ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ 6 ଦିନିଆ ଇଡି ରିମାଣ୍ଡରେ ଯିବେ ଅରବିନ୍ଦ କେଜ୍ରିୱାଲ । ଆଜି ରାଉଜ ଆଭେନ୍ୟୁ କୋର୍ଟରେ 10 ଦିନିଆ ରିମାଣ୍ଡର ନେବା ଲାଗି ଇଡି ଆବେଦନ କରିଥିବା ବେଳେ କୋର୍ଟ 6 ଦିନ ପାଇଁ ଅନୁମତି ଦେଇଛନ୍ତି । ପ୍ରଥମେ କୋର୍ଟ କେଜ୍ରିୱାଲଙ୍କ ରିମାଣ୍ଡକୁ ନେଇ ରାୟ ସଂରକ୍ଷିତ ରଖିଥିବା ବେଳେ ରାତି 8ଟା 30ରେ ଶୁଣାଣି କରିଛନ୍ତି । 6 ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେବା ପରେ ଏବେ କେଜ୍ରିୱାଲ ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ।
ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯିବା ପରେ ଶୁଣାଣି ଆରମ୍ଭ ହୋଇଥିଲା । ଇଡି ନିଜ ପକ୍ଷ ରଖିବା ସମୟରେ କହିଥିଲା ଯେ ଆପ ସୁପ୍ରିମୋ କେଜ୍ରିୱାଲ ମାମଲାର ଅନ୍ୟ ଜଣେ ଅଭିଯୁକ୍ତଙ୍କଠାରୁ 100 କୋଟି ଟଙ୍କା ପାଇଁ ଦାବି କରିଥିଲେ । ଅବକାରୀ ଦୁର୍ନୀତି ମାମଲାରୁ ଆସିଥିବା 45 କୋଟି ଟଙ୍କାକୁ ଆପ୍ ଗୋଆ ନିର୍ବାଚନରେ ବିନିଯୋଗ କରିଥିଲା । ତେବେ ଏବେ କେଜ୍ରିୱାଲ ଇଡି ରିମାଣ୍ଡରେ ଯିବା ପରେ କଣ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନା ଏହି ଦାୟିତ୍ବ ଆଉ କାହାକୁ ହସ୍ତାନ୍ତର କରିବେ । ମାତ୍ର କୋର୍ଟରୁ ବାହାରିବା ସମୟରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବେ ଓ ଜେଲରୁ ସରକାର ଚଲାଇବେ ବୋଲି କହିଛନ୍ତି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ଦୃଢ ଭାବେ ବିରୋଧ କରି ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।
ଏହା ବି ପଢନ୍ତୁ- ଆପ୍ ସରକାରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଦଳରେ କିଏ; କମାଣ ସମ୍ଭାଳିବେ କି ପତ୍ନୀ ?
କୋର୍ଟରେ ଶୁଣାଣି ସମୟରେ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାର କିଙ୍ଗପିନ ବୋଲି କହିଥିଲା ଇଡି । ହେଲେ ଏହାକୁ କେଜ୍ରିୱାଲଙ୍କ ଓକିଲ ବିକ୍ରମ ଚୌଧୁରୀ ଖଣ୍ଡନ କରିଥିଲେ । ଏହି ଦୁର୍ନୀତିରେ କେଜ୍ରିୱାଲଙ୍କ କୌଣସି ଭୂମିକା ନଥିବା ସେ କହିଥିଲେ । ମନୀଷ ସିସୋଦିଆଙ୍କ ସହିତ ମିଶି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇଡି ଅଭିଯୋଗ ଆଣିବା ପରେ କେଜ୍ରିୱାଲ ଏହାକୁ ଖଣ୍ଡନ କରିଥିଲେ ।
ଏବେ ବଡ଼ ପ୍ରଶ୍ନ ହେଉଛି ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଏବେ କଣ ଜେଲରୁ ଚାଲିପାରିବ କି ସରକାର ? ଯଦି ଏପରି ନ ହୁଏ, ତେବେ ଆପ ନେତା ଆତିଶି, ସୌରଭ, ଗୋପାଳ ରାୟ ନା କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, କିଏ ସମ୍ଭାଳିବେ କମାଣ ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ