ନିଆଳି: ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ଉପକୃତ ହେବାରୁ ବଞ୍ଚିତ ହୋଉଛନ୍ତି । ଏଭଳି ଏକ ଅଭିଯୋଗ ଆଣିଛି ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ । ଦଳିତ ପରିବାରଗୁଡ଼ିକୁ ସରକାରୀ ଯୋଜନାରେ ପାତର ଅନ୍ତର ଏବଂ ଜନ କଲ୍ୟାଣକାରୀ ଯୋଜନାରେ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛି ସଂଘ । ଏଥିପାଇଁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଘୋରାଉ କରିଛି ଆଦିବାସୀ ମହାସଂଘ । ଶହ ଶହ ଅଦିବାସୀ ବ୍ଲକ ଆଗରେ ପ୍ରତିବାଦ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନା ଯୋଗାଇବା ପାଇଁ ଦାବି କରିଛି ସଂଘ ।
ମିଳିଥିବା ସୂଚନା ଅନୁସାରେ ନିଆଳି ନିର୍ବାଚନ ମଣ୍ଡଳୀଟି ସଂରକ୍ଷିତ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ଦଳିତ ଓ ଆଦିବାସୀ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ମହାସଙ୍ଘ । କଣ୍ଟାପଡ଼ା ବ୍ଲକର ୧୪ଟି ପଞ୍ଚାୟତର ଦଳିତ ଆଦିବାସୀମାନେ ସରକାରଙ୍କ ଜନହିତକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛି ଦଳିତ ଆଦିବାସୀ ମହାସଙ୍ଘ । ତେଣୁ ଆଜି ଶତାଧିକ ଆଦିବାସୀ ଲୋକ ବ୍ଲକର ଘେରାଉ କରିବା ସହ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜାତୀୟ ଦଳିତ ଆସିବାସୀ ମହାସଂଘର ସଭାପତି ଲିଟୁ ଦାସ କହିଛନ୍ତି,"ଦଳିତ ଆଦିବାସୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ପକ୍କା ରାସ୍ତା, ଓ ପିଇବା ପାଣି ଭଳି ଅନେକ ଜନ କଲ୍ୟାଣି ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାର ଲୋକଙ୍କ ସୁବିଧା ପାଇଁ ବହୁ ଯୋଜନା କରୁଛନ୍ତି କିନ୍ତୁ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ଲୋକ ଏହି ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହୋଉଛନ୍ତି ।"