ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ 'ମେ ଭି କେଜ୍ରିଓ୍ବାଲ' କ୍ୟାମ୍ପେନ ଆରମ୍ଭ କରିବ ଆମ ଆଦମୀ ପାର୍ଟି । ଏନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । କେଜ୍ରିଓ୍ବାଲଙ୍କ ଗିରଫଦାରୀ ପରେ ରବିବାର ଦଳର ଏକ ବୈଠକ ବସିଥିଲା । ଆପର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ବୈଠକର ଅଧ୍ୟକ୍ଷତା କରିଥିଲେ । କେଜ୍ରିଓ୍ବାଲଙ୍କ ଗିରଫଦାରୀ ପରେ ଦଳର ରଣନୀତି କଣ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।
ବୈଠକ ପରେ ଆପ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, କେଜ୍ରିୱାଲ ସିଏମ ପଦରୁ ଇସ୍ତଫା ଦେବେ ନାହିଁ । ମନ୍ତ୍ରୀ, ବିଧାୟକ ଏବଂ ଦଳ ତାଙ୍କ ଜେଲରୁ ତାଙ୍କ ନିର୍ଦ୍ଦେଶ ନେବା ଜାରି ରଖିବେ । ସନ୍ଦୀପ ପାଠକ କହିଛନ୍ତି, ''ଖୁବ୍ ଶୀଘ୍ର ମେ ଭି କେଜ୍ରିୱାଲ୍ ଅଭିଯାନ ଆରମ୍ଭ ହେବ । ଏହାର ପୋଷ୍ଟର ଗୁଡିକ ଘର ବାହାରେ ଏବଂ ଅଟୋ-ରିକ୍ସାରେ ଲଗାଯିବ । ଏହି ଅଭିଯାନର ହୋର୍ଡିଂ ମଧ୍ୟ ଲଗାଯିବ। ମାର୍ଚ୍ଚ 31 INDIA ବ୍ଲକ୍ ରାଲିରେ ଯୋଗଦେଉଥିବା ଲୋକମାନେ ମେ ଭି କେଜ୍ରିୱାଲ ଅଭିଯାନର ଷ୍ଟିକର୍ ସେମାନଙ୍କ ଗାଡିରେ ଲଗାନ୍ତୁ । କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବାକୁ ମୁଁ ଅନୁରୋଧ କରୁଛି । ସରକାର ଜେଲରୁ ଚାଲିବ । କେଜ୍ରିୱାଲଙ୍କୁ ଗିରଫ କରିବା ଏବଂ ପରେ ଦଳ ଭାଙ୍ଗିବା ବିଜେପିର ଷଡଯନ୍ତ୍ର । କେହିବି ଦଳର ହାତ ଛାଡିବେ ନାହିଁ । ''
ଏହା ମଧ୍ୟ ପଢନ୍ତୁ-କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ୩୧ରେ ଇଣ୍ଡିଆ ମେଣ୍ଟର ମହାରାଲି - INDIA bloc mega rally
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ମାର୍ଚ୍ଚ 31 ରେ ବିରୋଧୀ INDIA ବ୍ଲକ ଦିଲ୍ଲୀର ରାମଲୀଳା ମଇଦାନରେ ମହାରାଲି କରିବ । ଏଥିରେ AAP ଏବଂ କଂଗ୍ରେସ ନେତାମାନେ ଅଂଶଗ୍ରହଣ କରିବେ । ଗତକାଲି ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ । ଏହି ରାଲି ରାଜନୈତିକ ନୁହେଁ, ବରଂ ଦେଶର ଗଣତନ୍ତ୍ରର ସୁରକ୍ଷା ଏବଂ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବାନ ହେବ ବୋଲି କହିଥିଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ।
ମାର୍ଚ୍ଚ 26ରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସମସ୍ତ କାଉନସିଲରଙ୍କ ସହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଯାହା ମାର୍ଚ୍ଚ 31ରେ ହେବାକୁ ଥିବା ରାଲିକୁ ଏକ ବଡ଼ ସଫଳତା ଦେବ । ମାର୍ଚ୍ଚ 27-28 ରେ ବିଧାୟକ ଏବଂ କାଉନସିଲରଙ୍କ ସହ ଜୋନାଲ ସ୍ତରର ବୈଠକ ଆୟୋଜନ କରାଯିବ । ଯାହା ଦ୍ବାରା ପ୍ରତ୍ୟେକ ବୁଥରୁ 10 ଜଣ ଲେଖାଏଁ ରାଲିରେ ସାମିଲ ହୋଇପାରିବେ ।