ବେଙ୍ଗାଲୁରୁ: ଶୁକ୍ରବାର ବେଙ୍ଗାଲୁରୁ ସହରର ଏକ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି । ଆଜି ଏହି ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀ ଜି.ପରମେଶ୍ବର କହିଛନ୍ତି, ଅଭିଯୁକ୍ତକୁ ଚିହ୍ନଟ କରାଯାଇ ସାରିଛି । ତା’ ସମ୍ପର୍କରେ ତଥ୍ୟ ଏକାଠି କରାଯାଉଛି । ବେଙ୍ଗାଲୁରୁ ପୋଲିସର 8ଟି ଟିମ ସହ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଏହି ମାମଲାରେ ତଦନ୍ତ କରୁଛନ୍ତି । ଖୁବଶିଘ୍ର ଅଭିଯୁକ୍ତ ଗିରଫ ହେବ । ସହରରେ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଅତିରିକ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି ।
ଏହି ବିସ୍ଫୋରଣ ପରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଗୃହମନ୍ତ୍ରୀ ନିଜ ବାସଭବନରେ ପ୍ରେସମିଟ କରି କହିଛନ୍ତି, "ଘଟଣାର ତଦନ୍ତ ଅଗ୍ରାଧିକାର ଭାବେ କରାଯାଉଛି । ବେଙ୍ଗାଲୁରୁ ପୋଲିସର 8 ଟିମ ଏହି ମାମଲାର ତଦନ୍ତ କରୁଛି । ଅଭିଯୁକ୍ତକୁ ଚିହ୍ନଟ କରାଯାଇ ସାରିଛି । ତା’ ବିରୋଧରେ ସାଇଣ୍ଟିଫିକ ପ୍ରମାଣ ଏକାଠି କରାଯାଉଛି । ଫୋରେନସିକ ଟିମ ମଧ୍ୟ ତଦନ୍ତରେ ନିୟୋଜିତ ହୋଇଛନ୍ତି । ପ୍ରାୟତଃ ଖୁବଶୀଘ୍ର ତାକୁ ଗିରଫ କରିବାରେ ପୋଲିସ ସଫଳ ହେବ । ତେବେ ସେ କୌଣସି ସଂଗଠନ ସହ ସମ୍ପୃକ୍ତ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଏହି ବିସ୍ଫୋରଣ କରିଛି, ତାହା ଗିରଫଦାରୀ ପରେ ସ୍ପଷ୍ଟ ହୋଇପାରିବ ।"
ଏହା ବି ପଢନ୍ତୁ- ରାମେଶ୍ବରମ କାଫେ ବିସ୍ଫୋରଣର ସୁରାକ, ସିସିଟିଭିରେ କଏଦ ସନ୍ଦିଗ୍ଧ ଫଟୋ
ଏହି ମାମଲାକୁ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରାଯାଉଛି । ରାଜ୍ୟ ପୋଲିସ ବ୍ୟତୀତ ଜାତୀୟ ସଂସ୍ଥା ‘ଏନଆଇଏ’ ଓ ‘ଏନଏସଜି’ ମଧ୍ୟ ତଦନ୍ତରେ ଲାଗିଛି । ବିସ୍ଫୋରଣ ସାମାନ୍ୟ ଧରଣ ଥିଲା । ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ । ଆହତମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମାମଲାକୁ ଅତି ଗମ୍ଭୀରତାର ସହ ନିଆଯାଉଛି । ବେଙ୍ଗାଲୁରୁର ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରାଯିବ । ସହରର ସମ୍ବେଦନଶୀଳ ଓ ବ୍ୟବସ୍ତବହୁଳ ସ୍ଥାନରେ ଅଧିକ ସିସିଟିଭି ଇନଷ୍ଟଲ କରାଯିବା ସହ ମନିଟରିଂ ସେଲ ମଧ୍ୟ ଖୋଲାଯିବା ନେଇ ମଧ୍ୟ ଗୃହମନ୍ତ୍ରୀ କହିଛନ୍ତି ।
ଏହା ବି ପଢନ୍ତୁ- ବେଙ୍ଗାଲୁରୁ ବିସ୍ଫୋରଣକୁ ନେଇ ରାଜନୀତି କରନ୍ତୁ ନାହିଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
ଶୁକ୍ରବାର କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟସ୍ଥ ରାମେଶ୍ବରମ ନାମକ ଏକ କାଫେରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ 9ଜଣ ଆହତ ହୋଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତକୁ ମଧ୍ୟ ସିସିଟିଭି କ୍ୟାମେରାରେ ଠାବ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ