ଭୁବନେଶ୍ବର: ସାବଧାନ ! ରାଜଧାନୀରେ ଅଟୋରେ ବସିଲେ ବା ଅଟୋରେ ବସିବାକୁ ଥିଲେ ହୋଇଯାନ୍ତୁ ହୁସିଆର । ନଚେତ ଆପଣ ହୋଇପାରନ୍ତି ଲୁଟର ଶିକାର । କାରଣ ରାଜଧାନୀ ଭୁବନେଶ୍ବରରେ ଏମିତି କିଛି ଘଟଣା ଯାହାକୁ ନେଇ ଖେଳିଯାଇଛି ଭୟର ମାହୋଲ । ଗତ ଶନିବାର ଦିନ ଯାଜପୁର ବରୀର ବିଷ୍ଣୁଚରଣ ସାହୁ ନାମକ ଜଣେ ୬୫ ବର୍ଷିୟ ବୃଦ୍ଧ ହୋଇଛନ୍ତି ଅଟୋ ଚାଳକଙ୍କ ଶିକାର । ବୃଦ୍ଧ ଜଣକ ନିଜ ଘର ବରୀ ବରୁଆଁକୁ ଯିବାକୁ ଫାୟାର ଷ୍ଟେସନ ଛକରେ ସକାଳ ୮ଟା ସମୟରେ ଅପେକ୍ଷା କରିଥିବା ବେଳେ ଦୁଇଜଣ ଅଟୋ ଚାଳକ ଏକ ଅଟୋରେ ଆସି ତାଙ୍କ ନିକଟକୁ ପହଞ୍ଚିଲେ ।
ସେଠାରେ ବୃଦ୍ଧ ଜଣଙ୍କୁ କୁଆଡେ ଯିବେ ବୋଲି ପଚାରିଥିଲେ । ପରେ ମଉସା ବରୀ ଯିବାକୁ କହିଥିବା ବେଳେ ଆମେ ପାଖଗାଁ ଲୋକ କହି ମଉସାକୁ ପଛରେ ବସାଇଥିଲେ । ପରେ କିଛି ବାଟ ଯାଇ ରାଜଧାନୀ ପାର ହେବା ପରେ ବାଟରେ ମଉସାକୁ ଅମୁଲ କୁଲ ପିଇବାକୁ ଦେଇଥିଲେ । ତେବେ ସେଥିରେ କିଛି ନିଶା ଦ୍ରବ୍ଯ ମିଶିଥିବାରୁ ବୃଦ୍ଧ ମଉସା ଜଣଙ୍କ ପିଇବାର କିଛି ସମୟ ପରେ ବେହୋସ ହୋଇଯାଇଥିଲେ । ପରେ ଅଟୋ ଚାଳକ ଓ ତାର ସହଯୋଗୀ ବୃଦ୍ଧଙ୍କ କିଛି ନୁଆ ଲୁଗାପଟା ଓ ପାଖରେ ଥିବା ୫୦୦୦ ଟଙ୍କା ନେଇ ତାଙ୍କୁ ନେଇ ଜଗତସିଂହପୁର ବାଲିକୁଦା ବସଷ୍ଟାଣ୍ଡ ପଛ ପଟେ ଛାଡି ଦେଇଯାଇଥିଲେ ।