗିଛନ୍ତି ।
କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା ଆର୍ଥ ଆହ୍ବାର ଡେ’:-
2007 ମସିହା ମାର୍ଚ୍ଚ 23ରେ ଅଷ୍ଟ୍ରେଲିଆ ରାଜଧାନୀ ସିଡନୀ ସହରରେ ପ୍ରଥମଥର ପାଇଁ ଏହି ଦିବସ ଆୟୋଜନ କରାଯାଇଥିଲା । ବିଶ୍ବର ବିକାଶରେ ଶକ୍ତିର ଆବଶ୍ୟକତା, ଏହାର ଅପଚୟ ରୋକିବା ଓ ଏହାକୁ ସଞ୍ଜୟ କରିବା ପରି ଅନୁଚିନ୍ତା ସହ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ବିଶ୍ବରେ ବେଶ ଆଦୃତ ହୋଇଥିଲା । ଏହି ସଚେତନତାର ପ୍ରଭାବ ଧୀରେ ଧୀରେ ସମଗ୍ର ବିଶ୍ୱର ବିଭିନ୍ନ କୋଣରେ ଗ୍ରହଣୀୟ ହୋଇସାରିଛି । ଏହି ଅଭିଯାନକୁ ବର୍ତ୍ତମାନ ବିଶ୍ବର ପ୍ରାୟ 190ରୁ ଅଧିକ ଦେଶ ଗ୍ରହଣ କରିଛନ୍ତି । ପ୍ରତିବର୍ଷ ଏହି ବୈଶ୍ବିକ କାର୍ଯ୍ୟକ୍ରମରେ କୋଟି କୋଟି ବିଶ୍ବବାସୀ ଅଂଶଗ୍ରହଣ କରୁଛନ୍ତି । ଆଲୋକ ଓ ବିଦ୍ୟୁତଚାଳିତ ସରଞ୍ଜାମର ସାମୟିକ ବ୍ୟବହାର ବନ୍ଦ କରି ଶକ୍ତି ସଞ୍ଚୟ ଓ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ।
ଭାରତ ପରି ବିଶାଳ ଓ ଜନସଂଖ୍ୟା ବହୁଳ ରାଷ୍ଟ୍ରରେ ମଧ୍ୟ ଶକ୍ତି ଅପଚୟ ରୋକିବା ଓ ସଞ୍ଚୟ କରିବା ଏକ ପ୍ରମୁଖ ଆହ୍ବାନ ଭାବେ ସାମ୍ନାକୁ ଆସିଛି । ଭାରତରେ ମଧ୍ୟ ଏହାକୁ ନେଇ ବେଶ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ଗତ କିଛି ବର୍ଷ ହେଲାଣି ସ୍ପଷ୍ଟ ଦୃଶ୍ୟମାନ ହେଉଛି । ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ସମସ୍ତ ରାଜ୍ୟ ଓ ପ୍ରମୁଖ ସହରରେ ଆଜି ଘଣ୍ଟାଏ ପର୍ଯ୍ୟନ୍ତ ଆଲୋକ ବନ୍ଦ କରିବା ସହ ବୈଦ୍ୟୁତିକ ଉପକରଣର ବ୍ୟବହାରକୁ ସାମୟିକ ସ୍ଥଗିତ ରଖାଯାଇଛି । କିଛି ସ୍ଥାନରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ କ୍ୟାଣ୍ଡେଲ ମଧ୍ୟ ଜଳାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ