ରାଞ୍ଚି: ଜେଏମଏମ ନେତା ଚମ୍ପାଇ ସୋରେନ ଝାଡ଼ଖଣ୍ଡର ୧୨ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଘୋଡ଼ା ବେପାର ଭୟରେ ରାଞ୍ଚିରୁ ହାଇଦ୍ରାବାଦ ଯାତ୍ରା କରିଥିବା ମହାମେଣ୍ଟ ବିଧାୟକ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଜେଏମଏମ ଓ ଝାଡ଼ଖଣ୍ଡ କଂଗ୍ରେସର ମୋଟ ୪୩ ଜଣ ବିଧାୟକ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନେ ଏକ ବସ ଯୋଗେ ଏୟାରପୋର୍ଟରୁ ବାହାରିଥିବା ଦେଖିବାକୁ ମିଳିଛି । ତେଲେଙ୍ଗାନାରେ କଂଗ୍ରେସ କ୍ଷମତାରେ ଥିବାରୁ ଏହି ମହାମେଣ୍ଟ ବିଧାୟକଙ୍କୁ ଘୋଡ଼ା ବେପାରରୁ ବଞ୍ଚାଇବା ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଦାୟିତ୍ବ ଦିଆଯାଇଛି ।
ଦିନକୁ ଦିନ ଝାଡଖଣ୍ଡ ରାଜନୀତି ରୋଚକ ହେବାରେ ଲାଗିଛି । ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜେଏମଏମ ନେତା ଚମ୍ପାଇ ସୋରେନ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମଧ୍ୟ ବିପଦ ଟଳିନାହିଁ । କାରଣ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଆସନ୍ତା ୧୦ ଦିନ ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ । ଝାଡଖଣ୍ଡ ବିଧାନସଭାର ଆସନ ସଂଖ୍ୟା ୮୧ ଥିବା ବେଳେ ଚମ୍ପାଇଙ୍କ ନିକଟରେ ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି । ହେଲେ ଏହି ୧୦ ଦିନ ଭିତରେ ବିଜେପି କୌଣସି ଗୋଟି ଚାଳନା କରିବା ଆଶଙ୍କା କରି ମହାମେଣ୍ଟ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇ ଦିଆଯାଇଛି ।
ଏହା ବି ପଢନ୍ତୁ- ଗଢ଼ିଲେ ସରକାର, ଟଳିନି ସଂକଟ: ଘୋଡ଼ା ବେପାର ଭୟରେ ରାଞ୍ଚିରୁ ହାଇଦ୍ରାବାଦ ଚାଲିଲେ ମହାମେଣ୍ଟ ବିଧାୟକ
ଏହା ବି ପଢନ୍ତୁ- ଝାଡ଼ଖଣ୍ଡ ନାଟକ: କୋର୍ଟରେ ହେମନ୍ତ, ହାଇଦ୍ରାବାଦ ଅଭିମୁଖେ ମେଣ୍ଟ ବିଧାୟକ !
ଶୁକ୍ରବାର ମହାମେଣ୍ଟର ୪୩ ଜଣ ବିଧାୟକ ରାଞ୍ଚିରୁ ହାଇଦ୍ରାବାଦରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ବିମାନ ବନ୍ଦରରୁ ବାହାରିଛନ୍ତି । ସେମାନଙ୍କ ସହିତ ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ଦୀପା ଦାସଙ୍କୁ ମଧ୍ୟ ବିଧାୟକଙ୍କ ସହିତ ଦେଖିବାକୁ ମିଳିଥିଲା । ଏହି ସମସ୍ତ ବିଧାୟକଙ୍କୁ ତେଲେଙ୍ଗାନାର କ୍ୟାପିଟାଲ ସିଟି ହାଇଦ୍ରାବାଦର ଏକ ପଞ୍ଚ ତାରକା ହୋଟେଲରେ ରଖାଯିବ । ସେମାନଙ୍କ ଉପରେ ନଜର ରଖିବା ଲାଗି ତେଲେଙ୍ଗାନା ମନ୍ତ୍ରୀ ପୁନମ ପ୍ରଭାକରଙ୍କୁ ଦାୟିତ୍ବ ଦିଆଯାଇଛି । ବିଧାୟକଙ୍କ ରହଣି ଲାଗି ୨ଟି ପଞ୍ଚ ତାରକା ହୋଟେଲରେ ବ୍ୟବସ୍ଥା ହୋଇଛି । ଫ୍ଲୋର ଟେଷ୍ଟ ହେବା ପର୍ଯ୍ୟନ୍ତ ମହାମେଣ୍ଟ (ଜେଏମମ ଓ କଂଗ୍ରେସ) ବିଧାୟକମାନେ ହାଇଦ୍ରାବାଦରେ ରହିବେ ।
କାହିଁକି ଭାଙ୍ଗିଲା ସରକାର ?:- ଜମି ଘୋଟାଲା ମାମଲାରେ ଇଡି ଦ୍ବାରା ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ । ଏହାସହିତ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୋଟ 45 ବିଧାୟକଙ୍କ ସମର୍ଥନପତ୍ର ସହ ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ପରିବହନ ମନ୍ତ୍ରୀ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବାକୁ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ତେବେ ଆଜି ଚମ୍ପାଇ ସୋରେନ ଝାଡଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ