ଓଡିଶା

odisha

ETV Bharat / videos

ଜନ୍ମବେଦୀରୁ ଆସି ରତ୍ନ ସିଂହାସନ ବିଜେ କଲେ ତୁଳସୀ କ୍ଷେତ୍ର ଅଧିପତି ଶ୍ରୀ ବଳଦେବଜୀଉ - Kendrapara BaladevJew Rath Yatra

By ETV Bharat Odisha Team

Published : Jul 19, 2024, 11:13 AM IST

Kendrapara BaladevJew Adhar Pana ritual: କେନ୍ଦ୍ରାପଡା: ଜନ୍ମବେଦୀରୁ ଲେଉଟି ରତ୍ନ ସିଂହାସନକୁ ବିଜେ କଲେ ମହାପ୍ରଭୁ ବଳଦେବଜୀଉଙ୍କ ସହ ଭାଇଭଉଣୀ ଓ ଶ୍ରୀ ସୁଦର୍ଶନ । ଗୁରୁବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଘୁନାଥ ବେଶରେ ମହାପ୍ରଭୁ ଦର୍ଶନ ଦେବା ପରେ ରାତି ୧୦ଟାରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ଶ୍ରୀଜୀଉମାନଙ୍କ ନିକଟରେ ଅଧରପଣା ଲାଗି କରିବା ପରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ମହଲରେ ଉତ୍ସାହ ଦେଖା ଯାଇଥିଲା । ଏହାପରେ ଶ୍ରୀଜୀଉଙ୍କ ରଘୁନାଥ ବେଶ ଖୋଲାଯାଇ ମୁଖ୍ୟ ମନ୍ଦିରରୁ ଟାହିଆ ଆଦି ଆସିବା ପରେ ରଥ ଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ବଡ଼ଧୂପ ଦିଆଯାଇ ପରେ ଧାଡି ପହଣ୍ଡିରେ ବାସୁକି ନାଗ ଠାଣିରେ କେନ୍ଦ୍ରାପଡାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ, ପ୍ରଭୁ ଜଗନ୍ନାଥ, ଭଗିନୀ ସୁଭଦ୍ରାଙ୍କୁ ବିଜେପଣ୍ଡା ସେବାୟତ ମାନେ ପହଣ୍ଡି କରି ମୁଖ୍ୟ ମନ୍ଦିରକୁ ଆଣିଥିଲେ ।

ଏହି ପହଣ୍ଡି ନୀତି ରାତି ସାଢ଼େ ଦଶଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ସାଢେ ଦୁଇଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ମହାପ୍ରଭୁ ପହଣ୍ଡି ହୋଇ ନୀଳାଦ୍ରି ବିଜେ କରି ରତ୍ନ ସିଂହାସନକୁ ଯିବା ପର୍ଯ୍ୟନ୍ତ ଅପଲକ ନୟନରେ ଏହାକୁ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଭକ୍ତ । ନ'ଦିନର ଘୋଷଯାତ୍ରା ସାରି ଭାଇ ଭଉଣୀଙ୍କୁ ଧରି ରତ୍ନ ସିଂହାସନକୁ ଫେରିଛନ୍ତି ଜଗତକର୍ତ୍ତା । ଲୀଳାମୟଙ୍କୁ ରଥାରୂଢ ହେବାର ଦେଖି ଭକ୍ତର ଚର୍ମଚକ୍ଷୁ ପବିତ୍ର ହୋଇଛି । ରାତିରେ କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ ବ୍ରହ୍ମ ତାଳଧ୍ଵଜ ରଥରୁ ବଡ ଦେଉଳକୁ ଫେରିବା ପରେ ଶେଷ ହୋଇଛି ଘୋଷଯାତ୍ରା । 

ଏହାମଧ୍ୟ ଦେଖନ୍ତୁ.. ଆଜି ସରୁଛି ଶ୍ରୀଜୀଉଙ୍କ ବାହାର ଲୀଳାଖେଳା: ରତ୍ନବେଦୀକୁ ଫେରିବେ କଳାଠାକୁର, ରାଗିଛନ୍ତି ମହାଲକ୍ଷ୍ମୀ, ରସଗୋଲା ଖୁଆଇ କରିବେ ମାନଭଞ୍ଜନ - Niladri Bije

ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ଦୀର୍ଘ ୯ ଦିନର ଘୋଷଯାତ୍ରା ସାଙ୍ଗକୁ ରୁପା ଅଳଙ୍କାରରେ ରଘୁନାଥ ବେଶ ଓ ଅଶରିରୀ ମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭଳି ନୀତିକୁ ମିଶାଇ ୧୧ ଦିନ ପରେ ରତ୍ନ ସିଂହାସନକୁ ବିଜେ କରିଛନ୍ତି ଆରାଧ୍ୟ ମହାପ୍ରଭୂ ବଳଦେବଜୀଉଙ୍କ ସମେତ ପ୍ରଭୁ ଜଗନ୍ନାଥ,ଦେବୀ ମା'ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ । ବିଳମ୍ବିତ ରାତିରେ ମହାପ୍ରଭୁ ବ୍ରହ୍ମ ତାଳଧ୍ଵଜ ରଥରୁ ଓହ୍ଲାଇ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ।

ଚଳିତ ରଘୁନାଥ ବେଶରେ ଚତୁର୍ଦ୍ଧାମୂର୍ତ୍ତି ପାଖାପାଖି ସାଢ଼େ ତିନିରୁ ପାଞ୍ଚ କ୍ୱିଣ୍ଟାଲ ରୂପାର ଅଳଙ୍କାର ପିନ୍ଧି ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ । କିମ୍ବଦନ୍ତୀ ଅନୁସାରେ, ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀଜୀଉମାନଙ୍କ ସୁନାବେଶ ନଥିବା କାରଣରୁ ରଘୁନାଥ ବେଶରେ ପ୍ରଭୁଙ୍କୁ ସଜା ଯାଇଥାଏ । ଏଥିସହ ରଥରୁ ଅବତରଣ ସମୟରେ ତିନିଠାକୁରଙ୍କ ଧାଡି ପହଣ୍ଡି ଅନୁଷ୍ଠିତ ହେଉଥିବା ବେଳେ ଚାର ଉପରେ ସେବାୟତମାନଙ୍କ ଦ୍ୱାରା ଦୁଇଟି ଫୁଲ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ ରଥଯାତ୍ରା ସମୟରେ ସେବାକାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତଙ୍କୁ ପୁଷ୍ପହାର, ଉପଢୌକନ ଏବଂ ଶିରପ୍ପା ଦିଆଯାଇ ସମ୍ବର୍ଦ୍ଧିତ କରିବା ସହ ଶେଷ ହୋଇଥିଲା ଶିରପ୍ପା ବଣ୍ଟନ ବିଧି ।ଧାଡି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ନିଆଯାଉଥିବା ବେଳେ ପ୍ରଥମେ ମହାପ୍ରଭୁ ବଳଦେବଜୀଉ,ପରେ ଭଗିନୀ ସୁଭଦ୍ରା ରତ୍ନ ସିଂହାସନକୁ ଯିବା ପରେ ମଝି ଦେଉଳରେ ଜଗନ୍ନାଥଙ୍କ ବାଟ ଓଗାଳି କବାଟ କିଳିଥିଲେ ଅଭିମାନୀ ଧନଦାତ୍ରୀ ମା'ଲକ୍ଷ୍ମୀ ।ଏହାପରେ ଉଭୟ ପାର୍ଶ୍ବରୁ ପରମ୍ପରା ଅନୁଯାୟୀ ବଚନିକା ପାଠ ସହ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ପ୍ରଭୁ କଳାଠାକୁର ।



ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details