ଓଡିଶା

odisha

By ETV Bharat Odisha Team

Published : Apr 5, 2024, 8:21 AM IST

ETV Bharat / videos

ହତ୍ୟା ଅଭିଯୋଗର ଦୁଇ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଆନ୍ଦୋଳନ ଚେତାବନୀ ଦେଲା ଆଦିବାସୀ ସଂଘ - Balangir tribal man murder case

ବଲାଙ୍ଗୀର: ପାଟଣାଗଡର ଲରମ୍ଭା ଥାନା ଅଞ୍ଚଳରେ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗର ଦୁଇ ମାସ ପରେ ବି ପୋଲିସର ଶୂନ କାର୍ଯ୍ୟାନୁଷ୍ଠାନକୁ ନେଇ ତାତିଲା ଆଦିବାସୀ ସଂଘ । ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ ନକଲେ ଆନ୍ଦୋଳନ ପାଇଁ ଧମକ ଦେଲେ ଆଦିବାସୀ ନେତା । ଗତ ଫେବୃଆରୀ ୭ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରୁ ଏହି ହତ୍ୟାକାଣ୍ଡ ଅଭିଯୋଗ ଆସିଥିଲା । ଅଭିଯୋଗ ଅନୁସାରେ, ଏହି ଗ୍ରାମର ଉଜ୍ବଳ ବରିହା ରାତିରେ ଏକ ବିବାହ ଭୋଜି ଖାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତା' ପର ଦିନ ଗାଁର ଏକ କୂଅରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କର ମୋଟର ସାଇକଲ ଓ ଚପଲ ଗାଁ ମୁଣ୍ଡରୁ ମିଳିଥିଲା । ଉଜ୍ବଳଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଗାଁର ଏକ ପରିବାର ସହ ତାଙ୍କର ପୂର୍ବ ଶତ୍ରୁତା ଥିବାବେଳେ ସେମାନେ ମଧ୍ୟ ସେଦିନ ସେହି ବିବାହ ଭୋଜିରେ ଥିଲେ ଏବଂ ମୃତକଙ୍କ ସାଙ୍ଗରେ ଘଟଣା ଦିନ ଯାଇଥିବା ଅନ୍ୟମାନେ ସବୁ ଜାଣି ଚୁପ୍ ଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ ।  

ଏହା ମଧ୍ୟ ପଢନ୍ତୁ: ପ୍ରେମରେ କଳହ ପାଇଁ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ସମେତ ସହଯୋଗୀ ଗିରଫ - Murder In Balangir

ହେଲେ ଏହି ଘଟଣାକୁ ଦୁଇ ମାସ ବିତିଥିବା ବେଳେ ଆଜି ଯାଏଁ ପୋଲିସ କୌଣସି ପଦକ୍ଷେପ ନେଇ ନଥିବାର ମୃତକଙ୍କ ପରିବାର ଓ ଆଦିବାସୀ ସଂଘ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ସେମାନେ ବଲାଙ୍ଗୀର ଏସପିଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆଦିବାସୀ ଆନ୍ଦୋଳନ କରିବେ ବୋଲି ମୃତକଙ୍କ ସ୍ତ୍ରୀ ମୋହିନି ବାରିହା ଓ ଆଦିବାସୀ ସଂଘ ଚେତାବନୀ ଦେଇଛନ୍ତି । ଆଦିବାସୀ ନେତା ଗିରିରାଜ ଭୋଇ କହିଛନ୍ତି ଯେ, ଗାଁର କିଛି ଲୋକ ପୂର୍ବ ଶତ୍ରୁତା କାରଣରୁ ଫଟାମୁଣ୍ଡା ଗ୍ରାମର ଉଜ୍ବଳ ବରିହାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ । ଏହାର ଅଭିଯୋଗ ଲରମ୍ଭା ଥାନାରେ ହେବା ପରେ ମଧ୍ୟ ଆଜି ଯାଏଁ ପୋଲିସ କାହାକୁ ଗିରଫ କରିନାହିଁ । ତେଣୁ ଆଜି ସେମାନେ ଏସପିଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ବେଳେ ଦାବି ପୂରଣ ନହେଲେ ଆନ୍ଦୋଳନ କରିବେ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details