ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମ ବା ‘ସିଏଏ’ ଲାଗୁ କରିଛନ୍ତି ମୋଦି ସରକାର । 2019 ମସିହା ଡିସେମ୍ବରରେ ପାରିତ ହୋଇସାରିଥିଲେ ସୁଦ୍ଧା କୌଣସି କାରଣ ପାଇଁ 4 ବର୍ଷ ବିଳମ୍ବ ହେବା ପରେ ଏବେ ଠିକ ନିର୍ବାଚନ ପୂର୍ବରୁ ଏହି ନିୟମ କାର୍ଯ୍ୟକାରିତାକୁ ଆସିଛି । ସ୍ବାଭାବିକ ଭାବେ ବିରୋଧୀ ଦଳମାନେ ମୋଦି ସରକାରର ଏହି ନିଷ୍ପତ୍ତିକୁ ଭୋଟବ୍ୟାଙ୍କ ଓ ନିର୍ବାଚନୀ ରାଜନୀତି ସହ ଯୋଡି କଡା ସମାଲୋଚନା କରିବା ଜାରି ରଖିଛନ୍ତି । ଏହିକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରିବିନ୍ଦ କେଜ୍ରିଓ୍ବାଲ ଆଜି ଏକ ଦୀର୍ଘ ଭିଡିଓ ଜାରି କରି ଏହି ନିଷ୍ପତ୍ତିକୁ ବିଭିନ୍ନ ଦୃଷ୍ଟିକୋଣରୁ ଶାଣିତ ସମାଲୋଚନା କରିବା ସହ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ।
କେଜ୍ରିଓ୍ବାଲ କହିଛନ୍ତି, ବିଜେପି କେବଳ ନିର୍ବାଚନ ପୂର୍ବରୁ ଭୋଟବ୍ୟାଙ୍କ ପାଇଁ ଏହାକୁ ଲାଗୁ କରିଛି । ସେମାନେ ଯଦି ଗତ ଦଶ ବର୍ଷ ହେଲା କାମ କରିଛନ୍ତି, ତେବେ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବାର ଆବଶ୍ୟକତା କ’ଣ ଥିଲା । ଏହାର ଅର୍ଥ ପାକିସ୍ତାନ, ବାଂଲାଦେଶ ଓ ଆଫିଗାନିସ୍ତାନରୁ ଲୋକଙ୍କୁ ଆଣି ଭାରତରେ ଥଇଥାନ କରାଯିବ । ଭାରତରେ ଲୋକଙ୍କ ପାଇଁ ରହିବାକୁ ସ୍ଥାନ ନାହିଁ, ସେମାନଙ୍କୁ କେଉଁଠି ଥଇଥାନ କରାଯିବ । ଏହି ନିଷ୍ପତ୍ତି ପରେ ଆହୁରି ଶରଣାର୍ଥୀ ଆସିବେ । ସେମାନଙ୍କ ପାଇଁ କର୍ମନିଯୁକ୍ତି କେଉଁଠୁ ଆସିବ । ଏହା ଏକ ଭୟଙ୍କର ନିଷ୍ପତ୍ତି । ଦେଶପାଇଁ ବେଶ ବିପଦପୂର୍ଣ୍ଣ । ଦେଶରେ ହିଂସା ଓ ଅରାଜକତା ସୃଷ୍ଟି ହେବ । ଆଇନ ଶୃଙ୍ଖଳାକୁ ମଧ୍ୟ ଏହି ନିଷ୍ପତ୍ତି ଜନ୍ମ ଦେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କେଜ୍ରିଓ୍ବାଲ ।
ସେହିପରି ଏହା ଫଳରେ ଉତ୍ତର-ପୂର୍ବ ରାଜ୍ୟ ଆସାମର ମୂଳସଂସ୍କୃତି ମଧ୍ୟ ନଷ୍ଟ ହେବାର ଯଥେଷ୍ଟ ଆଶଙ୍କା ରହିଛି । ସେଠାକାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାଜ୍ୟବାସୀଙ୍କ ସ୍ବାର୍ଥରେ ଏହାକୁ ବିରୋଧ କରିବା କଥା । ମାତ୍ର ସେ ସେପରି କଲେ ନାହିଁ । ବିଜେପିର ଭୁଲ ନୀତି ଫଳରେ ବହୁ ଭାରତୀୟ ବ୍ୟବସାୟୀ ଏବେ ଦେଶ ଛାଡି ବିଦେଶ ପଳାୟନ କରିଛନ୍ତି । ସେମାନଙ୍କୁ ଦେଶକୁ ଫେରାଇ ଆଣିବା କଥା । ସେମାନେ ଦେଶକୁ ଫେରିଲେ ଉଦ୍ୟୋଗ ପ୍ରତିଷ୍ଠା କରିଥାନ୍ତେ, ବ୍ୟବସାୟ ଆରମ୍ଭ କରିଥାନ୍ତେ, ଦେଶରେ ନିଯୁକ୍ତି ବଢିଥାନ୍ତା ବୋଲି କେଜ୍ରିଓ୍ବାଲ ଯୁକ୍ତି ବାଢିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ବିବାଦୀୟ ବିଲ ପାସ ହେବା ବେଳେ ମଧ୍ୟ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରତିବାଦ ଦେଖାଯାଇଥିଲା । ଦିଲ୍ଲୀ ସାହିନବାଗରେ ହୋଇଥିବା ହିଂସାରେ ଏକାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ସେତେବେଳେ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ଏହି ନିୟମକୁ ବିରୋଧ କରିଥିଲେ । ଏବେ ନିର୍ବାଚନ ସମୟରେ ଏହାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଛି । ତମାମ ଆଲୋଚନା ମଧ୍ୟରେ କେନ୍ଦ୍ର ସରକାର କିନ୍ତୁ ଏକ ଓ୍ବେବସାଇଟ ପ୍ରସ୍ତୁତ କରି ନାଗରିକତା ପଞ୍ଜୀକରଣ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ