ଅହମ୍ମଦାବାଦ: ପୁଣି ଭାଙ୍ଗିଲା ବିଶ୍ବକପ୍ ଜିତିବା ସ୍ବପ୍ନ । ଅନ୍ତ ହେଲାନି ଅପେକ୍ଷା । ସର୍ବଶ୍ରେଷ୍ଠ ଭାରତୀୟ ଦଳଠାରୁ ଟ୍ରଫି ଛଡ଼ାଇନେଲେ କଙ୍ଗାରୁ ବ୍ୟାଟର । ବିଶ୍ବକପ୍ ୨୦୨୩ରେ ସେମିଫାଇନାଲ୍ ପର୍ଯ୍ୟନ୍ତ ଅପରାଜିତ ଥିବା ଟିମ୍ ଇଣ୍ଡିଆକୁ ଫାଇନାଲ୍ରେ ମାତ୍ ଦେଲା ଅଷ୍ଟ୍ରେଲିଆ । ସମସ୍ତ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିବା ପରେ ଫାଇନାଲ୍ରେ ହାର ମାନିଲେ ଭାରତୀୟ ଖେଳାଳି । ବିଶ୍ବକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ କରିଥିଲା । ଜବାବରେ ଟ୍ରାବିସ ହେଡ୍ଙ୍କ ଦମଦାର ଶତକ ଓ ଲାବୁସାନେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍କୁ ୬ ୱିକେଟ୍ରେ ଜିତି ନେଇଛି । ଏହି ବିଜୟ ସହ ରେକର୍ଡ ୬ଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ ।
ଭାରତ ବ୍ୟାଟିଂ: ଫାଇନାଲ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆହ୍ବାନ ଦେଇଥିଲା ଅଷ୍ଟ୍ରେଲିଆ । ଜବାବରେ ଚିରାଚରିତ ଢଙ୍ଗରେ ଆକ୍ରାମକ ଖେଳି ଭାରତକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ହେଲେ ଦଳକୁ ଅନ୍ୟତମ ଯୁବ ଓପନର ଶୁଭମନ ଗିଲ୍ଙ୍କ ସାଥ୍ ମିଳିନଥିଲା । କେବଳ ୪ ରନ କରି ଆଉଟ୍ ହୋଇଥିଲେ ଗିଲ୍ । ଏହାପରେ ବିରାଟ କୋହଲି ମଧ୍ୟ ଦମଦାର ଆରମ୍ଭ କରିଥିଲେ । ଅନ୍ୟପଟେ ୩୧ ବଲରୁ ୪୭ ରନର ପାଳି ଖେଳି ଆଉଟ୍ ହୋଇଯାଇଥିଲେ ରୋହିତ ଶର୍ମା । ଏହାପରେ ଶ୍ରେୟସ ଆୟର କେବଳ ୪ ରନ କରିବାରେ ସକ୍ଷମ ହୋଇଥିଲେ । ବିରାଟ କୋହଲି ଓ କେଏଲ୍ ରାହୁଲ ଦଳକୁ କଠିନ ପରିସ୍ଥିତିରୁ ମୁକୁଳାଇବାରେ କିଛିଟା ସକ୍ଷମ ହୋଇଥିଲେ । ହେଲେ ୫୪ ରନ୍ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍ ହୋଇଥିଲେ କୋହଲି । ଏହାପରେ ଦୀର୍ଘ ସମୟ ପଡ଼ିଆରେ ସଙ୍ଘର୍ଷ କରି ଭାରତ ପାଇଁ ସର୍ବାଧିକ ୬୬ ରନର ପାଳି ଖେଳିଥିଲେ ରାହୁଲ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୧୮ ଓ କୁଲଦୀପ ଯାଦବ ୧୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନରେ ଅଲ୍ଆଉଟ୍ ହୋଇଥିଲା ଭାରତ ।
ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଚିରାଚରିତ ଭାବେ ବଡ଼ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଫାଇନାଲ୍ରେ ଦଳର ବୋଲିଂ ବିଭାଗ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେତେ ଭଲ ପ୍ରଦର୍ଶନ କରିପାରିନଥିବା ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ୍ ଷ୍ଟାର୍କ ଆଜି ଦଳ ପାଇଁ ସର୍ବାଧିକ ୩ ୱିକେଟ୍ ହାସଲ କରିଥିଲେ । ଜୋଶ ହାଜଲେଉଡ୍ ଓ ଅଧିନାୟକ ପ୍ୟାଟ୍ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ସ୍ପିନର ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଆଡାମ ଜାମ୍ପା ଆଜି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।