ଗତ ମଙ୍ଗଳବାର ଦିନ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଆରମ୍ଭ କରିଛନ୍ତି କ୍ୟାମ୍ପସ ଟୁର୍ । ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ନେଇ ଛାତ୍ରଛାତ୍ରୀଙ୍କ ମତାମତ ଜାଣିବେ କେରଳ ମୁଖ୍ୟମନ୍ତ୍ରୀ । ସେ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ବିଚାରବିମର୍ଷ କରିବେ । ଉଚ୍ଚଶିକ୍ଷା ଯୋଜନା ନିର୍ଦ୍ଧାରଣ କରି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ-ଏଲଡିଏଫର ଇସ୍ତାହାରରେ ତାକୁ ସ୍ଥାନ ଦେବା ହେଉଛି ବିଜୟନଙ୍କ କ୍ୟାମ୍ପସ ଟୁର୍ର ଉଦ୍ଦେଶ୍ୟ ।
ସେପଟେ କଂଗ୍ରେସ ନେତୃତ୍ୱାଧିନ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚା –ୟୁଡିଏଫ ସାବରିମାଲାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଛି । ଏହି ପ୍ରସଙ୍ଗ ଉପରେ ଅନେକ ତର୍କବିତର୍କ ହୋଇସାରିଛି ଓ ମାମଲା ବର୍ତ୍ତମାନ କୋର୍ଟଙ୍କ ବିଚାରାଧୀନ ରହିଛି ।
ଏହି ପ୍ରସଙ୍ଗ ୟୁଡିଏଫର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ମଧ୍ୟରେ ରହିଛି । ସ୍ଥାନୀୟ ପରିଷଦ ନିର୍ବାଚନରେ ଶାସକ ଏଲଡିଏଫ ବିରୋଧରେ ସୁନା ସ୍ମଗଲିଂ, ଲାଇଫ ମିଶନରେ ଦୁର୍ନୀତି ଓ ଆଇଟି ବିଭାଗରେ ଅନିୟମିତତା ଭଳି ପ୍ରସଙ୍ଗ କିଛିକାମ ଦେଲା ନାହିଁ ବୋଲି ୟୁଡିଏଫ ହୃଦୟଙ୍ଗମ କରିଛି । ତେଣୁ ସାବରିମାଲା ପ୍ରସଙ୍ଗକୁ ୟୁଡିଏଫ ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସ୍ଥିର କରିଥିବା ଜଣାପଡିଛି ।
କ୍ଷମତାକୁ ଆସିବା ପରେ ମେଂଟ କଣ କରିବ ଓ ଦୁର୍ନୀତି ନେଇ ବିରୋଧୀଙ୍କୁ ଟାର୍ଗେଟ କରିବା ବଦଳରେ ଶାସକ ଏଲଡିଏଫ ଗତ ୫ ବର୍ଷ ମଧ୍ୟରେ କଣ ହାସଲ କରାଯାଇଛି, ତାକୁ ନେଇ ପ୍ରଚାର ଅଭିଯାନ ଆରମ୍ଭ କରିଛି । ଗତ ୫ ବର୍ଷର ସଫଳତା ବଖାଣିବା ସହ କିପରି ଆହୁରି ଉନ୍ନତି ହେବ, ସେ ନେଇ ପ୍ରଚାରରେ ଫୋକସ ରଖୁଛି ଶାସକ ଏଲଡିଏଫ । ଲଗାତର ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପାଇଁ ବିକାଶ ନାଁରେ ଭୋଟ ମାଗିବାକୁ ସ୍ଥିର କରିଛି ଏଲଡିଏଫ । ବିକାଶ ପାଇଁ ଭୋଟ୍ ସ୍ଲୋଗାନ ଦେଇ ପ୍ରଚାର ଆରମ୍ଭ କରିଛି ଶାସକ ମେଂଟ ।
ରାଜ୍ୟରେ ନିକଟରେ ସଂପନ୍ନ ସ୍ଥାନୀୟ ନିର୍ବାଚନରେ ବି ଶାସକ ଏଲଡିଏଫ ସମାନ ପ୍ରଚାର ରଣନୀତି ଆପଣାଇଥିଲା । ଆଉ ତାହା ମେଂଟ ପାଇଁ ସଫଳ ରହିଥିଲା । ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏଲଡିଏଫ । ବିଭିନ୍ନ ଅଭିଯୋଗ ନେଇ ବିରୋଧୀଙ୍କ ଟ୍ରାପ୍ରେ ପଡି ନ ଥିଲା ଏଲଡିଏଫ । ସରକାର ଅମଳରେ କଣ ସବୁ ବଦଳିଛି , ତାହା ଦେଖିବା ପାଇଁ ଭୋଟରଙ୍କୁ କୁହାଯାଇଥିଲା । କୋଭିଡ ମହାମାରୀ ଓ ବନ୍ୟା ବେଳେ ପିଡିଏସ ଜରିଆରେ ମାଗଣା କିଟ୍ ଯୋଗାଣ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଦ୍ୱାରା ଉପକୃତ ହୋଇଥିବା ଭୋଟରଙ୍କୁ ମନାଇବା ଲାଗି ଏଲଡିଏଫ ନେତାଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡି ନ ଥିଲା ।
ସରକାର ବିରୋଧରେ ବିରୋଧୀ ଦଳ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣି ଘୃଣା ଓ ବିଦ୍ୱେଷ ଅଭିଯାନ ଚଳାଇଥିଲା । କିନ୍ତୁ ଲୋକେ ଏହା ଶୁଣିଲେ ନାହିଁ । ସରକାରଙ୍କ କଲ୍ୟାଣକାରୀ ଓ ଉନ୍ନୟମୂଳକ ଯୋଜନାକୁ ଲୋକେ ସମର୍ଥନ କରିଛନ୍ତି ବୋଲି ସ୍ଥାନୀୟ ନିର୍ବାଚନରେ ଏଲଡିଏଫର ବିପୁଳ ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଥିଲେ ।
ସନ୍ଦେଶ ସ୍ପଷ୍ଟ ଥିଲା । ବିରୋଧୀଙ୍କ ବିଭିନ୍ନ ଅଭିଯୋଗର ଜବାବ ଦେଇ ଏଲଡିଏଫ ନିର୍ବାଚନ ପ୍ରଚାର କରିବ ନାହିଁ । ଗତ ୫ ବର୍ଷରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟରେ ବିକାଶକୁ ପ୍ରସଙ୍ଗ କରି ବିଧାନସଭା ପ୍ରଚାର ମଇଦାନକୁ ଏଲଡିଏଫ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଯାଇଥିଲା । ରାଜ୍ୟ ନିପ୍ପା ରୋଗ, ଦୁଇଟି ଭୀଷଣ ବନ୍ୟା , ଭୂସ୍ଖଳନ ଭଳି ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ମହାମାରୀ ସାମନା କରିଛି । ଏସବୁର ସଫଳ ମୁକାବିଲା ସହ ଗଲା ୫ ବର୍ଷର ବିକାଶମୂଳକ କାର୍ଯ୍ୟକୁ ଗଲା ସ୍ଥାନୀୟ ନିର୍ବାଚନରେ ଜୋରଦାର ଭାବେ ଉଠାଇଥିଲା ଏଲଡିଏଫ । ଆଉ ଏହାର ଫଳସ୍ୱରୂପ ଏଲଡିଏଫକୁ ମିଳିଥିଲା ଜବରଦସ୍ତ ସଫଳତା । ସ୍ଥାନୀୟ ନିର୍ବାଚନରେ ଭୋଟର ଏଲଡିଏଫର ବିକାଶ ସପକ୍ଷରେ ଭୋଟ୍ ଦେଲା ପରେ ବିରୋଧୀ ଦଳ ଆଗାମୀ ନିର୍ବାଚନରେ ସେମାନଙ୍କ ଆସ୍ଥା ଭାଜନ ହୋଇପାରିବ ନାହିଁ ବୋଲି ଏଲଡିଏଫ ଅନୁମାନ କରୁଛି । ତେଣୁ ଆଗାମୀ ବିଧାନସଭା ନିର୍ବାଚନ ପ୍ରଚାରରେ ମଧ୍ୟ ଗତ ୫ ବର୍ଷରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ଏଲଡିଏଫ । କାରଣ ରାଜ୍ୟ ସରକାର ବିରୋଧରେ ସେହି ଏକା ଅଭିଯୋଗ ଦୋହରାଇପାରିବ ନାହିଁ ବିରୋଧୀ । ଆଉ ଏହା ଶାସକ ମେଂଟ ଜାଣିଛି । ଗତମାସରେ ଆରମ୍ଭ କରିଥିବା ନିଜର ପବ୍ଲିକ ଆଉଟରିଚ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ କହିଥିଲେ ଯେ, ୨୦୧୬ ଏଲଡିଏଫର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ୬ ଶହଟି ପ୍ରକଳ୍ପ ଓ ଯୋଜନା ମଧ୍ୟରୁ କେବଳ ୩୦ଟିର କାର୍ଯ୍ୟ ହିଁ ବାକି ରହିଛି । ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ଆଗରୁ ସେହି ୩୦ଟି ପ୍ରକଳ୍ପର କାମ ବି ଶେଷ ହୋଇଯିବ ବୋଲି କହିଥିଲେ କେରଳ ମୁଖ୍ୟମନ୍ତ୍ରୀ ।
ଏଲଡିଏଫ ସରକାର ଗତ ୫ ବର୍ଷରେ ଏକାଧିକ ଲୋକପ୍ରିୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଆଦର୍ଶ ମିଶନ, ଲାଇଫ ମିଶନ ( ଯୋଜନା ଜରିଆରେ ବାସହୀନମାନଙ୍କୁ ୨ ଲକ୍ଷ ୫୧ ହଜାର ୪୬ ଘର ଏହି ବର୍ଷ ଜାନୁଆରୀ ୧୮ ସୁଦ୍ଧା ଯୋଗାଇ ଦିଆଯାଇଛି ,ହରିତ କେରଳମ ମିଶନ, ପବ୍ଲିକ ଏକ୍ସୁକେସନ ରିଜୁଭେନେସନ ମିଶନ । ଏହାଛଡା ମହିଳା ଓ ସମଲିଙ୍ଗୀ ସଂପ୍ରଦାୟ ପାଇଁ ଏକାଧିକ ଠୋସ୍ ପଦକ୍ଷେପ ବି ନେଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପ ବି କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ କେଆଇଆଇଏଫବି ନାମକ ଏକ କର୍ପୋରେଟ ସଂସ୍ଥା ଗଠନ କରାଯାଇଛି । ତେବେ, ବିଦେଶରୁ ଋଣ ଆଣୁଥିବାରୁ ଏହି ସଂସ୍ଥାକୁ ଉଭୟ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି । କିନ୍ତୁ ଏହି ସଂସ୍ଥା ଜରିଆରେ ହିଁ ରାଜ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପକୁ ପାଂଠି ଯୋଗାଡ ହେଉଛି । କେଆଇଆଇଏଫବିକୁ ସିଏଜି ଅସାମ୍ବିଧାନିକ ଦର୍ଶାଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ତେବେ ଏକ ଅଦ୍ଭୂତପୂର୍ବ ପଦକ୍ଷେପ ନେଇ ରାଜ୍ୟ ବିଧାନସଭାରେ ସରକାର ସିଏଜି ରିପୋର୍ଟ ବିରୋଧରେ ପ୍ରସ୍ତାବ ଗୃହୀତ କରିଥିଲେ । ୟୁଡିଏଫର କଡା ବିରୋଧ ସତ୍ତ୍ୱେ ସିଏଜି ରିପୋର୍ଟରୁ ଆପତ୍ତିଜନକ ଟିପ୍ପଣୀ ବାଦ ଦିଆଯାଇଥିଲା ।