ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଏହାପରେ ସେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି । ଶନିବାର ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ 'ମୋଦି ଗ୍ୟାରେଣ୍ଟି' ଉପରେ ପ୍ରଶ୍ନ ଉଠାଇଛନ୍ତି । ଆସନ୍ତା ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 75ବର୍ଷ ହେବା ପରେ ସେ ଅବସର ନେବେ । ସେତେବେଳେ କିଏ ମୋଦି ଗ୍ୟାରେଣ୍ଟି ପୂରଣ କରିବ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।
ଆପ୍ ମୁଖ୍ୟ କେଜ୍ରିୱାଲ କହିଛନ୍ତି, "ଇଣ୍ଡିଆ ମେଣ୍ଟକୁ ସବୁବେଳେ ପ୍ରଶ୍ନ କରାଯାଏ କି ଆପଣଙ୍କର ପ୍ରଧାନମନ୍ତ୍ରୀ ଚେହେରା କିଏ ? ହେଲେ ଆଜି ମୁଁ ବିଜେପିକୁ ପ୍ରଶ୍ନ କରୁଛି ତାଙ୍କର ପ୍ରଧାନମନ୍ତ୍ରୀ କିଏ ହେବ ? କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 17 ତାରିଖରେ 75ବର୍ଷର ହୋଇଯିବେ । ବିଜେପିର ନିୟମ ଅନୁସାରେ 75ବର୍ଷ ବୟସ ପୂରଣ ହେବା ପରେ ଉକ୍ତ ନେତା ଦଳରୁ ଅବସର ଗ୍ରହଣ କରେ । ଯେପରି ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ସୁମିତ୍ରା ମହାଜନଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଏହି ପ୍ରକାରେ ଅବସର ନେଇଛନ୍ତି । ଏହିପରି ଭାବରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅବସର ନେବେ । ଲୋକସଭା ନିର୍ବାଚନ ପରେ ବିଜେପି ସରକାର ପୁଣି ଆସିଲେ କିଏ ପୂରଣ କରିବ ମୋଦି ଗ୍ୟାରେଣ୍ଟି ।"
କେଜ୍ରିୱାଲ ଏନେଇ ଅମିତ ଶାହଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, "ମୋଦି ଏବେ ନିଜ ପାଇଁ ନୁହେଁ, ବରଂ ଅମିତ ଶାହଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ତେବେ ମୋଦି ଗ୍ୟାରେଣ୍ଟି କଣ ଅମିତ ଶାହ ପୂରଣ କରିବେ ? "
ଜବାବ ରଖିଲେ ଶାହ: ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କ ମୋଦିଙ୍କ ଅବସର ନେଇ ପ୍ରଶ୍ନରେ ଜବାବ ରଖିଛନ୍ତି ବିଜେପିର ଶୀର୍ଷ ନେତୃତ୍ବ ଅମିତ ଶାହ । ଶାହ କହିଛନ୍ତି, " ବିଜେପିର କୌଣସି କନଫ୍ୟୁଜନ ନାହିଁ । ମୋଦି ହିଁ ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟିତ୍ବ ନେବେ । ବିଜେପିର ସମ୍ବିଧାନରେ ଏପରି କୌଣସି ନିୟମ ନାହିଁ । ମୋଦି ନିଜ କାର୍ଯ୍ୟକାଳ ପୂରଣ କରି ଦେଶର ଦାୟିତ୍ବ ସମ୍ଭାଳିବେ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ