ETV Bharat Exclusive: ମୋହନ ସରକାରଙ୍କ ଏପରି କାମ ସହିବେନି ଜଗନ୍ନାଥ ଚେତାଇଲେ ଜଗୁନି, ବଖାଣିଲେ ବ୍ରହ୍ମ ପରିବର୍ତ୍ତନ ବେଳର ଅଲୌକିକ ଅନୁଭୂତି - Interview with Srimandir Badagrahi - INTERVIEW WITH SRIMANDIR BADAGRAHI
🎬 Watch Now: Feature Video
Published : Jul 5, 2024, 9:34 PM IST
ପୁରୀ: ଜଗତର ନାଥ ଜଗନ୍ନାଥ । ଭକ୍ତର ଭଗବାନ, ଦୁଃଖୀର ଦିନବନ୍ଧୁ । ଦୁଇଦିନ ପରେ ଲୀଳାମୟ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଭକ୍ତଜନକୁ ଦର୍ଶନ ଦେବା ପାଇଁ ରତ୍ନବେଦୀରୁ ଓହ୍ଲାଇ ଆସିବେ ମଣିମା । ଏହି ରଥଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଲୀଳାଖେଳା, ଅଲୌକିକ ମହିମା ଏବଂ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଚାରିଦ୍ବାର, ପରିକ୍ରମା ପ୍ରକଳ୍ପ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଇଟିଭି ଭାରତ ସହ ଆଲୋଚନା କରିଛନ୍ତି । ସେ ସବୁଠି ଜଗୁନି ନାଁରେ ବେଶ ପରିଚିତ । ମହାପ୍ରଭୁଙ୍କ ନବକଳେବର ସମୟରେ ଦାରୁସନ୍ଧାନ ଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତ୍ତନ ବେଳର ନିଜର ଅଲୌକିକ ଦିବ୍ୟ ଅନୁଭୂତିକୁ ବଖାଣିଛନ୍ତି ଜଗୁନି । ଏଥିସହିତ ରତ୍ନଭଣ୍ଡାର ନଖୋଲାଯିବା ନେଇ ପୂର୍ବ ବିଜେଡି ସରକାରକୁ ସମାଲୋଚନା କରିବା ସହିତ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କରିଛନ୍ତି । ଏଥିସହ ମୋହନ ସରକାର ଯଦି ରତ୍ନ ଭଣ୍ଡାର ନ ଖୋଲନ୍ତି କଣ ପରିଣାମ ତାହା ମଧ୍ୟ ଆଲୋଚନା କରିଛନ୍ତି ।
ମୁଖ୍ୟ ବାଡଗ୍ରାହୀ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଭିତରେ ହୀରା, ମୋତି, ମାଣିକ ଭର୍ତ୍ତି ହୋଇଥିଲା । ଏବେ ରତ୍ନଭଣ୍ଡାର ନଷ୍ଟ ହୋଇଗଲାଣି । ବର୍ତ୍ତମାନର ମୋହନ ମାଝୀ ସରକାର ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲନ୍ତୁ । ଏଥିରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ଏକ ଷ୍ଟଙ୍ଗରୁମ କରି ଏହାକୁ ସୁରକ୍ଷିତ ରଖାଯାଇ । ପୂର୍ବ ବିଜେଡି ସରକାର ରତ୍ନଭଣ୍ଡାର ଖୋଲିଲେନି । ଚାରିଦ୍ବାର ଖୋଲିଲେନି । ପରିକ୍ରମା ପ୍ରକଳ୍ପ ନାଁରେ ମଠ ମନ୍ଦିରଗୁଡିକୁ ଭାଙ୍ଗି ପକାଇଲେ । କେବଳ ଭାଙ୍ଗିବା ଛଡା ଗଢିବା ଜାଣିଲେନି । ସେଥିପାଇଁ ଜଗନ୍ନାଥ ସହିଲେନି ଏବଂ ସରକାର ଭାଙ୍ଗିଗଲା । ବର୍ତ୍ତମାନ ମୋହନ ସରକାର ମଧ୍ୟ ଯଦି ପୂର୍ବ ସରକାରଙ୍କ ଭଳି କାମ କରନ୍ତି, ତାହେଲେ ତାଙ୍କୁ ବି ଜଗନ୍ନାଥ ସହିବେନି ଏବଂ ନିଶ୍ଚୟ ସରକାରର ପତନ ହେବ ।