ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଏହା ପୂର୍ବରୁ ଅସ୍ଥିତ୍ବ ବଞ୍ଚାଇବା ପାଇଁ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଇଣ୍ଡିଆ ମେଣ୍ଟ ସଂଘର୍ଷ କରୁଛି । ଏହାରି ମଧ୍ୟରେ ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବ୍ୟସ୍ତ ଅଛନ୍ତି । ତେଣୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲଙ୍କ ନେତୃତ୍ବାଧୀନ ଏହି ଯାତ୍ରାର ପୂର୍ବ ନିର୍ଦ୍ଧାରିତ ଅବଧିରେ ପ୍ରାୟ 10 ଦିନ ହ୍ରାସ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି । ରାହୁଲ ଲୋକସଭା ନିର୍ବାଚନରେ ଧ୍ୟାନ ଦେଇପାରିବାକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି ।
ତେବେ ଏନେଇ ଦଳ ବିଧିବଦ୍ଧ ଘୋଷଣା କରିନଥିଲେ ସୁଦ୍ଧା ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶରେ ଯାତ୍ରାର ଯେଉଁ ଅବଧି ନିର୍ଦ୍ଧାରିତ କରାଯାଇଥିଲା, ସେଥିରେ ହ୍ରାସ କରାଯିବ । ଉତ୍ତର ପ୍ରଦେଶରେ ଦଳ 11 ଦିନ ଯାତ୍ରା ସୂଚୀ ରଖିଥିବା ବେଳେ ଏଥିରେ ପ୍ରାୟ ଅଧା ଦିବସ ହ୍ରାସ କରାଯାଇପାରେ । ସେହିପରି ଅନ୍ୟ କିଛି ରାଜ୍ୟରେ ମଧ୍ୟ ନିର୍ଦ୍ଧାରିତ ଅବଧିରୁ ଗୋଟିଏ କିମ୍ବା ଦୁଇଦିନ ଲେଖାଏଁ ହ୍ରାସ ପାଇପାରେ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମାର୍ଚ୍ଚ 20 ତାରିଖରେ ମୁମ୍ବାଇରେ ଶେଷ ହେବାର ଥିଲା । ହେଲେ ଏହି ଯାତ୍ରାକୁ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରିବା ପାଇଁ ଦଳ ଏବେ ନୂଆ ନିଷ୍ପତ୍ତି ଗ୍ରହଣ କରିଛି ।
ରାହୁଲ ଏହି ଯାତ୍ରା ଆରମ୍ଭ କରିବା ପରେ ପରିକ୍ରମାରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ‘ଇଣ୍ଡିଆ’ ମେଣ୍ଟରେ ଅନେକ କିଛି ପରିବର୍ତ୍ତନ ହୋଇସାରିଲାଣି । ରାହୁଲଙ୍କ ଯାତ୍ରା ବଙ୍ଗରେ ପ୍ରବେଶ କରିବା ପୂର୍ବରୁ ମମତା ବାନାର୍ଜୀ କଂଗ୍ରେସ ସହ ଆସନ ବୁଝାମଣା କରିବେ ନାହିଁ ବୋଲି ଘୋଷଣା କରିଥିଲେ । ସେହିପରି ବିହାରରେ ମଧ୍ୟ ସାମାନ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ନିଜେ ବିରୋଧୀଙ୍କୁ ବିଜେପି ବିରୋଧରେ ଏକାଠି କରିବାର କାମ ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ‘ଇଣ୍ଡିଆ’ ମେଣ୍ଟ ଛାଡି ବିଜେପି କ୍ୟାମ୍ପକୁ ଲମ୍ଫ ଦେଇସାରିଛନ୍ତି । ଉତ୍ତର ପ୍ରଦେଶରେ ମଧ୍ୟ ମେଣ୍ଟର ଅନ୍ୟତମ ସହଯୋଗୀ ଅଖିଳେଶଙ୍କ ସମାଜବାଦୀ ପାର୍ଟି ଅଧିକ ଆସନରେ ଲଢିବାକୁ ଯାଉଛି । ଏପରିକି ଅଖିଳେଶ 16ଟି ହାଇପ୍ରାଫାଇଲ ଆସନରେ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିସାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :-ଇଡି ଅଫିସରେ କଂଗ୍ରେସ ସାଂସଦ ଧୀରଜ ସାହୁ, ଚାଲିଛି ଜେରା
କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଦୁର୍ବଳ ହେଉଥିବା ବେଳେ ସାଧାରଣ ନିର୍ବାଚନ ମଧ୍ୟ ପାଖେଇବାରେ ଲାଗିଛି । ଏପରି ସମୟରେ କଂଗ୍ରେସ ରାହୁଲଙ୍କୁ ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ସାମାନ୍ୟ ଅବ୍ୟାହତି ଦେଇ ନିର୍ବାଚନରେ ଫୋକସ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଏହିକ୍ରମରେ ଯାତ୍ରାର ଅବଧି 10 ଦିନ ହ୍ରାସ କରିବାକୁ ଦଳ ନିଷ୍ପତ୍ତି ନେଇଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ