ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ସପ୍ତମ ସମନକୁ ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ବାରମ୍ବାର ସମନ ସତ୍ତ୍ୱେ ଧରାଛୁଆଁ ନଦେଇ ଭୁଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଆଜି ମଧ୍ୟ ଇଡିରେ ହାଜର ହେଲେ ନାହିଁ ବୋଲି ଆପ୍ ପକ୍ଷରୁ କୁହାଯାଇଛି । ଏନେଇ ଆପ ପକ୍ଷରୁ କୁହାଯାଇଛି, ଆଜି ଇଡିରେ ହାଜର ହେବେ ନାହିଁ ଅରବିନ୍ଦ କେଜ୍ରିଓ୍ବାଲ । ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 15ରେ ହେବା ନେଇ ଧାର୍ଯ୍ୟ କରାଯାଇଛି । ଇଡି ବାରମ୍ବାର ସମନ ପଠାଇବା ପରିବର୍ତ୍ତେ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ । ଇଣ୍ଡିଆମେଣ୍ଟ ଛାଡିବା ପାଇଁ ଆମ ଉପରେ ଏକ ପ୍ରକାର ଚାପ ପ୍ରୟୋଗ କରାଯାଉଛି । କିନ୍ତୁ ଆମେ ଏହାକୁ ଛାଡିବୁ ନାହିଁ । ମୋଦି ସରକାର ଆମ ଉପରେ ଏଭଳି ଚାପ ପକାଇବା ଉଚିତ ନୁହେଁ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି(ସୋମବାର) ହାଜର ହେବାକୁ ସମନ କରିଥିଲା ଇଡି । ଏହା କେଜ୍ରିୱାଲଙ୍କୁ ସପ୍ତମ ସମନ ଥିଲା । ଗୋଟିଏ ପଟେ ଦିଲ୍ଲୀ ବିଧାନସଭା ଅଧିବେଶନ ଜାରି ରହିଛି । କେଜ୍ରିୱାଲ ହାଜର ହେବା ମାମଲା କୋର୍ଟରେ ବିଚାରାଧୀନ ଥିବା ନେଇ ପୂର୍ବରୁ ମଧ୍ୟ କହିସାରିଛି ଆମ ଆଦମୀ ପାର୍ଟି । ବଜେଟ୍ ଅଧିବେଶନ ପରେ ଇଡିରେ ହାଜର ହେବେ ବୋଲି ସମୟ ମାଗିଥିଲେ କେଜ୍ରିୱାଲ । ତଥାପି ଇଡି ସମନ କରିଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।
ସୂଚନା ଅନୁସାରେ, ଗତ ୨୧ ଫେବ୍ରୁଆରୀରେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା । ଫେବ୍ରୁଆରୀ ୨୬ ଅର୍ଥାତ୍ ଆଜିର ଦିନରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା । ଏହା ପୂର୍ବରୁ ସମନ ଏଡ଼ାଇବା ଅଭିଯୋଗରେ କେଜ୍ରିୱାଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ରାଉଜ ଆଭେନ୍ୟୁ କୋର୍ଟ । ହେଲେ ସେ ଭର୍ଚୁଆଲରେ କୋର୍ଟରେ ହାଜର ହେବା ସହ ବଜେଟ୍ ଅଧିବେଶନ ପରେ ଇଡିରେ ହାଜର ହେବେ ବୋଲି ସମୟ ମାଗିଥିଲେ ।
ଏହା ମଧ୍ୟ ପଢନ୍ତୁ...ଗଲେନି କୋର୍ଟ, ଭିସି ଜରିଆରେ ହାଜର ହେଲେ କେଜ୍ରିୱାଲ: ମାର୍ଚ୍ଚ ୧୬ରେ ହାଜର ପାଇଁ ନିର୍ଦ୍ଦେଶ
ଏହା ମଧ୍ୟ ପଢନ୍ତୁ...କଳ୍ପନା ସୋରେନଙ୍କ ସହ କଥା ହେଲେ କେଜ୍ରିୱାଲ, କହିଲେ ହେମନ୍ତଙ୍କୁ ସଲାମ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ଆଣିଥିବା ଅଭିଯୋଗର ଶୁଣାଣି କରି କୋର୍ଟ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଲଗାତାର ଇଡି ସମନକୁ ଅଣଦେଖା କରୁଛନ୍ତି । ମନି ଲଣ୍ଡରିଂ ଆଇନ ଆନ୍ତର୍ଗତ ଧାରା 50 ଆଧାରରେ କେଜ୍ରିୱାଲଙ୍କୁ ୬ ଥର ସମନ କରାଯାଇଛି। ହେଲେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନାହାନ୍ତି । ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ନ୍ୟାୟିକ ହେପାଜତରେ ଅଛନ୍ତି । ସଞ୍ଜୟ ସିଂଙ୍କୁ 4 ଅକ୍ଟୋବର 2023ରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେହିପରି ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ 9 ତାରିଖ 2023ରେ ପଚରାଉଚରା କରିବା ପରେ ତାଙ୍କୁ ତିହାର ଜେଲକୁ ପଠାଯାଇଥିଲା । ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ରାଡାରରେ ରହିଛନ୍ତି । ବାରମ୍ବାର ସମନ ସତ୍ତ୍ବେ ମଧ୍ୟ ଏଯାଏଁ ହାଜର ହୋଇନାହାନ୍ତି କେଜ୍ରିୱାଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ