ରଣଜୀ ଟ୍ରଫି ବିଫଳତା, ଓଡିଶା କ୍ରିକେଟର ଦିଗ ଅନ୍ଧକାର ମୁହାଁ !
Published : Feb 22, 2024, 6:55 PM IST
Future of Odisha Cricket Association: କଟକ: ରଣଜୀ ସିଜିନରେ ବିଫଳ ଓଡ଼ିଶା କ୍ରିକେଟ ସଂଘ । ଏହା କେବଳ ଚଳିତ ସିଜିନ କଥା ନୁହେଁ, ବରଂ ବିଗତ ଅନେକ ସିଜିନରେ ଏପରି ଢଙ୍ଗରେ ରଣଜୀ ଟ୍ରଫି ନିରାଶ କରୁଛି ଓଡ଼ିଶା । ନୂଆ କୋଚ୍, ପ୍ରଶିକ୍ଷଣ, କ୍ୟାମ୍ପ ଆଦି ସବୁ ଯୋଗାଉଛି ଓସିଏ ହେଲେ ଆଉଟପୁଟ ଫେଲ । ଗୋଟିଏ ମ୍ୟାଚରେ ଯଦି ବ୍ୟାଟର ଶତକ କରୁଛି ତାହେଲେ ଅନ୍ୟ ୪ଟି ମ୍ୟାଚରେ ଫେଲ । ନାହିଁ ସ୍ଥିର ପ୍ରଦର୍ଶନ । ବୋଲର ମଧ୍ୟ ସମାନ ପ୍ରଦର୍ଶନ କରୁଛନ୍ତି । ଏପରି ସ୍ଥଳେ ଓସିଏକୁ ସିଧାସଳଖ ନିନ୍ଦା କରିବା ସହ ଓଡ଼ିଶାର କ୍ରିକେଟ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରୀଡା ସମୀକ୍ଷକ ପବନ ଅଗ୍ରୱାଲ ।
ଏହା ବି ପଢନ୍ତୁ- ଆଠଗଡ଼ରେ ହେବ ପୂର୍ବ ଭାରତର ସର୍ବବୃହତ କ୍ରିକେଟ ଏକାଡେମୀ, କୋଚିଂ ଦେବେ ରବି ଶାସ୍ତ୍ରୀ
ଚଳିତ ରଣଜୀ ସିଜିନ ଉପରେ ଯଦି ନଜର ପକାଇବା ତେବେ ୭ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୪ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ଓଡ଼ିଶା ଦଳ । ଏହାସହ ଏଲିଟ ଗ୍ରୁପ ଡିର ୭ ନମ୍ବର ସ୍ଥାନରେ ରହି ଚଳିତ ବର୍ଷ ରଣଜୀ ସିଜିନ ଶେଷ କରିଛି ଓଡ଼ିଶା । ତେବେ ଏହି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଉଭୟ ଓସିଏ ଓ ଖେଳାଳିମାନେ ଦାୟୀ । ମାଇଣ୍ଡ ସେଟର ଅଭାବ, ଜିଲ୍ଲା ସ୍ତରରେ ଏକାଡେମୀ ନିର୍ମାଣ ଓ ଏହାବ୍ୟତୀତ ଓଡ଼ିଆ କୋଚଙ୍କୁ ବେଶୀ ଫୋକସ ସ୍ଥାନରେ ଅନ୍ୟ ରାଜ୍ୟର ଖେଳାଳିମାନଙ୍କୁ କୋଚ୍ କରି ଓସିଏ ଆଣୁଛି । ଯାହା ଘରୋଇ ପରିବେଶ ସହ ଖାପ ଖୁଆଇବାରେ ବିଫଳ ହେଉଛନ୍ତି । କେବଳ ରଣଜୀ ଟ୍ରଫି ନୁହଁ ଏହାସହ ମୁସ୍ତାକ ଅଲି, ବିଜୟ ହଜାରେ ଟ୍ରଫି ଆଦିରେ ଓଡ଼ିଶା ନିରାଶ କରି ଚାଲିଛି । ଯାହା ପାଇଁ ଗୋଟିଏ ହେଲେ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇ ପାରୁନାହାନ୍ତି । ତେଣୁ ଏବେଠୁ ଯଦି ଓସିଏ କିଛି ଚିନ୍ତା ନ କରେ ତେବେ ଆଗାମୀ ଭବିଷ୍ୟତରେ ଓଡ଼ିଶା କ୍ରିକେଟ ଅନ୍ଧକାର ମୁହାଁ ହେବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ।
ଇଟିଭି ଭାରତ, କଟକ